ପ୍ରମୂଖ ଖବର
  • ICCର ଗ୍ରୀନ୍ ସିଗନାଲ: ୩୪ ଓଭର ପରେ ଗୋଟିଏ ବଲ୍, ୫ ବ୍ୟାକଅପ୍ ପ୍ଲେୟାର, କ୍ରିକେଟରେ ବଦଳିବ ନିୟମ
  • ||
  • 'ଆତଙ୍କୀ ନାରୀ ଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ, ସେମାନଙ୍କ ବିନାଶ ହେଲା': ପ୍ରଧାନମନ୍ତ୍ରୀ
  • ||
  • ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ଫ୍ରି ପବ୍ଲିକ ଟ୍ରାନ୍ସପୋର୍ଟ ସେବା ଦେବାକୁ କଂଗ୍ରେସର ଦାବି, ଜୁନ୍ ୧୦ ସୁଦ୍ଧା କାର୍ଯ୍ୟକାରୀ ନହେଲେ ଆନ୍ଦୋଳନ
  • ||
  • ଉତ୍ତରପୂର୍ବ ରାଜ୍ୟରେ ପ୍ରକୃତି କୋପ; ଘରେ ପଶିଲା ପାଣି- ବୁଡ଼ିଲା ଗାଡ଼ି, ୩ ମୃତ
  • ||
  • କରୋନା ଆତଙ୍କ; ରାଜଧାନୀରେ ପ୍ରଥମ ମୁଣ୍ଡ ନେଲା ନୂଆ ଭାରିଏଣ୍ଟ, ୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଶିଆଳି ନିକଟରେ କୂଳ ଲଙ୍ଘିଲା ସମୂଦ୍ର, ବଜାର ଏବଂ ଜନ ବନତିରେ ମାଡ଼ିଗଲା ପାଣି
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||
  • ମୟୂରଭଞ୍ଜ : ବାଙ୍ଗିରିପୋଷିରୁ ଚୋରି ଗାଡି ଝାଡଖଣ୍ଡରୁ ଉଦ୍ଧାର, ଜଣେ ଗିରଫ
  • ||
  • 'ଆମେ କଥା ହେଲୁ ଯୁଦ୍ଧ ରୋକିଲା'; ଭାରତ-ପାକିସ୍ତାନ ସିଜଫାୟାରକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ
  • ||
  • ଗଞ୍ଜାମ : ଗୁହାଳରେ ଅଗ୍ନିକାଣ୍ଡ, ୧୫ ରୁ ଉର୍ଦ୍ଧ୍ୱ ଛେଳି ଏବଂ ମେଣ୍ଢା ଜୀବନ୍ତ ଦଗ୍ଧ
  • ||
  • ଟ୍ରମ୍ପଙ୍କ ବଡ଼ ଘୋଷଣା; ଚୀନ୍‌ ଷ୍ଟିଲ ଉପରେ ଡବଲ୍ ଟାରିଫ୍‌, ଜୁନ୍‌ ୪ରୁ ଲାଗୁ
  • ||
  • ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ, ଆଜି ରାତି ୧୦ଟାରେ ଶୀତଳ ଷଷ୍ଠୀ ଶୋଭାଯାତ୍ର
  • ||
  • କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି, ବେକରେ ଫାଶୀ ଲଗାଇ ଝୁଲିପଡ଼ିଲେ ଦମ୍ପତି
  • ||
  • ଦୁର୍ବଳ ହେଉଛି ଅବପାତ: ଆଜି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସପ୍ତାହେ ଯାଏ ବିଶେଷ ବର୍ଷା ନାହିଁ
  • ||

ଜାତି ବୋଝ

Published By : Prameya | May 30, 2025 2:30 PM

www.business-standard.com

୧୯୩୧ ଜାତି ଗଣନା ବେଳେ ଲୋକଙ୍କ  ଭିତରେ ଏକ ଭ୍ରାନ୍ତଧାରଣା ସୃଷ୍ଟିହେଲା  ଯେ, ଜାତି କହିଲେ ସରକାରୀ  ଚାକିରି ଓ ସମାଜରେ ଉଚ୍ଚ ଜାତିର  ମାନ୍ୟତା ମିଳିବ । ଫଳସ୍ୱରୂପ,  ସରକାରୀ ରିପୋର୍ଟ ଅନୁଯାୟୀ, ପୂର୍ବର  ଆଦିବାସୀ କେଉଁଠି ବ୍ରାହ୍ମଣ ତ ଆଉ  କେଉଁଠି ରାଜପୁତ ପରିଚୟ ଦେଲେ ।

ଆଗାମୀ ଜନଗଣନା ସମୟରେ ଜାତି ମଧ୍ୟ ଗଣାଯିବ ।  ସରକାରଙ୍କ ନିଷ୍ପତ୍ତିକୁ ପ୍ରାୟ ସବୁ ରାଜନୈତିକ  ଦଳ ସ୍ୱାଗତ କରିଛନ୍ତି । ଏକ ବିରଳ ବ୍ୟତିକ୍ରମ ନିଶ୍ଚୟ?  ହୁଏତ ସେହି କାରଣରୁ ଜାତି ପ୍ରସଙ୍ଗ ସାଧାରଣରେ ତୀବ୍ର  ବିତର୍କର ସୂତ୍ରପାତ କରିଛି । ସମର୍ଥକଙ୍କ ମତ, ଜାତି  ଗଣନା ଆଧାରରେ ‘ଅନ୍ୟ ପଛୁଆ ବର୍ଗ'ର (ଓବିସି)  ଲୋକେ ସଂରକ୍ଷଣ ସୁବିଧା ପାଇବେ, ସମାଜ ଆର୍ଥିକ  କ୍ଷେତ୍ରରେ ସଶକ୍ତ ହେବ । ବିରୋଧୀମାନେ ପୂର୍ବ ୟୁପିଏ  ସରକାର କରିଥିବା ନିଷ୍ଫଳ ଜାତି ଗଣନାର ଉଦାହରଣ  ଦେଇ ପୁଣି ସେହି ଉଦ୍ୟମକୁ ଅବାସ୍ତବ, ଅଦୂରଦର୍ଶୀ ଓ  ରାଜନୈତିକ ସ୍ୱାର୍ଥପ୍ରେରିତ ବୋଲି କହନ୍ତି । ମନମୋହନ  ସିଂଙ୍କ ସରକାର ୨୦୧୧ ମସିହାରେ ନିଜ ଦଳ ଓ  ବିଜେପିର ଅନେକ ନେତାଙ୍କ ନାପସନ୍ଦ ସତ୍ତେ୍ୱ ସାମାଜିକ,  ଅର୍ଥନୈତିକ ଜାତି ଗଣନା କରିଥିଲେ । 

ଗଣନା ଅନୁଯାୟୀ  ଦେଶରେ ଉପଜାତି, ଗୋତ୍ର, ସମାନ ସାଙ୍ଗିଆ ଇତ୍ୟାଦି  ସମେତ ମୋଟ୍‌ ଜାତି ସଂଖ୍ୟା ୪୬.୭୩ ଲକ୍ଷରୁ ଅଧିକ ।  ତେବେ ଏହି ତଥ୍ୟ ବିଭ୍ରାନ୍ତିକର (୮୧,୯୫୮,୩୧୪ଟି  ତ୍ରୁଟି) ଦର୍ଶାଇ ପ୍ରତିବାଦ ହେବାରୁ ସରକାର ସାର୍ବଜନୀନ  କଲେନାହିଁ । ଏହା ସତ୍ତେ୍ୱ କେଉଁ କାରଣରୁ  ଏବେ ହଠାତ୍‌ ୧୪୦କୋଟି ଲୋକଙ୍କ ଜାତି  ଜାଣିବାର ଆବଶ୍ୟକତା ପଡ଼ିଲା ତାହା  ଜଣାନାହିଁ । ବର୍ତ୍ତମାନ ସମସ୍ତଙ୍କ ଦୃଷ୍ଟି  ଆତଙ୍କବାଦୀଙ୍କ ଦେଶ ପାକିସ୍ତାନ ଉପରେ  ନିବଦ୍ଧ । ଏମିତି ସମୟରେ ଜାତି ଗଣନା ଭଳି  ଏକ ସମ୍ବେଦନଶୀଳ ବିଷୟରେ ସରକାରଙ୍କ  ଅକସ୍ମାତ ନିଷ୍ପତ୍ତି ସମସ୍ତଙ୍କୁ ଆଚମ୍ବିତ କରିଛି । ଅବଶ୍ୟ  ଆସନ୍ତା ଜାତି ଜନଗଣନା କେବେ ହେବ ତାହା ଏବେ  ବି ଅସ୍ପଷ୍ଟ । ୨୦୨୧ ଜନଗଣନା କୋଭିଡର ହାହାକାର  ପରିସ୍ଥିତିରେ ବାତିଲ ହୋଇଯାଇଥିଲା । 

