ରାୟଗଡ଼ା, ୧୫/୦୯: ରାୟଗଡା ଜିଲ୍ଲା ୩୨୬ ନମ୍ବର ଜାତୀୟ ରାଜପଥର କୁମ୍ଭିକୋଟା ଗାଁ ନିକଟରେ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ବିଳମ୍ବିତ ରାତ୍ରିରେ ଗୁଣୁପୁର ଠାରୁ ଜୟପୁର ଯାଉଥିବା ଗୋଲଡେନ୍ ରକ୍ ନାମକ ଘରୋଇ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏଥିରେ ୨୦ ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ରାସ୍ତାରେ ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗର୍ତ୍ତ ହୋଇଥିବା ଯୋଗୁଁ ଦୁର୍ଘଟଣା ଘଟିଛି।
ସୂଚନା ମୁତାବକ, ରବିବାର ରାତିରେ ପ୍ରବଳ ବର୍ଷା ହେଉଥିଲା। ଗୋଲଡେନ୍ ରକ୍ ନାମକ ଘରୋଇ ବସ୍ ଗୁଣୁପୁର ଠାରୁ ଜୟପୁର ଯାଉଥିଲା । ଜାତୀୟ ରାଜପଥରେ ବସ୍ଟି ଦ୍ରୁତ ଗତିରେ ଯାଉଥିବା ବେଳେ ଗୋଟିଏ ଚକା ଗାତରେ ପଡିଯିବାରୁ ବସ୍ଟି ଭାରସାମ୍ୟ ହରାଇଥିଲା। ନିୟନ୍ତ୍ରଣ ହରାଇ ଗୋଟିଏ ପାର୍ଶ୍ୱକୁ ଢଳି ଯାଇଥିଲା। ଏହି ଦୁର୍ଘଟଣାରେ ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ଏସମ୍ପର୍କରେ ଖବର ପାଇ କୁମ୍ବିକୋଟା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ସମସ୍ତେ ବିପଦମୁକ୍ତ ଥିବା ମେଡିକାଲ ସୂତ୍ରରୁ ଜଣାପଡିଛି। ଜାତୀୟ ରାଜପଥ ୩୨୬ର ଦୁରାବସ୍ଥା ଯୋଗୁଁ ପ୍ରତିଦିନ ଏଭଳି ଦୁର୍ଘଟଣା ଘଟୁଛି।ଏନେଇ ବାରମ୍ବାର ଅଭିଯୋଗ କରିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି।