ଓଇଆର୍ସିର ବିଚିତ୍ର ନୀତି: ହୀରାକୁଦରୁ ଯୋଗାଣ ବିଦ୍ୟୁତ୍ ଦର କମାଇଲା ଆୟୋଗ

ସମ୍ବଲପୁର: ବିଦ୍ୟୁତ୍ ଦର ବୃଦ୍ଧି ଦିଗରେ ଓଡ଼ିଶା ସରକାରଙ୍କ ବିଚିତ୍ର ନୀତି ଏବେ ରାଜ୍ୟର ଗ୍ରାହକଙ୍କ ପାଇଁ ଅସନ୍ତୋଷର କାରଣ ହେଲାଣି। ଯେଉଁ ଛତିଶଗଡ଼ ମହାନଦୀର ପାଣି ଟାଣି ଅଧା ଓଡ଼ିଶାକୁ ଶୋଷିଲା ରଖିଛି, ଏବେ ସେହି ଛତିଶଗଡ଼କୁ ନିଜ ରାଜ୍ୟବାସୀଙ୍କ ଠାରୁ ଅଧିକ ଅନୁକମ୍ପା ଦେଖାଇଛନ୍ତି ଓଡ଼ିଶା ସରକାର। ଏହି କରୋନା ସମୟରେ ଗତ ମାର୍ଚ୍ଚ ମାସରେ ଓଡ଼ିଶାର ଗ୍ରାହକଙ୍କ ପାଇଁ ବିଦ୍ୟୁତ୍ ଦର ବଢ଼ାଇଥିବାରୁ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା।
ହେଲେ ହୀରାକୁଦ ଜଳ ବିଦ୍ୟୁତ୍ ପ୍ରକଳ୍ପରୁ ଛତିଶଗଡ଼ ନେଉଥିବା ବିଜୁଳିର ଦରକୁ ଏଥର ସରକାର ୟୁନିଟ୍ ପିଛା ୨୦ ପଇସା ହ୍ରାସ କରିଛନ୍ତି। ଗତ ମାର୍ଚ୍ଚ ପୂର୍ବରୁ ଛତିଶଗଡ ସରକାରଙ୍କ ବିଦ୍ୟୁତ ବିତରଣ କଂପାନି ସିଏସ୍ପିଡିସିଏଲ୍ ୟୁନିଟ୍ ପିଛା ୨.୦୦୯ ପଇସା ଦରରେ ବିଜୁଳି ନେଉଥିଲା। ହେଲେ ଦର ହ୍ରାସ ପାଇଁ ତା’ର ଦାବି ଆଗରେ ଓଇଆର୍ସି ମୁଣ୍ଡ ନୂଆଇଁ ଏହାକୁ ୧ ଟଙ୍କା ୮୦ ପଇସାକୁ ହ୍ରାସ କରିଛନ୍ତି। ଫଳରେ ଏହା ଓଡିଶାର ଗ୍ରାହକମାନଙ୍କୁ ବିଭାଗର ଏକପ୍ରକାର ଧୋକା ବୋଲି ଆଲୋଚନା ହେଉଛି।
ହୀରାକୁଦ ବନ୍ଧ ପ୍ରତିଷ୍ଠା ହେବା ପରଠାରୁ ହୀରାକୁଦ ଜଳ ବିଦ୍ୟୁତ୍ ପ୍ରକଳ୍ପ ଆରମ୍ଭ ହୋଇଛି। ଆଉ ଏହାର ସ୍ଥାପନ ହେବା ଦିନରୁ ଛତିଶଗଡ ସହ ହୋଇଥିବା ଚୁକ୍ତି ଅନୁଯାୟୀ, ଏଠାରୁ ଗ୍ରୀଡକୋ ଜରିଆରେ ଛତିଶଗଡ଼ ରାଜ୍ୟ ବିଦ୍ୟୁତ୍ ବିତରଣ କଂପାନି ଲିମିଟେଡ୍ (ସିଏସ୍ପିଡିସିଏଲ୍)କୁ ବାର୍ଷିକ ୧୬ ମିଲିଅନ୍ ୟୁନିଟ୍ ବିଦ୍ୟୁତ୍ ଯୋଗାଣ ହୋଇଆସୁଛି । ତେବେ, ଗ୍ରୀଡକୋକୁ ଯେଉଁ ଦରରେ ହୀରାକୁଦ ଜଳ ବିଦ୍ୟୁତ୍ ପ୍ରକଳ୍ପ କର୍ତ୍ତୃପକ୍ଷ (ଏଚ୍ଏଚ୍ଇପି) ବିକ୍ରି କରୁଛନ୍ତି, ସେହି ଦରରେ ସିଏସ୍ପିଡିସିଏଲ୍କୁ ବିଜୁଳି ଦେବାକୁ ଛତିଶଗଡ ଦାବି କରିଥିଲା। ଆଉ ଏହି