ଜାତି ଇତିହାସ ଯେତିକି ବିବଦମାନ ସେତିକି  କଳଙ୍କିତ, ରକ୍ତଭିଜା । ଜାତି କାରଣରୁ କେତେ ପରିବାର  ଉଜୁଡ଼ିଛି, କେତେ ମହିଳାଙ୍କ ମୁଣ୍ଡରୁ ସିନ୍ଦୂର ଲିଭିଛି ତା'ର  ହିସାବ ନାହିଁ । ଏକବିଂଶ ଶତାବ୍ଦୀରେ ଜାତିର ପ୍ରାଧାନ୍ୟ  ଗୌଣ ହୋଇଥିଲେ ମଧ୍ୟ ନିର୍ମୂଳ ନିର୍‌ ହୋଇନି । ଆମ ଜିନ୍‌ରେ ଜାତି ଏମିତି ବସାବାନ୍ଧି ରହିଛି ଯେ ‘ଅପରେସନ  ସିନ୍ଦୂର'ର ସଫଳତାକୁ ଆମେ ଜାତି ଯବକାଚରେ  ଦେଖିବାକୁ ଲଜ୍ଜାବୋଧ କରୁନାହୁଁ । ଚାଣକ୍ୟଙ୍କ  ‘ଅର୍ଥଶାସ୍ତ୍ର' (ଖ୍ରୀଷ୍ଟପୂର୍ବ ୩୨୧-୨୯୬) ସମ୍ରାଟ ଚନ୍ଦ୍ରଗୁପ୍ତ  ମୌର୍ଯ୍ୟଙ୍କୁ ଭାରତରେ ଜନଗଣନାର ଶ୍ରେୟ ଦିଏ ।  କିନ୍ତୁ ଜାତି ଗଣନାର ମୂଳଦୁଆ ପଡ଼େ ଇଂରେଜ ଶାସନ  ସମୟରେ, ୧୮୦୦ ମସିହାରୁ ବଡ଼ ସହରରୁ ଆରମ୍ଭ  ହୋଇ ୧୮୮୧ ସୁଦ୍ଧା ସାରା ଦେଶରେ ହେଲା । କିନ୍ତୁ ଜନ  ଗଣିବା ଇଂରେଜଙ୍କ ପ୍ରାଥମିକତା ନଥିଲା, ମୁଖ୍ୟ ଏଜେଣ୍ଡା  ଥିଲା ଲୋକଙ୍କ ଦୁର୍ବଳତାକୁ ଚିହ୍ନଟ କରିବା । ଭାରତୀୟଙ୍କ  ମଧ୍ୟରେ ଭାରତୀୟତାର ଅଭାବ ଏବଂ ପରସ୍ପର ଶତ୍ରୁତା  ଯୋଗୁଁ ବ୍ୟବସାୟ କରିବାକୁ ଆସି ସେମାନେ ଅଖଣ୍ଡ  ଭାରତର ଶାସକ ହେଲେ ବୋଲି ଜାଣିଥିଲେ । ତେଣୁ  ମୂଳ ଉଦ୍ଦେଶ୍ୟ ଥିଲା ସାମାଜିକ ବିଦ୍ୱେଷକୁ ବଞ୍ଚେଇ ରଖି  ନିଜ ଶାସନକୁ ମଜଭୁତ ରଖିବା । ସେଥିପାଇଁ ସେମାନେ  ଯାବତୀୟ ନିୟମ ଓ ଯୋଜନା କାର୍ଯ୍ୟକାରୀ କରିଥିଲେ ।  

