ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କ୍ଷମା ମାଗିଛନ୍ତି ବୋଲି ସ୍ବୀକାର କରିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନୀ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ରୋନାଲ୍ଡ ରିଗାନଙ୍କ ପୁରୁଣା ଭାଷଣକୁ ବ୍ୟବହାର କରି ଟାରିଫ ବିରୋଧୀ ବିଜ୍ଞାପନ କରିଥିଲା କାନାଡା । ସେଥିପାଇଁ କାର୍ନୀ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ କ୍ଷମା ମାଗିଛନ୍ତି ।
ଦକ୍ଷିଣ କୋରିଆର ଗିଓଙ୍ଗଜୁରେ ସାମ୍ବାଦିକଙ୍କ ପ୍ରଶ୍ନରେ କାର୍ନୀ କହିଛନ୍ତି, ‘ମୁଁ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିଛି। ସେ ଅସନ୍ତୁଷ୍ଟ ଥିଲେ।’ ସେ ଏହା ମଧ୍ୟ କହିଛନ୍ତି ଯେ, ୱାଶିଂଟନ୍ ପ୍ରସ୍ତୁତ ହେଲେ ବାଣିଜ୍ୟ ଆଲୋଚନା ପୁଣି ଆରମ୍ଭ ହେବ।
ବିଜ୍ଞାପନଟି କାନାଡାର ଅଣ୍ଟାରିଓ ପ୍ରଦେଶ ସରକାରଙ୍କ ଦ୍ୱାରା ଚଲାଇଥିଲେ । ଏହାକୁ ଦେଖିବା ପରେ ଟ୍ରମ୍ପ ରାଗି ଯାଇଥିଲେ । ଫଳରେ ସେ କାନାଡା ସାମଗ୍ରୀ ଉପରେ ଅତିରିକ୍ତ ୧୦% ଶୁଳ୍କ ଘୋଷଣା କରିଥିଲେ ଏବଂ ଆମେରିକା-କାନାଡା ବାଣିଜ୍ୟ ଆଲୋଚନାକୁ ବନ୍ଦ କରି ଦେଇଥିଲେ।
ବିଜ୍ଞାପନରେ ପୂର୍ବତନ ଆମେରିକା ରାଷ୍ଟ୍ରପତି ରୋନାଲ୍ଡ ରିଗାନଙ୍କ ଶବ୍ଦ ବ୍ୟବହାର କରାଯାଇଥିଲା । ପ୍ରତ୍ୟେକ ଆମେରିକୀୟଙ୍କ ପାଇଁ ଶୁଳ୍କ କ୍ଷତିକାରକ ବୋଲି ବର୍ଣ୍ଣନା କରାଯାଇଥିଲା। ଆମେରିକା ପୂର୍ବରୁ କାନାଡା ଉପରେ ୩୫% ଶୁଳ୍କ ଲାଗୁ କରିଛି । ଅତିରିକ୍ତ ୧୦ ପ୍ରତିଶତ ଶୁଳ୍କ ସହ ଏହାକୁ ୪୫ ପ୍ରତିଶତକୁ ବୃଦ୍ଧି କରିଥିଲେ ଟ୍ରମ୍ପ । ଭାରତ ଏବଂ ବ୍ରାଜିଲ ପରେ ଏହା ସର୍ବାଧିକ ଶୁଳ୍କ।
ସେପଟେ ଟ୍ରମ୍ପଙ୍କ ପ୍ରତିକ୍ରିୟାକୁ ନେଇ କହିଛନ୍ତି, କାର୍ନୀ ମୋତେ ପସନ୍ଦ । କିନ୍ତୁ ସେ ଯାହା କରିଥିଲେ ତାହା ଭୁଲ । ବିଜ୍ଞାପନ ଲାଗି ଭୁଲ ମାଗିଲେ, କାରଣ ସେ ମିଛ କହିଥିଲେ । ସେ କହିଛନ୍ତ, ରୋନାଲ୍ଡ ରିଗାନ ଟାରିଫକୁ ପସନ୍ଦ କରୁଥିଲେ । କାନାଡା ଏହାକୁ ଓଲଟା ଭାବରେ ଦେଖାଇବାକୁ ଚେଷ୍ଟା କରିଥିଲା । ଏହା ସହ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଆଲୋଚନା ହେବନାହିଁ ବୋଲି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ।