ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଚନ୍ଦନ ଯାତ୍ରା ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗର ଅନୁମୋଦନ: ଦିନ ୪ଟାରେ ରଥ ନିର୍ମାଣ ଆଜ୍ଞାମାଳ ବିଜେ

Published By : Prameya | April 19, 2025 10:20 AM

ପୁରୀ,୧୯/୦୪: ଆସନ୍ତା ୩୦ ତାରିଖରେ ଅକ୍ଷୟ ତୃତୀୟ  ଓ ଚନ୍ଦନଯାତ୍ରା ଆରମ୍ଭ । ଏହାକୁ  ଶୃଙ୍ଖଳିତ ଭାବେ ସମାପନ କରିବା  ସହ ନିର୍ଦ୍ଧାରିତ ସମୟରେ ଠାକୁରଙ୍କ ନୀତିକାନ୍ତି ସମାପନ ନିମନ୍ତେ ଶ୍ରୀମନ୍ଦିର  ପ୍ରଶାସନ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରିଛି ।  ଏହି ନୀତି ନିର୍ଘଣ୍ଟକୁ ଶୁକ୍ରବାର ନୀଳାଦ୍ରି  ଭକ୍ତନିବାସଠାରେ ବସିଥିବା ଛତିଶା  ନିଯୋଗ ବୈଠକରେ ଅନୁମୋଦନ  କରାଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର  ପ୍ରଶାସନ କାର୍ଯ୍ୟାଳୟର ମୁଖ୍ୟ ପ୍ରଶାସକ  ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ, ନୀତି  ପ୍ରଶାସକ, ଏସ୍‌ପି, ପ୍ରଶାସନିକ ଅନ୍ୟ  ଅଧିକାରୀ ଓ ବିଭିନ୍ନ ନିଯୋଗର ବରିଷ୍ଠ  ସେବାୟତମାନେ ଯୋଗ ଦେଇଥିଲେ । 

୩୦ ତାରିଖରେ ବାହାର ଚନ୍ଦନ  ଯାତ୍ରା ଓ ଅକ୍ଷୟ ତୃତୀୟା ପଡ଼ୁଥିବା  ବେଳେ ଆସନ୍ତା ମାସ ୫ ତାରିଖରେ  ନୀଳାଦ୍ରି ମହୋଦୟ, ୧୧ରେ ନୃସିଂହ  ଜନ୍ମ, ୧୯ରେ ଭଉଁରି । ଏହି ପ୍ରମୁଖ  ଦିନଗୁଡ଼ିକରେ ଶ୍ରୀମନ୍ଦିର ଦ୍ୱାର  ଫିଟାଠାରୁ ଚନ୍ଦନ ଚାପକୁ ଠାକୁରମାନେ  ବିଜେ କରିବା ଓ ଚାପ ସାରି ଫେରିବା  ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟର ନୀତି ନିର୍ଦ୍ଧାରିତ  ସମୟରେ ସାରିବାକୁ ସ୍ଥିର କରାଯାଇଛି ।  

ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ  ଆରମ୍ଭ ହେବାକୁ ଥିବା ବେଳେ ଅପରାହ୍ନ  ୪ଟାରେ ଆଜ୍ଞାମାଳ ବିଜେ କରିବ । ଏହି  ଦିନ ପ୍ରତ୍ୟୁଷ ଅର୍ଥାତ୍‌ ରାତି ୩ଟାରୁ  ଶ୍ରୀମନ୍ଦିର ଦ୍ୱାର ଫିଟା ଯିବା ସହ ନୀତି  ବଢ଼ିବ । ତେବେ ଚନ୍ଦନଯାତ୍ରାର ସାଧାରଣ  ଦିନମାନଙ୍କରେ ପ୍ରତ୍ୟୁଷ ଅର୍ଥାତ୍‌ ରାତି ୪ଟାରୁ ଶ୍ରୀମନ୍ଦିର ଦ୍ୱାର ଖୋଲା ଯାଇ ନୀତି  ବଢ଼ିବ ଓ ରାତି ୧ଟା ସୁଦ୍ଧା ମହାପ୍ରଭୁଙ୍କ  ପହୁଡ଼ ସାରିବାକୁ ସ୍ଥିର ହୋଇଛି ।  ଏନେଇ ମୁଖ୍ୟ ପ୍ରଶାସକ ଡ. ପାଢ଼ୀ  କହିଛନ୍ତି, ବୈଠକରେ ଚନ୍ଦନଯାତ୍ରା ନୀତି  ନିର୍ଘଣ୍ଟ ଆଲୋଚନା ବାଦ୍‌ ସେବକମାନେ  ଅନେକ ପ୍ରସ୍ତାବ ଦେଇଥିଲେ । ଯାହା  ଭିତରୁ ଅନେକ ପରିଚାଳନା କମିଟିରେ  ଅନୁମୋଦନ ଲାଭର ଆବଶ୍ୟକତା  ରହିଛି । ନୂଆ ପରିଚାଳନା କମିଟି ଗଠନ  ପରେ ଏହା ଉପରେ ଆଲୋଚନା ହେବ । 

