ନୂଆଦିଲ୍ଲୀ, ୬।୬: ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ଉତ୍ତରଖାତାର ପୁନଃର୍ମୂଲ୍ୟାୟନ କୁ ନେଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଏକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ସୁରକ୍ଷା ସମ୍ବନ୍ଧୀୟ ଚିନ୍ତା ଏବଂ ଗୁପ୍ତତା ବଜାୟ ରଖିବା ପାଇଁ ବୋର୍ଡ ‘Coempt Edu Teck’ର OnMark ପ୍ଲାଟଫର୍ମକୁ ପୁନର୍ମୂଲ୍ୟାୟନ ପ୍ରକ୍ରିୟାରୁ ବାଦ୍ ଦେଇଛି । ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ଖାତା ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ ସିବିଏସ୍‌ଇ ର ନିଜସ୍ୱ ପୋର୍ଟାଲ୍ ଜରିଆରେ କରାଯିବ । ଏହି ପ୍ରକ୍ରିୟା ଆସନ୍ତା ସପ୍ତାହରୁ ଆରମ୍ଭ ହେବାର ସମ୍ଭାବନା ରହିଛି ।

ଟେକ୍ନିକାଲ୍ ସମସ୍ୟା ଓ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ପରେ ନିଷ୍ପତ୍ତି:

ସୂଚନାଯୋଗ୍ୟ ଯେ, ସିବିଏସ୍‌ଇ ଚଳିତ ବର୍ଷ ପ୍ରାୟ ୧ କୋଟି ଉତ୍ତରଖାତାର ମୂଲ୍ୟାୟନ ପାଇଁ ‘OnMark’ ଡିଜିଟାଲ୍ ସିଷ୍ଟମର ସହାୟତା ନେଇଥିଲା । କିନ୍ତୁ, ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଅନେକ ଛାତ୍ରଛାତ୍ରୀ ମୂଲ୍ୟାୟନରେ ତ୍ରୁଟି ଏବଂ ବୈଷୟିକ ସମସ୍ୟା ନେଇ ଅଭିଯୋଗ କରିଥିଲେ । ଏହାକୁ ଗମ୍ଭୀରତାର ସହ ନେଇ ବୋର୍ଡ ପକ୍ଷରୁ ମାମଲାର ଯାଞ୍ଚ ଏବଂ ବୈଷୟିକ ସମୀକ୍ଷା ଆରମ୍ଭ କରାଯାଇଥିଲା । ସୂତ୍ର ଅନୁସାରେ, ପୁନର୍ମୂଲ୍ୟାୟନ ଭଳି ଏକ ସମ୍ବେଦନଶୀଳ ପ୍ରକ୍ରିୟାକୁ ବୋର୍ଡ ନିଜ ନିୟନ୍ତ୍ରଣରେ ରଖିବା ସବୁଠାରୁ ସୁରକ୍ଷିତ ବୋଲି ଭାବିଛି । ସେଥିପାଇଁ ଛାତ୍ରଛାତ୍ରୀ ଓ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ଡାଟାକୁ CBSE ର ସିଧାସଳଖ ନିୟନ୍ତ୍ରଣରେ ଥିବା ସର୍ଭରକୁ ସ୍ଥାନାନ୍ତର କରାଯାଇଛି । ତେବେ ସଫ୍ଟୱେରକୁ ସମ୍ପୂର୍ଣ୍ଣ ରୂପେ ବଦଳାଯାଇ ନାହିଁ । ‘OnMark’ର କୋଡ୍‌କୁ ସୁରକ୍ଷା ଦୃଷ୍ଟିରୁ ସୁଧାର କରାଯାଇ ଏବଂ ପରୀକ୍ଷଣ ପରେ CBSE ର ନିଜସ୍ୱ ଇନଫ୍ରାଷ୍ଟ୍ରକଚରରେ ପରିଚାଳନା କରାଯାଉଛି ।

ସୁରକ୍ଷା ଦାୟିତ୍ୱରେ IIT କାନପୁର ଏବଂ ମାନ୍ଦ୍ରାଜର ବିଶେଷଜ୍ଞ ଟିମ୍:

