ନୂଆଦିଲ୍ଲୀ,୨୬/୦୩: ଦେଶବ୍ୟାପୀ ବ୍ଲଡବ୍ୟାଙ୍କ ଉପରେ ଏଣିକି ସରକାରଙ୍କ ଡିଜିଟାଲ ନଜର ରହିବ । ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ (ସିଡିଏସ୍ସିଓ) ସବୁ ସ୍ୱୀକୃତିପ୍ରାପ୍ତ ବ୍ଲଡ ସେଣ୍ଟର ପାଇଁ ଇ-ରକ୍ତକୋଷ ପୋର୍ଟାଲରେ ପଞ୍ଜିକରଣ ବାଧ୍ୟତାମୂଳକ କରିଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି ଦେଶବ୍ୟାପୀ ରକ୍ତର ଉପଲବ୍ଧତା ଏକ କେନ୍ଦ୍ରୀକୃତ ବ୍ୟବସ୍ଥାରେ ପ୍ରସ୍ତୁତ କରିବା ଓ କଳାବଜାରୀ ରୋକିବା ।
ଏହି ବ୍ୟବସ୍ଥାରେ ସବୁଠାରୁ ବଡ ପରିବର୍ତ୍ତନ ହେଉଛି କି ଇ-ରକ୍ତକୋଷକୁ ସିଧାସଳଖ ନୀରିକ୍ଷଣ ପ୍ରକ୍ରିୟାର ଅଂଶ କରାଯିବ । ଅର୍ଥାତ ଯାଞ୍ଚ ସମୟରେ ଡ୍ରଗ୍ସ ଇନ୍ସପେକ୍ଟର ପୋର୍ଟାଲରେ ରହିଥିବା ତଥ୍ୟ ଓ ବାସ୍ତବିକ ଗଚ୍ଛିତ ରକ୍ତକୁ ମିଳାଇବେ। ଯାଞ୍ଚରେ ଯଦି ତଥ୍ୟରେ କିଛି ହେରଫେର ସାମ୍ନାକୁ ଆସିବ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ରାଜ୍ୟର ଲାଇସେନ୍ସିଂ ଅଥରିଟିକୁ ୩୦ ଦିନରେ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି । ଡୋନର୍ସଙ୍କ ରେକର୍ଡ ମଧ୍ୟ ଏବେ ଆଭା ଆଇଡି କିମ୍ବା ଆଧାର ସହ ଯୋଡାଯାଇପାରିବ। ଯାହାଫଳରେ ସମ୍ପୂର୍ଣ୍ଣ ଯୋଗାଣ ଶୃଙ୍ଖଳରେ ପାରିଦର୍ଶିତା ଆସିପାରିବ । ଇ-ରକ୍ତକୋଷ ହେଉଛି ଏକ ନ୍ୟାସନାଲ ଡିଜିଟାଲ ପୋର୍ଟାଲ । ଯେଉଁଥିରେ ରକ୍ତର ଷ୍ଟକ ଓ ଡୋନର୍ସଙ୍କ ରିୟଲ ଟାଇମ ତଥ୍ୟ ରହିବ। ଏହ ମାଧ୍ୟମରେ ଯେକୌଣସି ସହରରେ ରକ୍ତର ଅଭାବ ସମ୍ପର୍କିତ ତଥ୍ୟ ଜଣାପଡିବ ।
ଅଧିକ ପଢ଼ନ୍ତୁ :- ବିଜେଡିରେ କ୍ରସ୍ ଭୋଟିଂ ବିଦ୍ରୋହ: କରଛଡ଼ା ଦେଉଛନ୍ତି କର୍ପୋରେଟର, ବଦଳିବ ସିଏମ୍ସି ରାଜନୀତି ?
ଅବଶ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୨ରେ ଏ ସମ୍ପର୍କରେ ଏକ ଆଦେଶନାମା ଜାରି କରାଯାଇଥିଲା । କିନ୍ତୁ ତାକୁ ମାନିବା ବାଧ୍ୟତାମୂଳକ ନଥିଲା । ସେହିଭଳି ଦଣ୍ଡର ପ୍ରାବଧାନ ମଧ୍ୟ ନଥିଲା । ଯାହାଫଳରେ ମନମାନି ବଢ଼ିଥିଲା । ପୋର୍ଟାଲର ଡାଟାକୁ ନିୟମିତ ଭାବେ ଯାଞ୍ଚ କରାଯାଉ ନଥିଲା । ଉତ୍ତରଦାୟିତ୍ୱ ମଧ୍ୟ ସ୍ଥିର କରାଯାଇନଥିଲା । ରାଜ୍ୟର ଲାଇସେନ୍ସିଂ ଅଥରିଟି ନିଷ୍କ୍ରିୟ ଥିଲେ। ଛୋଟ କେନ୍ଦ୍ର ପାଖରେ ଡିଜିଟାଲ ଟ୍ରେନିଂର ଅଭାବ ଥିଲା । ବର୍ତ୍ତମାନ ପୋର୍ଟାଲରେ ଯୋଡିହେବା ବିକଳ୍ପ ନୁହେଁ, ବାଧ୍ୟତାମୂଳକ । ନିୟମ ନମାନିଲେ ଲାଇସେନ୍ସ ରଦ୍ଦ ହୋଇପାରେ । ଦେଶସାରା ରକ୍ତର ଷ୍ଟକ୍ ସମ୍ପର୍କରେ ଗୋଟିଏ କ୍ଲିକ୍ରେ ଜାଣିହେବ । ଜରୁରି ଚିକିତ୍ସା ସମୟରେ ରୋଗୀମାନେ ରକ୍ତ ପାଇବା ଲାଗି ଏଣେତେଣେ ଘୁରି ବୁଲିବେ ନାହିଁ। ଯେଉଁମାନେ ନିୟମ ପାଳନ ନ କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ପ୍ରାବଧାନ ରହିଛି ।