ଭୁବନେଶ୍ୱର,୧୭/୦୩: ଆଇଗିଣିଆ ଛକରେ ଗତ ୧୩ ତାରିଖରେ ବସ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ ମାମଲାରେ ଖଣ୍ଡଗିରି ଥାନା ପୁଲିସ ବସ୍ ଚାଳକକୁ ଗିରଫ କରିଛି । ତାଙ୍କ ନାମ ପ୍ରଶାନ୍ତ କୁମାର ଦାସ(୩୭) । ଘର ନୟାଗଡ଼ ସଦର ଥାନା ମଙ୍ଗରାଜପୁର ।
ସୂଚନା ଅନୁଯାୟୀ, ଗତ ୧୩ ତାରିଖ ସକାଳେ ଅବସରପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ବିଜୟାଲକ୍ଷ୍ମୀ କର(୬୮) ଡୁମୁଡୁମା ଫେଜ୍-୪ରେ ରହୁଥିବା ତାଙ୍କ ଭଉଣୀଙ୍କ ଘରକୁ ଆସିଥିଲେ। ସକାଳ ୯ଟାବେଳେ ସେ ଘରକୁ ଫେରୁଥିବା ବେଳେ ଆଇଗିଣିଆ ଛକରେ ରାସ୍ତା ଅତିକ୍ରମ କରୁଥିଲେ । ଏହି ସମୟରେ ଖୋର୍ଦ୍ଧାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ ‘ଶ୍ରୀ ରଘୁନାଥ‘ ବିଜୟାଲକ୍ଷ୍ମୀଙ୍କ ଉପରେ ଚଢ଼ି ଯାଇଥିଲା । ହେଲେ ବସ୍ ଚାଳକ ନ ଅଟକି ବସ୍ ନେଇ ଦ୍ରୁତଗତିରେ ସେଠାରୁ ପଳାଇଥିଲେ । ବିଜୟାଲକ୍ଷ୍ମୀଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିଜୟଲକ୍ଷ୍ମୀଙ୍କ ଭଉଣୀଙ୍କ ବର ସୁବାସଚନ୍ଦ୍ର ତ୍ରିପାଠୀ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଦୁର୍ଘଟଣା ଘଟାଇଥିବା ବସ୍କୁ ପୁଲିସ ଜବତ କରିଥିବା ବେଳେ ଫେରାର୍ ଥିବା ଚାଳକ ପ୍ରଶାନ୍ତଙ୍କୁ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ।
ଅଧିକ ପଢ଼ନ୍ତୁ :- ରାଜଧାନୀରେ ବିଏମ୍ସି ଯୋଗାଣ ବିଭାଗର ଚଢ଼ଉ: ୯୪ ସିଲିଣ୍ଡର ଜବତ, ୨ ଦୋକାନ ସିଲ