ଜନଗଣନା ସେହି ବୃହତ୍‌ ଯୋଜନାର ଅଂଶବିଶେଷ ।  ୧୮୮୧ରୁ ୧୯୩୧ ପର୍ଯ୍ୟାୟକ୍ରମେ ସବୁ ଥର ଲୋକ ଗଣତି  ସହିତ ସମାନ୍ତରାଳ ଭାବରେ ଧର୍ମ, ଜାତି, ବୃତ୍ତି, ବୟସ,  ଲିଙ୍ଗ, ଭାଷା, ବୈବାହିକ ସ୍ଥିତି, ରୋଜଗାର ସମ୍ବନ୍ଧୀୟ  ତଥ୍ୟ ସଂଗ୍ରହ ଉପରେ ଗୁରୁତ୍ୱ ଦିଆଯାଉଥିଲା, ଯେମିତିକି  ୧୮୮୧ରେ ‘ବର୍ଣ୍ଣ', ୧୮୯୨ରେ ‘ବୃତ୍ତି' ଇତ୍ୟାଦି ।  ସାମାଜିକ ଉତ୍ତେଜନାକୁ କାୟମ ରଖିବା ଲକ୍ଷ୍ୟରେ ବ୍ରିଟିଶ  ସରକାର ବିଭିନ୍ନ ଜାତି ଓ ଅସ୍ପୃଶ୍ୟ କୁହାଯାଉଥିବା ଲୋକଙ୍କୁ  ଗୋଷ୍ଠୀ ଗଢ଼ିବାକୁ ପ୍ରୋତ୍ସାହିତ କରୁଥିଲେ । ଅନେକ  ପାଶ୍ଚାତ୍ୟ ଗବେଷକଙ୍କ ମତରେ ଜନ୍ମଜାତି ତଥ୍ୟ  ଲୋକଙ୍କ ଭିତରେ ଉଚ୍ଚ-ନୀଚ ଭାବନାକୁ ତୀବ୍ର କରିବା  ଯୋଜନାରେ ବ୍ୟବହୃତ ହେଉଥିଲା । ସେ ସମୟରେ  ବ୍ରାହ୍ମଣବିରୋଧୀ ଆନ୍ଦୋଳନ ଏହାର ନମୁନା । ଗଭର୍ଣ୍ଣର  ଜେନେରାଲ ଓ ଭାଇସରାୟ (୧୮୮୪-୧୮୮୮)  ଲର୍ଡ ଡୁଫ୍ରିନଙ୍କ ମନ୍ତବ୍ୟରୁ ଜନଗଣନାର ଲୁକ୍କାୟିତ  ଏଜେଣ୍ଡାର ସୂଚନା ମିଳେ । "ଭାରତରେ ଅନେକ ଜାତି ଓ  ମୁସଲମାନଙ୍କ ଉପସ୍ଥିତି ନିଶ୍ଚିତ ଆମ ଶାସନକୁ ଚଳେଇ  ରଖିବାରେ ବହୁତ ସହାୟକ ହୋଇଛି’ । 

