କଟକ,୨୬/୩: ରାଜ୍ୟସଭା କ୍ରସ୍ ଭୋଟିଂରୁ ଆରମ୍ଭ ହେଇଥିବା ବିଜେଡି ବିଦ୍ରୋହ, କଟକ ମହାନଗର ନିଗମ(ସିଏମ୍ସି) ରାଜନୀତିକୁ ହଲ୍ଚଲ୍ କଲାଣି । ବିଜେଡିରୁ ନିଲମ୍ବିତ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଓ ବହିଷ୍କୃତ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ସମର୍ଥନରେ ନିର୍ବାଚନମଣ୍ଡଳୀର ସଂଖ୍ୟାଧିକ କର୍ପୋରେଟର ମୁହଁ ଖୋଲିବା କଟକ ବିଜେଡି ରାଜନୀତି ଓ ନିଗମ ରାଜନୀତିରେ ନୂଆ ରଙ୍ଗ ଆଣିଲାଣି । ସିଏମ୍ସିର ଗୁରୁତ୍ୱପୂର୍ଣ୍ଣ ୧୩ଟି ୱାର୍ଡର କର୍ପୋରେଟର ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀରେ ଆସୁଥିବା ବେଳେ ଏମାନଙ୍କ ମାଧ୍ୟମରେ ନିଗମ ଅଙ୍କ ଓ ରାଜନୀତି ବିଗିଡ଼ି ଯିବାର ଆଶଙ୍କା କରାଯାଉଛି । ଏମିତିକି କର୍ପୋରେଟର୍ମାନେ ଦଳ ଛାଡ଼ିବା, ସମୂହ ଇସ୍ତଫା ଦେଇ ନୂଆ ଦଳରେ ଯୋଗଦେବା, ମେୟରଙ୍କ ବିରୋଧରେ ଅନାସ୍ଥା ଆଣିବା ଏବଂ ଶେଷରେ ନିଗମ ଭାଙ୍ଗିବା ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କିନ୍ତୁ ରାଜନୈତିକ ବିଶେଷଜ୍ଞମାନେ କହୁଛନ୍ତି, ଆଗକୁ ସିଏମ୍ସିରେ ବିଶେଷ କିଛି ବି ପରିବର୍ତ୍ତନ ହେବ ନାହିଁ । ଯାହା ଯେମିତି ଚାଲିଛି ସେମିତି ଚାଲିବ । ବରଂ ଆସନ୍ତା କିଛି ମାସ ଭିତରେ ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବା ହେତୁ ଆଚରଣବିଧି ଲାଗୁକୁ ନେଇ ସିଏମ୍ସି କାଉନସିଲ୍ ନିଷ୍କ୍ରିୟ ହୋଇଯିବ । ତେଣୁ ଆଗକୁ ଆଉ କିଛି ମାସ ପାଇଁ ସିଏମ୍ସି ରାଜନୀତିରେ କଳ, ବଳ, କୌଶଳ ଲଗାଇବାକୁ ନା ଶାସକ ନା ବିରୋଧୀ କେହି ବି ଚାହିବେ ନାହିଁ ।
ବାରବାଟୀ-କଟକ, ଚୌଦ୍ୱାର-କଟକ ଓ କଟକ ସଦର ନିର୍ବାଚନମଣ୍ଡଳୀର ୫୯ଟି ୱାର୍ଡକୁ ନେଇ ଗଠିତ ସିଏମ୍ସି କାଉନସିଲ୍ ବିଜେଡି ଦଖଲରେ ରହିଛି । ଦଳରୁ ଟିକଟ ପାଇ ଜିତିଥିବା କର୍ପୋରେଟରଙ୍କ ସଂଖ୍ୟା ହେଉଛି ୩୮ । ୨୧ ନମ୍ବର ୱାର୍ଡ କର୍ପୋରେଟ ଅଶୋକ ଶର୍ମାଙ୍କ ଦେହାନ୍ତ ପରେ ଏହି ୱାର୍ଡ ଖାଲି ପଡିଛି । କିଛି ସ୍ୱାଧୀନ କର୍ପୋରେଟର ମଧ୍ୟ ବିଜେଡିକୁ ସମର୍ଥନ ଦେଇଛନ୍ତି । ଅନ୍ୟପକ୍ଷରେ ମେୟର ମଧ୍ୟ ନିର୍ବାଚିତ ପ୍ରତିନିଧି । ଆସନ୍ତା ଏପ୍ରିଲ୍ ୭ ତାରିଖକୁ କର୍ପୋରେଟରଙ୍କ ଶପଥ ନେବାର ଚାରି ବର୍ଷ ପୂରୁଛି । ଯଦିଓ ଆଗକୁ ଆହୁରି ବର୍ଷେ ରହିଛି, ତେବେ ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା ପୌର ନିର୍ବାଚନ ଆଚରଣବିଧି ଲାଗୁ ହେବାର ସମ୍ଭାବନା ବି ରହିଛି । ଉକ୍ତ ସମୟକୁ ହିସାବ କଲେ ମେୟର ଓ କର୍ପୋରେଟରମାନଙ୍କ କାର୍ଯ୍ୟକାଳ ଆଉ ଅତି ବେଶୀରେ ୬ମାସ ବୋଲି କୁହାଯାଇପାରେ । ଏହି ୬ମାସ ଭିତରେ କର୍ପୋରେଟରମାନେ ନିଜ ନିଜ ୱାର୍ଡର ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଆଗକୁ ୱାର୍ଡ ପୁନଃନିର୍ଦ୍ଧାରଣ ହେବାର ସମ୍ଭାବନା ରହିଛି । ଏହାକୁ ମଧ୍ୟ ଅଣଦେଖା କରାଯାଇ ପାରିବ ନାହିଁ । ତେଣୁ କର୍ପୋରେଟରମାନେ ଦଳ ଛାଡ଼ିବେ, ନୂଆ ଦଳରେ ଯୋଗଦେବେ ଏବଂ ମେୟରଙ୍କ ବିରୋଧରେ ଅନାସ୍ଥା ଆଣିବେ ଆଦି କଳ୍ପନାଜଳ୍ପନାର ଗୁରୁତ୍ୱ ବର୍ତ୍ତମାନ ପ୍ରାୟ ନାହିଁ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ପୌର ଆଇନ କହୁଛି, କର୍ପୋରେଟରମାନେ ମେୟରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରିବେ । ଏଥିପାଇଁ ଏକତୃତୀୟାଂଶ ସଦସ୍ୟଙ୍କ ସହମତି ଦରକାର । ପୂର୍ବ ସରକାରଙ୍କ ଅମଳରେ କର୍ପୋରେସନ୍ରେ ମେୟର ନିର୍ବାଚନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଅନାସ୍ଥା ପ୍ରସଙ୍ଗରେ ଆଇନ୍ରେ ଯେଉଁ ସଂଶୋଧନ ଅଣାଯିବାର ଥିଲା ତାହା ହୋଇନାହିଁ । ତେଣୁ ସିଏମ୍ସି କ୍ଷେତ୍ରରେ ଅନାସ୍ଥା କାର୍ଯ୍ୟକାରୀ ହୋଇପାରେ । ଅନ୍ୟପକ୍ଷରେ ଦଳୀୟ ଟିକଟରେ କାଉନସିଲ୍କୁ ନିର୍ବାଚିତ ହୋଇଥିବା କର୍ପୋରେଟରମାନେ ମଧ୍ୟ ଦଳ ଛାଡ଼ିଲେ ସେମାନଙ୍କ ସଭ୍ୟପଦ ରଦ୍ଦ ହୋଇଯିବ ବୋଲି ବରିଷ୍ଠ ଆଇନଜୀବୀ ଗୋପାଳ ଅଗ୍ରୱାଲ କହିଛନ୍ତି । ଏଣୁ ଏ ଜଟିଳ ଗଣିତ ଭିତରେ ସିଏମ୍ସି ରାଜନୀତି ବିଶେଷ ପ୍ରଭାବିତ ହେବ ନାହିଁ ବୋଲି ଅନୁମାନ କରାଯାଉଛି । ଏ ବାବଦରେ ମେୟର ସୁବାସ ସିଂହ କହିଛନ୍ତି, ସିଏମ୍ସି କାଉନସିଲ୍ରେ ସମସ୍ତଙ୍କ ସହଯୋଗ ରହିଛି । ବିକାଶମୂଳକ କାର୍ଯ୍ୟ କରିବାରେ ସମସ୍ତଙ୍କ ସହଯୋଗ ଆମେ ନେଉଛୁ । ତେଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ସିଏମ୍ସି କାଉନସିଲ୍ ଭାଙ୍ଗିବା ବା କୁତ୍ସିତ ରାଜନୀତି ହେବାର ସମ୍ଭାବନା ନାହିଁ ।
ଅଧିକ ପଢନ୍ତୁ-ଭିଜିଲାନ୍ସ ଜାଲରେ ଭଞ୍ଜନଗର ଡହ ଜଳସେଚନ ଉପଖଣ୍ଡ ଏସଡିଓ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