ନରେନ୍ଦ୍ର ବାଣ ବିସ୍ଫୋରଣ ଭଳି  ଦୁଃଖଦ ଘଟଣା ଯେପରି ଆଗାମୀ  ଦିନରେ ନଘଟିବ ସେଥିପ୍ରତି ପ୍ରଶାସନ ସତର୍କ ରହି କାମ କରିବ । ଚଳିତ ବର୍ଷ ଶ୍ରଦ୍ଧାଳୁ ଓ ସେବାୟତଙ୍କ ନିମନ୍ତେ  ବୀମା ହେବ । ଚନ୍ଦନଯାତ୍ରା ବେଳେ ବାଣ  ଫୁଟାଯିବ ନାହିଁ । କେବଳ ନିର୍ଦ୍ଧାରିତ ନୀତି  ହେବ । ଚନ୍ଦନଯାତ୍ରା ବେଳେ ନରେନ୍ଦ୍ର  ଚକଡ଼ା ନିକଟରେ ଆଶୁ ଚିକିତ୍ସା ଶିବିର  ହେବ ଓ ଅଗ୍ନିଶମ ବାହିନୀ ମୁତୟନ ହେବେ । ସେହିପରି ବୈଠକରେ ଗତ  ଶିକ୍ଷା ବର୍ଷରେ ସେବକ ପରିବାରରୁ ୧୦ମ  ପରୀକ୍ଷାରେ ଭଲ ନମ୍ବର ରଖିଥିବା କୃତି  ୫ ଜଣ ଛାତ୍ରଛାତ୍ରୀଙ୍କୁ ୫୦ ହଜାର ଟଙ୍କା  ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯାଇଛି । ସେହିପରି ୧୦ମ ଓ ଦ୍ୱାଦଶ ପରୀକ୍ଷାରେ  ୭୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା  ୨୩ ଜଣ ଛାତ୍ରଛାତ୍ରୀଙ୍କୁ ୧୦ ହଜାର  ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯାଇଛି ।  ସେବକ ପରିବାରର ଅନ୍ୟ କ୍ଷେତ୍ରରେ  ପାରଦର୍ଶିତା ଦେଖାଉଥିବା ବ୍ୟକ୍ତିଙ୍କୁ  ମଧ୍ୟ ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ  ପ୍ରୋତ୍ସାହନ ରାଶି ଦିଆଯିବ ବୋଲି ମୁଖ୍ୟ  ପ୍ରଶାସକ ସୂଚନା ଦେଇଛନ୍ତି । 

ସେପଟେ ରଥଯାତ୍ରା ଭଳି  ଚଳିତ ବର୍ଷ ଚନ୍ଦନଯାତ୍ରା(ଏପ୍ରିଲ  ୩୦ ତାରିଖରୁ ମେ’ ୨୦ ତାରିଖ  ପର୍ଯ୍ୟନ୍ତ) ନିମନ୍ତେ ଶ୍ରଦ୍ଧାଳୁ ଓ  ସେବାୟତଙ୍କ ନିମନ୍ତେ ହୋଇଥିବା  ବୀମାରେ ମୃତାହତ ହେଲେ ୫ ଲକ୍ଷ  ପର୍ଯ୍ୟନ୍ତ ସହାୟତା ମିଳିବାର ନେଇ  ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.