ଜନଗଣନାର ପ୍ରକୃତ ଉଦ୍ଦେଶ୍ୟ ନିଃସନ୍ଦେହୀ  ଭାରତୀୟମାନେ ଜାଣି ପାରୁନଥିଲେ । ଶୋଷଣମୁଖୀ  ଶାସନ ବ୍ୟବସ୍ଥାରେ ମିଛ ବ୍ୟତୀତ ସତ ଖବର ଜାଣିବାର  ବାଟ ବି ନଥିଲା? ୧୯୩୧ ଜାତି ଗଣନା ବେଳେ ଲୋକଙ୍କ  ଭିତରେ ଏକ ଭ୍ରାନ୍ତଧାରଣା ସୃଷ୍ଟିହେଲା ଯେ, ଜାତି  କହିଲେ ସରକାରୀ ଚାକିରି ଓ ସମାଜରେ ଉଚ୍ଚ ଜାତିର  ମାନ୍ୟତା ମିଳିବ । ଫଳସ୍ୱରୂପ, ସରକାରୀ ରିପୋର୍ଟ  ଅନୁଯାୟୀ, ପୂର୍ବର ଆଦିବାସୀ କେଉଁଠି ବ୍ରାହ୍ମଣ ତ ଆଉ  କେଉଁଠି ରାଜପୁତ ପରିଚୟ ଦେଲେ । ଅନେକ ସ୍ଥାନରେ  ଲୋକେ ପରମ୍ପରା ଉଦ୍ଭାବନ କରି ନିଜକୁ ଶୁଣାନଥିବା  ଜାତି ଦାବି କଲେ ଏବଂ ସେହି ଅନୁସାରେ ରେକର୍ଡଭୁକ୍ତ  ହେବାକୁ ସରକାରଙ୍କୁ ଦରଖାସ୍ତ ଦେଲେ । ସ୍ଥିତି ଦେଖି  ସେନ୍‌ସସ୍‌ କର୍ମଚାରୀମାନେ ମଧ୍ୟ ଭିକାରି, ଯାଯାବର,  ଦାଦନ ଶ୍ରମିକ ଇତ୍ୟାଦି ଶ୍ରେଣୀର ଲୋକଙ୍କୁ ମନଇଚ୍ଛା  ନାଁ ଦେଇ ନୂଆ ଜାତି ସୃଷ୍ଟିକଲେ । ‘ଚଣ୍ଡାଳ' ସେମିତି  ଏକ ଜାତି । ରିପୋର୍ଟ ଅନୁଯାୟୀ, ପୂର୍ବରୁ ଏମାନେ ମାଛ  ଧରୁଥିଲେ, ଡଙ୍ଗା ବୁହାଉଥିଲେ ଏବଂ ଚାଷ କରୁଥିଲେ । ଅଜ୍ଞାତରେ ମିଳିଥିବା ଚଣ୍ଡାଳ ଆଖ୍ୟା ସେମାନଙ୍କୁ ଏତେ  ଦୁଃଖୀ କରିବ ବୋଲି ସେମାନେ କଳ୍ପନା କରିନଥିବେ । ସନ୍ଦେହଘେରରେ ଥିବା ଜାତିଙ୍କ ସଂଖ୍ୟା ବେଶ୍‌ ଲମ୍ବା  ଯଥା- ଗୌଡ଼ୀୟ ସାରସ୍ୱତ ବ୍ରାହ୍ମଣ, ନାମଧାରୀ, ଯାଦବ  ସାଙ୍ଗିଆ ଲେଖୁଥିବା ଅହୀର, ଗୋପ, ଅହର, ଗୋଆଲା,  ବିଶ୍ୱକର୍ମା ଇତ୍ୟାଦି । 