ଦାବିକୁ ପୂର୍ଣ୍ଣ ମାତ୍ରାରେ ନ ହେଲେ ବି ଓଡିଶା ସରକାର ୨୦ ପଇସା ହ୍ରାସ କରିଛନ୍ତି। ଫଳରେ ଏହା ରାଜ୍ୟର ବିଦ୍ୟୁତ୍ ଗ୍ରାହକଙ୍କ ପାଇଁ ଅସନ୍ତୋଷର କାରଣ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ହୀରାକୁଦ ପ୍ରକଳ୍ପ କର୍ତ୍ତୃପକ୍ଷ ଗ୍ରୀଡକୋକୁ ୟୁନିଟ୍ ପିଛା ମାତ୍ର ୬୭ ପଇସାରେ ବିଦ୍ୟୁତ୍ ବିକ୍ରି କରିଥାନ୍ତି। ଆଉ ଗ୍ରୀଡକୋ ଏହାକୁ ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ସିଏସ୍ପିଡିସିଏଲ୍କୁ ୟୁନିଟ୍ ପିଛା ୨.୦୦୯ ପଇସା ଦରରେ ବିଦ୍ୟୁତ୍ ବିକ୍ରି କରିଥିଲା। ତେବେ, ଛତିଶଗଡର ଏହି ଦାବି ସଂକ୍ରାନ୍ତରେ ଗତ ଫେବ୍ରୁଆରୀ ୫ ତାରିଖରେ ଓଇଆର୍ସିର ବୈଠକରେ ଆଲୋଚନା ହୋଇଥିଲା।
ଛତିଶଗଡର ବ୍ୟବସାୟିକ କ୍ଷେତ୍ରକୁ ବିଦ୍ୟୁତ୍ ବିକ୍ରି କରି ଲାଭାନ୍ୱିତ ହେଉଥିବା ସିଏସ୍ପିଡିସିଏଲ୍ କଂପାନିର ଏହି ଚାଲକୁ ଓଇଆର୍ସି ହୃଦୟଙ୍ଗମ କରିଥିଲା ଓଇଆର୍ସି । ତଥାପି ଏହାର ଦାବିକୁ ଅଣଦେଖା କରିବା ପରିବର୍ତ୍ତେ ଗତ ଆର୍ଥିକ ବର୍ଷର ଦର ଠାରୁ ୨୦ ପଇସା ହ୍ରାସ କରାଯାଇଥିବା ନେଇ କମିଶନ ରାୟ ଦେଇଛନ୍ତି। ଆଉ ସେଣ୍ଟ୍ରାଲ୍ ଇଲେକ୍ଟ୍ରିସିଟି ରେଗୁଲେଟୋରି କମିଶନ (ସିଇଆର୍ସି)ର ୨୦୧୯ର ନିୟମ ଅନୁଯାୟୀ, ଏହାକୁ ୨୦ ପଇସା ହ୍ରାସ କରାଯାଇଥିବା ନେଇ ୱେବସାଇଟ୍ରୁ ମିଳିଥିବା ତଥ୍ୟରେ ସୂଚନା ଦିଆଯାଇଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି କରୋନା କାଳରେ ସାଧାରଣ ଲୋକଙ୍କ ପାଇଁ ବିଜୁଳି ଦେୟ ବୃଦ୍ଧି ବେଡି ଉପରେ କରୋଡା ମାଡ ସଦୃଶ ହୋଇଛି। ସେହିପରି ଗତ ମାର୍ଚ୍ଚରେ ବଳକା ଦେୟକୁ ବଳପୂର୍ବକ ଆଦାୟ ସହ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ଘଟଣା ଏବେ ବି ଲୋକଙ୍କ ମନରୁ ଲିଭିନାହିଁ। ଆଉ ଏଭଳି ସ୍ଥିତିରେ ଛତିଶଗଡକୁ ଅହେତୁକ ଅନୁକମ୍ପା ଗ୍ରାହକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କଲାଣି।