ଏହି ସମଗ୍ର ବୈଷୟିକ ସଙ୍କଟର ସମାଧାନ ପାଇଁ ଏବଂ ସିବିଏସ୍‌ଇ କୁ ସହାୟତା କରିବା ପାଇଁ IIT କାନପୁର ଏବଂ IIT ମାନ୍ଦ୍ରାଜର ବିଶେଷଜ୍ଞମାନଙ୍କୁ ନେଇ ଏକ ୪ ଜଣିଆ ଟିମ୍ ଗଠନ କରାଯାଇଛି । ଏହି ଟିମ୍‌ରେ ସାଇବର ସୁରକ୍ଷା, କମ୍ପ୍ୟୁଟର ସିଷ୍ଟମ୍ ଏବଂ ପରୀକ୍ଷା ପ୍ରକ୍ରିୟା ସହ ଜଡ଼ିତ ବିଶେଷଜ୍ଞ ରହିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଏହି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡ଼ିକୁ ବୈଷୟିକ ସହାୟତା ପାଇଁ ସାମିଲ କରାଯାଇଛି ।

ଦିଲ୍ଲୀ ପୁଲିସରେ ସାଇବର ଆକ୍ରମଣର ଅଭିଯୋଗ:

CBSE ର ପୋଷ୍ଟ-ରେଜଲ୍ଟ ସର୍ଭିସେସ୍ ପୋର୍ଟାଲ୍ ଉପରେ ଗତ କିଛି ଦିନ ହେବ କ୍ରମାଗତ ସାଇବର ଆକ୍ରମଣ ହୋଇଥିବା ନେଇ ବୋର୍ଡ ପକ୍ଷରୁ ଦିଲ୍ଲୀ ପୁଲିସରେ ଏକ ଆନୁଷ୍ଠାନିକ ଅଭିଯୋଗ ଦାୟର କରାଯାଇଛି । ବୋର୍ଡ କହିଛି ଯେ, ସେବା ବାଧାପ୍ରାପ୍ତ କରିବା ଏବଂ ତଥ୍ୟ ଚୋରି ଉଦ୍ଦେଶ୍ୟରେ ଏହି ଆକ୍ରମଣ ହୋଇଥିଲା । କିନ୍ତୁ ଠିକ୍ ସମୟରେ ଏହାକୁ ରୋକାଯାଇଥିବାରୁ କୌଣସି ଡାଟା ଲିକ୍ ହୋଇନାହିଁ କିମ୍ବା ସିଷ୍ଟମର କ୍ଷତି ହୋଇନାହିଁ ।

​​​​​​​

ଜୁନ୍ ୭ ପର୍ଯ୍ୟନ୍ତ ଆବେଦନ କରିପାରିବେ ଛାତ୍ରଛାତ୍ରୀ:

ଯେଉଁ ଛାତ୍ରଛାତ୍ରୀମାନେ ମେ ୨୦ ରୁ ୨୫ ତାରିଖ ମଧ୍ୟରେ ନିଜ ଉତ୍ତରଖାତାର ସ୍କାନ୍ କପି ପାଇଁ ଆବେଦନ କରିଥିଲେ, ସେମାନେ ଜୁନ୍ ୭ ତାରିଖ ସୁଦ୍ଧା ପ୍ରଶ୍ନ ଭିତ୍ତିକ ଆପତ୍ତି ଦାଖଲ କରିପାରିବେ । ସାଇବର ସୁରକ୍ଷାକୁ କଡ଼ାକଡ଼ି କରିବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି, ଯାହାଦ୍ୱାରା ଆଗାମୀ ଦିନରେ କୌଣସି ପ୍ରକାର ଅସୁବିଧା ବିନା ସ୍ୱଚ୍ଛତାର ସହ ପୁନଃମୂଲ୍ୟାୟନ ପ୍ରକ୍ରିୟା ଶେଷ ହୋଇପାରିବ ।

ଆହୁରି ପଢ଼ନ୍ତୁ... Khan Sir: ଅଡ଼ୁଆରେ ଲୋକପ୍ରିୟ ଶିକ୍ଷକ ଖାନ୍ ସାର୍‌ ! ବଡ଼ିଗାର୍ଡଙ୍କ ଓପନ୍ ଫାୟାରିଂ ପରେ ଖୋଜୁଛି ପୁଲିସ, ଗଠନ ହେଲା SIT