ଜାତି ଏକ ବିଷ ବୃକ୍ଷ । ସୁନାର ଭ୍ରମ ସୃଷ୍ଟି  କରୁଥିବା ଇମିଟେସନ ଗହଣା । ଜାତି କେବଳ ନେତାଙ୍କ  ରାଜନୈତିକ ଅସ୍ତ୍ର ରୂପେ ବ୍ୟବହୃତ ହେବା ବ୍ୟତୀତ  ସାଧାରଣ ଲୋକଙ୍କର ଉନ୍ନତିରେ ଆଖିଦୃଶିଆ କିଛି  କାମରେ ଆସିବାର ନଜିର ନାହିଁ । ବରଂ ଜାତିଆଣ  ଚିନ୍ତାଧାରା ଉଗ୍ର ଆଞ୍ଚଳିକତାବାଦ, ପାରସ୍ପରିକ ବିଦ୍ୱେଷ,  ଶତ୍ରୁତା ଓ ରୁଗ୍‌ଣ ମାନସିକତାକୁ ଇନ୍ଧନ ଦେଇଛି । ଜାତିକୁ  କେନ୍ଦ୍ର କରି ଅନେକ ଦୁଃଖଦ ଘଟଣାର ଆମେ ସମସ୍ତେ  ମୂକସାକ୍ଷୀ । ସଫଳତାର ଶ୍ରେୟ ଜାତିକୁ ମିଳେନାହିଁ,  କିନ୍ତୁ ଅପରାଧିକ କାର୍ଯ୍ୟ କଲେ ଜାତିକୁ କଷ୍ଟ ଭୋଗିବାକୁ  ପଡ଼େ । କ୍ରିକେଟରେ ବିରାଟ କୋହଲି ଅବା ରୋହିତ  ଶର୍ମାଙ୍କ ସଫଳତାର ଶ୍ରେୟ ସେମାନଙ୍କ ଜାତିକୁ ଯାଏନି । କିନ୍ତୁ ନାଥୁରାମ ଗଡ୍‌ସେଙ୍କ ଗୁଳିରେ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ପରେ ବ୍ରାହ୍ମଣମାନଙ୍କୁ ନିର୍ଯାତନା ଭୋଗିବାକୁ  ପଡ଼ିଲା । ଅନ୍ୟ ଜାତିର ଲୋକେ ସେମାନଙ୍କୁ ସାଧାରଣରେ ମରଣାନ୍ତକ ଆକ୍ରମଣ କଲେ, ଘର ପୋଡ଼ିଦେଲେ,  ସାମାଜିକ ବାସନ୍ଦ କଲେ ଓ ଅନେକ ଭୟରେ ଭିଟାମାଟି  ଛାଡ଼ିବାକୁ ବାଧ୍ୟ ହେଲେ । ବାସ୍ତବତା ଯଦିଓ ସମ୍ପୂର୍ଣ୍ଣ ଭିନ୍ନ ।  ଗାନ୍ଧୀଙ୍କ ହତ୍ୟା ପାଇଁ ଗଡ୍‌ସେଙ୍କ ଜାତି କାରଣ ନଥିଲା,  କିମ୍ବା ମହାରାଷ୍ଟ୍ରରେ ବ୍ରାହ୍ମଣଙ୍କ ସହ ଗାନ୍ଧୀଙ୍କ ଶତ୍ରୁତା  ନଥିଲା । ସହରଠୁଁ ଗାଁ, ବଜାରଠୁଁ ବିଲ, ଘରଠୁଁ ଅଫିସ୍‌,  ଜାତି ସବୁଠି ବାଧକ । ଜାତି ହଳାହଳର ଭୟଙ୍କର  ପରିଣତି ବିଭିନ୍ନ ରାଜ୍ୟରେ ସଂଘଟିତ ହିଂସାକାଣ୍ଡ,  ଗଣହତ୍ୟା, ଗୃହଦାହ, ଜମି ଜବରଦଖଲ ଘଟଣାରୁ  ଜଣାପଡ଼େ । 

୧୯୯୨ ଫେବ୍ରୁଆରୀ: ବିହାରର ଗୟା ଜିଲ୍ଲାର  ବାରା ଗ୍ରାମରୁ ଭୂମିଆର ଜାତିର ୩୫ଜଣ ଅପହରଣ  ହୋଇଯାନ୍ତି । ଏହାପରେ ସେମାନଙ୍କ ହାତ ଗୋଡ଼  ଖୁଣ୍ଟରେ ବାନ୍ଧି ସମସ୍ତଙ୍କ ତଣ୍ଟି କାଟି ଅପହରଣକାରୀମାନେ  ଫେରାର ହୋଇଯାନ୍ତି । 

୧୯୯୧ ଅଗଷ୍ଟ: ଆନ୍ଧ୍ର ପ୍ରଦେଶର ସୁନ୍ଦୁରୁ ଗ୍ରାମ  ନିକଟସ୍ଥ ସିନେମା ହଲ୍‌ରେ କୌଣସି କାରଣରୁ ଦଳିତ  ଜାତିର ଜଣେ ଯୁବକଙ୍କ ଗୋଡ଼ ରେଡ୍‌ଡି ଜାତିର ଜଣେ  ଯୁବତୀଙ୍କ ଗୋଡ଼ରେ ବାଜିଯାଏ । ଯୁବକଙ୍କୁ କିଛି ଲୋକ  ନିସ୍ତୁକ ପିଟନ୍ତି । ଝଗଡ଼ା ଗାଁରେ ପହଞ୍ଚେ ଓ ସ୍ଥିତି କ୍ରମେ  ଯୁଦ୍ଧର ରୂପ ନିଏ ଏବଂ ଆକ୍ରମଣରେ ୮ଜଣ ଦଳିତଙ୍କ  ମୃତ୍ୟୁ ହୁଏ । 

