ନୂଆଦିଲ୍ଲୀ : CBI ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କ କାର୍ଯ୍ୟକାଳକୁ ଆଉ ଗୋଟିଏ ବର୍ଷ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ୧୯୮୬ ବ୍ୟାଚ୍ କର୍ଣ୍ଣାଟକ କ୍ୟାଡର IPS ଅଧିକାରୀ ସୁଦଙ୍କୁ ୧୩ ମେ ୨୦୨୬ରେ ଗୋଟିଏ ବର୍ଷ ପାଇଁ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ସେ ଏବେ ୧୨ ମେ ୨୦୨୭ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ। ସେ ୨୫ ମେ ୨୦୨୩ରେ ଦୁଇ ବର୍ଷ ପାଇଁ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଗତ ବର୍ଷ ୨୪ ମେ ୨୦୨୫ରେ ପ୍ରବୀଣ ସୁଦଙ୍କୁ ମଧ୍ୟ ଗୋଟିଏ ବର୍ଷ ପାଇଁ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ସୂଚନା ଅନୁଯାୟୀ, ଚୟନ କମିଟିର ସୁପାରିଶ ଆଧାରରେ କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି (ACC) ନିଯୁକ୍ତିକୁ ଅନୁମୋଦନ କରିଛି। ACC ଆଦେଶରେ କୁହାଯାଇଛି ଯେ ସୁଦଙ୍କ କାର୍ଯ୍ୟକାଳ ୨୪ ମେ, ୨୦୨୬ ପରେ ଗୋଟିଏ ବର୍ଷ ପାଇଁ ବୃଦ୍ଧି କରାଯାଇଛି । 

CBI ନିର୍ଦ୍ଦେଶକଙ୍କ ନିଯୁକ୍ତି ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ବୈଠକ...

ପୂର୍ବରୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ପରବର୍ତ୍ତୀ CBI ନିର୍ଦ୍ଦେଶକଙ୍କ ନିଯୁକ୍ତି ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ବୈଠକ କରିଥିଲା। ବୈଠକ ସମୟରେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏକ ଭିନ୍ନ ମତାମତ ଦାଖଲ କରିଥିଲେ, ଯେଉଁଥିରେ ସରକାର ରାଜନୈତିକ ବିରୋଧୀ, ସାମ୍ବାଦିକ ଏବଂ ସମାଲୋଚକ ମାନଙ୍କୁ ଟାର୍ଗେଟ କରିବା ପାଇଁ ସଂସ୍ଥାକୁ ଉପଯୋଗ କରୁଥିବା ଅଭିଯୋଗ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ୟାନେଲରେ ଭାରତର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସାମିଲ ଥିଲେ। ଏହି ବୈଠକ ପ୍ରଧାନମନ୍ତ୍ରୀଙ୍କ ୭, ଲୋକ କଲ୍ୟାଣ ମାର୍ଗସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଥିଲା ଏବଂ ଏକ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା। ବର୍ତ୍ତମାନର CBI ନିର୍ଦ୍ଦେଶକଙ୍କ ଏକ ବର୍ଷର ଅବଧି ୨୪ ମେ, ୨୦୨୬ ରେ ଶେଷ ହେବାକୁ ଥିଲା।

ରାହୁଲ ଗାନ୍ଧୀ ତାଙ୍କ X ହ୍ୟାଣ୍ଡେଲରେ ତାଙ୍କର ଭିନ୍ନ ମତାମତ ସେୟାର କରିଛନ୍ତି। ସେ କହିଛନ୍ତି କି, "ଆପଣଙ୍କ ସରକାର ରାଜନୈତିକ ବିରୋଧୀ, ସାମ୍ବାଦିକ ଏବଂ ସମାଲୋଚକ ମାନଙ୍କୁ ଟାର୍ଗେଟ କରିବା ପାଇଁ ବାରମ୍ବାର ସିବିଆଇର ଅପବ୍ୟବହାର କରିଛି। ଏହି ପ୍ରକାରର ସାଂଗଠନିକ କବଜାକୁ ରୋକିବା ପାଇଁ ବିରୋଧୀ ଦଳ ନେତାଙ୍କୁ ଚୟନ କମିଟିରେ ସାମିଲ କରାଯାଇଛି। ଦୁଃଖର ବିଷୟ, ଆପଣ ଏହି ପ୍ରକ୍ରିୟାରେ ମୋତେ କୌଣସି ଅର୍ଥପୂର୍ଣ୍ଣ ଭୂମିକା ପାଇଁ ଲଗାତାର ମନା କରିଆସୁଛନ୍ତି।"

ଏହା ସହ ପଢନ୍ତୁ : ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ସମର୍ଥନ କରି AIADMK ଦଳରୁ ବିଦା ହେଲେ ୨୫ ବିଧାୟକ, ପାର୍ଟି ସୁପ୍ରିମୋ ପଲାନିସ୍ବାମୀଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ...