ନୂଆଦିଲ୍ଲୀ, ୯।୪: ପଶ୍ଚିମ ଏସିଆରେ ଯୁଦ୍ଧର ନିଆଁ ଥମିବାର ନାଁ ନେଉନାହିଁ । ଇରାନ ଏବଂ ତା’ର ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ ଇସ୍ରାଏଲ୍ ଏବେ ଏକ ବଡ଼ ଏବଂ ନିର୍ଣ୍ଣାୟକ ରଣନୀତି ପ୍ରସ୍ତୁତ କରିଛି । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ବୁଧବାର ସ୍ପଷ୍ଟ କରିଛନ୍ତି ଯେ, ଇରାନ ବିରୋଧରେ ଘୋଷଣା କରାଯାଇଥିବା ଦୁଇ ସପ୍ତାହର ‘ସିଜଫାୟାର’ ବା ଯୁଦ୍ଧ ବିରତି ଆଦୌ ଯୁଦ୍ଧର ଶେଷ ନୁହେଁ, ବରଂ ଏହା ଏକ ରଣନୈତିକ ପଦକ୍ଷେପ । ନେତନ୍ୟାହୁ ଏକ ଭିଡିଓ ବାର୍ତ୍ତା ଜରିଆରେ କହିଛନ୍ତି ଯେ, ଯଦି ଇସ୍ରାଏଲ୍ ସମୟ ଥାଉ ଥାଉ ‘ଅପରେସନ୍ ଗିଦୋନ ସ୍ୱୋର୍ଡ’ ଏବଂ ‘ଅପରେସନ୍ ଲାୟନ୍ ରୋର’ ଆରମ୍ଭ କରିନଥାନ୍ତା, ତେବେ ଆଜି ଇରାନ ପାଖରେ ପରମାଣୁ ଅସ୍ତ୍ର ଏବଂ ହଜାର ହଜାର ମିସାଇଲ୍ ଥାନ୍ତା । ଏହି ଅପରେସନ୍ ମାଧ୍ୟମରେ ଇସ୍ରାଏଲ୍ ଇରାନର ସାମରିକ ଶକ୍ତିକୁ ଅନେକ ବର୍ଷ ପଛକୁ ଠେଲି ଦେଇଛି ।

ଏହା ବି ପଢ଼ନ୍ତୁ... ଯୁଦ୍ଧବିରତି ପରେ ବି ଯୁଦ୍ଧ ଜାରି; ସିଜଫାୟାରର ପାର୍ଟ ନୁହେଁ ଲେବାନନ, ଇସ୍ରାଏଲର ପ୍ରଚଣ୍ଡ ହମଲାରେ ଶତାଧିକ ମୃତ

ବେଞ୍ଜାମିନ୍ ନେତନ୍ୟାହୁ କହିଛନ୍ତି, "ଆମେ ଇରାନର କେବଳ ମିସାଇଲ୍ ନୁହେଁ, ବରଂ ସେଗୁଡ଼ିକୁ ତିଆରି କରିବାର କ୍ଷମତାକୁ ମଧ୍ୟ ଧ୍ୱଂସ କରିଦେଇଛୁ । ଆଜି ଇରାନ କେବଳ ପୁରୁଣା ଷ୍ଟକ୍ରେ ଥିବା ମିସାଇଲ୍ ବ୍ୟବହାର କରୁଛି ।" ଇସ୍ରାଏଲର ମୁଖ୍ୟ ଲକ୍ଷ୍ୟ ହେଉଛି ଇରାନକୁ ପରମାଣୁ ଶକ୍ତି ସମ୍ପନ୍ନ ହେବାରୁ ରୋକିବା । ନେତନ୍ୟାହୁ ଶପଥ କରି କହିଛନ୍ତି, ଇରାନରୁ ସମସ୍ତ ସମ୍ବର୍ଦ୍ଧିତ ୟୁରେନିୟମ ହଟାଯିବ । ଏହା ହୁଏତ ଆଲୋଚନା ମାଧ୍ୟମରେ ହେବ ନଚେତ୍ ଯୁଦ୍ଧ ମାଧ୍ୟମରେ । ଏହି ପ୍ରସଙ୍ଗରେ ଆମେରିକା ଏବଂ ଇସ୍ରାଏଲ୍ ଏକମତ ଅଛନ୍ତି ।

ଟ୍ରିଗର ଉପରେ ରହିଛି ଆଙ୍ଗୁଠି:

ବିରୋଧୀ ଦଳର ସମାଲୋଚନା ଏବଂ ଆମେରିକୀୟ ଚାପରେ ସିଜଫାୟାର ହୋଇଥିବା ଅଭିଯୋଗକୁ ନେତନ୍ୟାହୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ଇସ୍ରାଏଲର ସେନା ଯେକୌଣସି ମୁହୂର୍ତ୍ତରେ ଯୁଦ୍ଧକ୍ଷେତ୍ରକୁ ଫେରିବା ପାଇଁ ପ୍ରସ୍ତୁତ । ଇସ୍ରାଏଲର ସେନା ବନ୍ଧୁକର ଟ୍ରିଗର ଉପରେ ଆଙ୍ଗୁଠି ରଖିଛି ଏବଂ ଶତ୍ରୁର ସାମାନ୍ୟ ଭୁଲ୍ ପୁଣି ଥରେ ଭୟଙ୍କର ଆକ୍ରମଣକୁ ଆମନ୍ତ୍ରଣ କରିବ । କେବଳ ଇରାନ ନୁହେଁ, ବରଂ ଲେବାନନ୍ରେ ସକ୍ରିୟ ଥିବା ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ବିରୋଧରେ ମଧ୍ୟ ଅଭିଯାନ ଜାରି ରହିବ । ବେରୁଟରେ ବୁଧବାର ହିଜବୁଲ୍ଲାର ୧୦୦ରୁ ଅଧିକ ଘାଟି ଉପରେ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ଶତ୍ରୁ ପକ୍ଷର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଇସ୍ରାଏଲ୍ ଦାବି କରିଛି । ନେତନ୍ୟାହୁଙ୍କ ଏହି ବୟାନରୁ ସ୍ପଷ୍ଟ ଯେ, ଇସ୍ରାଏଲ୍ ଶାନ୍ତି ଚାହୁଁଥିଲେ ମଧ୍ୟ ନିଜର ସୁରକ୍ଷା ସହ କୌଣସି ବୁଝାମଣା କରିବାକୁ ପ୍ରସ୍ତୁତ ନୁହେଁ । ଆଗାମୀ ଦିନରେ ଏହି ସିଜଫାୟାର ସ୍ଥାୟୀ ରୂପ ନେଉଛି କିମ୍ବା ଏହା ଏକ ବଡ଼ ବିସ୍ଫୋରଣ ପୂର୍ବର ନୀରବତା, ତାହା ଉପରେ ସାରା ବିଶ୍ୱର ନଜର ରହିଛି ।