୨୦୦୦ ମାର୍ଚ୍ଚ: କୋଲାର ଜିଲାର କାମ୍ବଲାପାଲ୍ଲୀ ଗାଁରେ  ଦଳିତ ଓ ଉଚ୍ଚ ଜାତିର ରେଡ୍ଡୀଙ୍କ ମଧ୍ୟରେ ଲାଗିଥିବା  ଝଗଡ଼ାର ଦୁଃଖଦ ପରିଣତି ଘଟେ । ଦୁର୍ବୁତ୍ତମାନେ ୭ଜଣ  ଦଳିତଙ୍କୁ ଗୋଟିଏ ଘରେ ବନ୍ଦ କରି ନିଆଁ ଲଗାଇଦେବା  ଫଳରେ ସେମାନେ ସମସ୍ତେ ଜୀବନ୍ତ ପୋଡ଼ି ମରିଯାନ୍ତି । 

ଦିନ ଥିଲା, ଜାତି ସାମାଜିକ ପ୍ରତିଷ୍ଠାର ମାପଦଣ୍ଡ ଥିଲା ।  ବ୍ୟକ୍ତିର ଅନ୍ତର୍ନିହିତ ମୌଳିକ ଗୁଣବତ୍ତାର ମୂଲ୍ୟାୟନ  ଜ୍ଞାନ, ଦକ୍ଷତା, ସମ୍ବେଦନଶୀଳତା, ତ୍ୟାଗ ଆଧାରରେ  ଯେ ହୋଇପାରେ ତାହା କ୍ଷୀଣ ଦୃଷ୍ଟ, କୁସଂସ୍କାର ପୀଡ଼ିତ  ସମାଜର ଚେତନାରୁ ପ୍ରାୟ ଲିଭିଯାଇଥିଲା। ଏକବିଂଶ  ଶତାବ୍ଦୀର ଦୁନିଆ ଭିନ୍ନ । ଆଧୁନିକତାର ଆବରଣ  ଭିତରେ ଜାତିର ମୃତ୍ୟୁ ହୋଇନାହିଁ ସତ, କିନ୍ତୁ ଏ ସମୟ  ଜାତି ଯୁଦ୍ଧ ସପକ୍ଷରେ ବି ନୁହେଁ । ଜମି, ସୁନା ବଦଳରେ  ଶିକ୍ଷା ଓ ଜ୍ଞାନ ଏବେ ସାମାଜିକ ପ୍ରତିଷ୍ଠାର ପ୍ରତୀକ ।  ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ସମ୍ବିଧାନ  ପ୍ରଣୟନ ସଭାଠାରୁ ନିଜ ସରକାର ପର୍ଯ୍ୟନ୍ତ ଜାତି ଗଣନା  ଓ ସଂରକ୍ଷଣକୁ ବରାବର ବିରୋଧ କରୁଥିଲେ । ଏହାର  ଅର୍ଥ ନୁହେଁ, ସେ ପଛୁଆ ବର୍ଗ ଲୋକଙ୍କ ବିରୋଧୀ ଥିଲେ ।  

