ହିମାଚଳ ପ୍ରଦେଶ, ୮।୪: ବୟସ କେବଳ ଏକ ସଂଖ୍ୟା ମାତ୍ର, ଏହାକୁ ପ୍ରମାଣ କରି ଦେଖାଇଛନ୍ତି ହିମାଚଳ ପ୍ରଦେଶ ଚମ୍ବା ଜିଲ୍ଲାର ମାଷ୍ଟର ପ୍ୟାର୍ ସିଂହ । ୧୦୭ ବର୍ଷ ବୟସରେ ମଧ୍ୟ ସେ ଏତେ ସକ୍ରିୟ ଯେ, ଆଜିର ଯୁବପିଢ଼ି ପାଇଁ ସେ ଏକ ଜ୍ୱଳନ୍ତ ଉଦାହରଣ । ୫ ଏପ୍ରିଲ ୧୯୧୯ରେ ଜନ୍ମ ହୋଇଥିବା ପ୍ୟାର୍ ସିଂହ କେବଳ ଜିଲ୍ଲାର ସବୁଠାରୁ ବୟୋଜ୍ୟେଷ୍ଠ ବ୍ୟକ୍ତି ନୁହନ୍ତି, ବରଂ ନିଜର ଅନୁଶାସିତ ଜୀବନଶୈଳୀ ପାଇଁ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଶିକ୍ଷକ ପ୍ୟାର୍ ସିଂହ ନିଜ ଜୀବନର ଅଧିକାଂଶ ସମୟ ଶିକ୍ଷାଦାନରେ ବିତାଇଛନ୍ତି । ସେ ଚମ୍ବା ସରକାରୀ ବାଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ପେଣ୍ଟର ଟ୍ରେଡ୍ ଶିକ୍ଷକ ଥିଲେ ଏବଂ ଉର୍ଦ୍ଦୁ ମଧ୍ୟ ପଢ଼ାଉଥିଲେ । ୧୯୭୯ରେ ସେ ଅବସର ନେଇଥିଲେ । ଛାତ୍ର ଜୀବନରେ ଗଣିତରେ ଉତ୍କର୍ଷତା ପାଇଁ ସେତେବେଳର ରାଜା ଶ୍ୟାମ ସିଂହ ୧୯୨୭ ମସିହାରେ ତାଙ୍କୁ ସମ୍ମାନିତ କରିଥିଲେ । ଖେଳ ପ୍ରତି ମଧ୍ୟ ତାଙ୍କର ପ୍ରବଳ ଆଗ୍ରହ ଥିଲା । ସେ ସେହି ଦିନକୁ ମନେ ପକାନ୍ତି ଯେତେବେଳେ ବ୍ରିଟିଶମାନେ ଚୌଗାନ ପଡ଼ିଆକୁ କ୍ରିକେଟ୍ ଖେଳିବାକୁ ଆସୁଥିଲେ ।
ଏହା ବି ପଢ଼ନ୍ତୁ... ବିବାହ ଶୋଭାଯାତ୍ରାରେ ଅଚାନକ ଆସିଲା ମୃତ୍ୟୁ: ନାଚୁ ନାଚୁ ଟଳିପଡ଼ିଲେ ବରର ସାଙ୍ଗ
କ’ଣ ତାଙ୍କ ସୁସ୍ଥତାର ରହସ୍ୟ ?
ନିଜର ସୁସ୍ଥ ଜୀବନର ରହସ୍ୟ ବାବଦରେ ପ୍ୟାର୍ ସିଂହ କୁହନ୍ତି । ସକାଳୁ ଜଲଦି ଉଠିବା ତାଙ୍କ ଅଭ୍ୟାସ । ସେ ପ୍ରତିଦିନ ଭୋର ୪ଟାରୁ ଶଯ୍ୟା ତ୍ୟାଗ କରନ୍ତି । ସକାଳ ଓ ସନ୍ଧ୍ୟା ସମୟରେ ଚାଲିବା ତାଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ବି ସେ ନିଜ ମୋହଲାରେ ନିୟମିତ ଭ୍ରମଣ କରନ୍ତି । ସାଦାସିଧା ଖାଦ୍ୟପେୟ ଓ ଶୃଙ୍ଖଳିତ ଜୀବନଶୈଳୀ ହିଁ ତାଙ୍କୁ ସୁସ୍ଥ ରଖିଛି । ସବୁଠାରୁ ବଡ଼ କଥା ହେଉଛି, ୧୦୭ ବର୍ଷ ବୟସରେ ବି ସେ କାହା ଉପରେ ନିର୍ଭର କରନ୍ତି ନାହିଁ । ନିଜର ଦୈନନ୍ଦିନ କାମ ଯେପରିକି, ଗାଧୋଇବା, କପଡ଼ା ଧୋଇବା ଓ ଶୁଖାଇବା ସେ ନିଜେ କରନ୍ତି । ସେ କେବେ କେବେ ରୋଷେଇ ମଧ୍ୟ କରନ୍ତି । ତାଙ୍କ ଦୃଷ୍ଟିଶକ୍ତି ଏବେ ବି ଭଲ ଅଛି ।
ସକାରାତ୍ମକ ମନୋଭାବ:
ତାଙ୍କ ଜୀବନ ଅନେକ ସଂଘର୍ଷ ଦେଇ ଗତି କରିଛି । ୮ ବର୍ଷ ପୂର୍ବେ ନିଜ ପୁଅଙ୍କ ମୃତ୍ୟୁ ପରେ ବି ସେ ଭାଙ୍ଗି ପଡ଼ିନାହାନ୍ତି । ବର୍ତ୍ତମାନ ସେ ନିଜ ବୋହୂ ଓ ନାତିଙ୍କ ସହ ରହୁଛନ୍ତି । ରାଜାଙ୍କ ଶାସନରୁ ଆରମ୍ଭ କରି ଆଧୁନିକ ଭାରତ ପର୍ଯ୍ୟନ୍ତ, ସେ ସବୁ ଦେଖିଛନ୍ତି । ତାଙ୍କର ଏହି ଦୀର୍ଘାୟୁ ଓ ସକାରାତ୍ମକ ଜୀବନଧାରା ସମାଜ ପାଇଁ ଏକ ବଡ଼ ଶିକ୍ଷା ।