ସେ ଜାଣିଥିଲେ ଦେଶର ତିନି-ଚତୁର୍ଥାଂଶରୁ ଅଧିକ ଲୋକ  ଓବିସି ସମ୍ପ୍ରଦାୟର, ସେମାନଙ୍କ ମଧ୍ୟରେ ଅନେକଙ୍କ  ଆୟ ଦଳିତଙ୍କଠାରୁ ଢେର୍‌ କମ୍‌ । ଗରିବ, ଅବହେଳିତ  ଲୋକଙ୍କ ସାମାଜିକ ଓ ଆର୍ଥିକ ଉନ୍ନତି ସରକାରଙ୍କ ପାଇଁ  ସମ୍ବିଧାନ ନିର୍ଦ୍ଦେଶିତ (ଧାରା ୩୪୦) ଦାୟିତ୍ୱ । ସେଥିପାଇଁ  ସେ ‘କାକା କାଲେକାର କମିଶନ' ଗଠନ କରି ୨୩୯୯  ଓବିସି ଶ୍ରେଣୀର ଲୋକଙ୍କୁ ଚିହ୍ନଟ କରିଥିଲେ । କିନ୍ତୁ  ଜାତି ନୁହେଁ ଶିକ୍ଷା ହିଁ ସମସ୍ୟାର ସମାଧାନ ଏବଂ ସମୃଦ୍ଧ  ଦେଶ ଗଢ଼ିବାକୁ ସଂରକ୍ଷଣ ନୁହେଁ ଦକ୍ଷତା ଆବଶ୍ୟକ,  ଏ ବିଶ୍ୱାସରୁ ନେହେରୁ କେବେ ବି ଓହରିନଥିଲେ ।  ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି ଯୋଗ୍ୟତାକୁ ପ୍ରାଧାନ୍ୟ  ଦେବାକୁ ସେ ପରାମର୍ଶ ଦେଇଥିଲେ । ସର୍ଦ୍ଦାର ପଟେଲଙ୍କ  ଦୃଷ୍ଟିକୋଣ ମଧ୍ୟ ସମାନ ଥିଲା । ତାଙ୍କର ଆଶଙ୍କା ଥିଲା  ଜାତି ଉପରେ ଅଧିକ ଗୁରୁତ୍ୱ ଦେଲେ ଭାରତ ବିଶ୍ୱରେ  ଏକ ଜାତିସର୍ବସ୍ୱ ରାଷ୍ଟ୍ରଭାବେ ବଦନାମ ହେବ ।

ଜାତି ଗଣନା ପକ୍ଷରେ କହିବାର ଦୃଷ୍ଟାନ୍ତ ନଥିବା  ବିଜେପି ଦୃଷ୍ଟିରେ ସମୁଦାୟ ଜାତି ‘ଧନୀ, ଗରିବ'ରେ  ସୀମିତ । ସ୍ୱାଧୀନ ଭାରତରେ ବିଭିନ୍ନ ଜନକଲ୍ୟାଣ  ଯୋଜନାର ଲାଭାର୍ଥୀ ଚୟନ ଗରିବୀ ଆଧାରରେ ସ୍ଥିର  ହୁଏ । ଏଥିରୁ ଜାତି ଗଣନାର ଅନାବଶ୍ୟକତା ସ୍ପଷ୍ଟ  ଅନୁମେୟ । ଜୁଲାଇ ୨୦, ୨୦୨୧ରେ ପାର୍ଲିଆମେଣ୍ଟରେ  ଗୃହ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଦଳିତ, ଆଦିବାସୀଙ୍କ ବ୍ୟତୀତ  ଆଉ କୌଣସି ଜାତି ଗଣନା ନକରିବା ସରକାରଙ୍କ ନିଷ୍ପତ୍ତି  ବୋଲି କହିଥିଲେ । ସେହିବର୍ଷ ସୁପ୍ରିମ କୋର୍ଟକୁ ସରକାର  ଜାତି ଗଣନା କରିବା ପ୍ରଶାସନ ପାଇଁ ଅସୁବିଧାଜନକ  ବୋଲି ଆଫିଡେଭିଟ ଜରିଆରେ ଜଣେଇଥିଲେ । ତେବେ  ଆସନ୍ତା ବିହାର ବିଧାନସଭା ନିର୍ବାଚନର ୬ମାସ ପୂର୍ବରୁ  ବିଜେପି ନୀତିର ପଶ୍ଚାତ୍‌ଗତିର ପ୍ରକୃତ କାରଣ ହୁଏତ  ଆଗକୁ ଜଣା ପଡ଼ିପାରେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.