ପୁରୀ,୨୬/୦୫: ପୁରୀ ଜିଲ୍ଲା ଚନ୍ଦନପୁର ଥାନା ପିତେଇପୁର ଛକ ନିକଟରେ ବୁଧବାର ବିଳମ୍ବିତ ରାତିରେ ପତିଆରାକୁ ନେଇ ଗ୍ୟାଙ୍ଗୱାର ଘଟିଛି । ଗତ କିଛି ଦିନ ଧରି ସେଠାରେ ଆତଙ୍କ ଖେଳାଉଥିବା ପିତେଇପୁର ଗ୍ୟାଙ୍ଗ୍ରେ ଫାଟ ସୃଷ୍ଟି ହୋଇ ଗ୍ୟାଙ୍ଗ୍ ଏବେ ୨ ଗୋଷ୍ଠୀରେ ବିଭକ୍ତ ହୋଇଛି । ଉଭୟ ପକ୍ଷଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଥିବାବେଳେ ବୁଧବାର ସଂଘର୍ଷ ଓ ପରେ ଗୁଳିମାଡ଼ରେ ଜଣେ ଏବଂ ଭୁଜାଲି ଚୋଟ ଓ କାଠ ଗୋଟାଳି ମାଡ଼ରେ ଆଉ ୩ ଜଣ ଆହତ ହୋଇଛନ୍ତି । ଗୁଳିମାଡ଼ରେ ଆହତ ଜଣକ ହେଲେ ଏହି ଥାନା ଅଧୀନ ମାଳିବାଲିଆ ଗ୍ରାମର ଧନେଶ୍ୱର ମହାପାତ୍ର (୩୭), ଭୁଜାଲି ଚୋଟରେ ଆହତ ଜଣକ ହେଲେ ସ୍ଥାନୀୟ ଓଡ଼ଶମଲ୍ଲ ଗ୍ରାମର ପବିତ୍ର ପଲେଇ ଓରଫ କାଳୁ (୩୫), ଗୋଟାଳି ମାଡ଼ରେ ଆହତ ୨ ଜଣ ହେଲେ ନିକଟସ୍ଥ ଜେନା ସାହି ଚରଣ ଜେନା (୩୫) ଓ ସତ୍ୟବାଦୀ ଥାନା ଅଧୀନ ସୁଆଁଲୋ ଗ୍ରାମର ଅଙ୍କିତ ସ୍ୱାଇଁ (୨୪) । ଧନେଶ୍ୱରଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟମାନଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଅଭିଯୋଗ ଅନୁସାରେ, ବୁଧବାର ରାତି ପ୍ରାୟ ସାଢ଼େ ୨ଟାରେ କାଳୁଙ୍କୁ ଘରେ ଛାଡ଼ି ଅନ୍ୟ ୩ ଜଣ ଫେରୁଥିଲେ । କାଳୁ ଘରେ ଥିବାବେଳେ ପ୍ରାୟ ୬/୭ ଜଣ ବ୍ୟକ୍ତି ତାଙ୍କ ଘରେ ପଶିଥିଲେ । କାଳୁଙ୍କୁ ଉଠାଇ ନେବାକୁ ଉଦ୍ୟମ କରିବାବେଳେ ପତ୍ନୀ ମାମିନା ପଲେଇ ବିରୋଧ କରିଥିଲେ । ମାମିନା ଓ ତାଙ୍କ ଛୋଟ ଝିଅକୁ ଟେକି ନେଇ ବାହାରେ କଚାଡ଼ି ଦେଇଥିଲେ ଅଭିଯୁକ୍ତ । ପରେ ବନ୍ଧୁକ ବଟ୍ରେ କାଳୁଙ୍କ ଆଖିକୁ ଛେଚି ରକ୍ତାକ୍ତ କରିଥିଲେ । ଧରିଥିବା ଭୁଜାଲିରେ କାଳୁଙ୍କ ହାତ, ପେଟ, ପିଟି ଆଦି ସ୍ଥାନକୁ ହାଣି ପକାଇଥିଲେ । ପରେ ସେଠାରୁ ଖସିଆସି ବାଟରେ ଅନ୍ୟ ୩ ଜଣଙ୍କୁ ଆକ୍ରମଣ କରିଥିଲେ । ଧନେଶ୍ୱରଙ୍କୁ ଗୁଳିମାଡ଼ କରିଥିଲେ ଅଭିଯୁକ୍ତ । ଗୁଳିଟି ତାଙ୍କ ପିଠିରେ ବାଜି ପେଟ ଭେଦ କରିଥିବା ଧନେଶ୍ୱରଙ୍କ ସମ୍ପର୍କୀୟ କହିଛନ୍ତି । ଅନ୍ୟ ୨ ଜଣଙ୍କୁ ଗୋଟାଳିରେ ପିଟି ହାତ ଗୋଡ଼ ଭାଙ୍ଗିଥିଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ଏହାପରେ ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅଧିକ ଚିକିତ୍ସା ପାଇଁ ଧନେଶ୍ୱରଙ୍କୁ କଟକ ସ୍ଥାନାନ୍ତର କରାଇଥିଲେ ଡାକ୍ତର । ହେଲେ ଜରୁରୀ ଚିକିତ୍ସା ଆବଶ୍ୟକ ଥିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ଗୁରୁବାର ସନ୍ଧ୍ୟାସୁଧା ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା କହିଛନ୍ତି ସଦର ଏସ୍ଡିପିଓ କିଶୋର ଚନ୍ଦ୍ର ମୁଣ୍ଡ୍ । କାଳୁଙ୍କ ପତ୍ନୀ ମାମିନା କହିଛନ୍ତି ଯେ, ସୁବାସ ଓ ରାଜୁନା ନାମକ ୨ ଜଣ ବ୍ୟକ୍ତିଙ୍କୁ ସେ ଚିହ୍ନିପାରିଛନ୍ତି । ଅନ୍ୟମାନଙ୍କୁ ସେ ଚିହ୍ନି ନ ଥିବା କହିଛନ୍ତି । ସୁବାସ ଓ ରାଜୁନା ଏଭଳି କାଣ୍ଡ ଘଟାଇ ଘରୁ ବାହାରିଯିବା ପରେ ଅନ୍ୟ ୩ ଜଣଙ୍କୁ ହତ୍ୟା ଉଦ୍ୟମ କରିଥିବା ସେ କହିଛନ୍ତି ।
ପିତେଇପୁର ଅଞ୍ଚଳର ପ୍ରକାଶ ଏବେ ଗ୍ୟାଙ୍ଗ୍ଷ୍ଟର୍ ସାଜିଥିବା ପୁଲିସ ରେକର୍ଡରୁ ଜଣାପଡ଼ିଛି । ପୂର୍ବରୁ ଏନ୍କାଉଣ୍ଟର୍ର ଶିକାର ହୋଇଥିବା ସୁବାସ ଓ ପ୍ରକାଶ ଗୋଟିଏ ଗ୍ୟାଙ୍ଗ୍ରେ ଥିବାବେଳେ କିଛିଦିନ ତଳୁ ଉଭୟ ଅଲଗା ହୋଇଛନ୍ତି । ଚୋରାବାଲି କାରବରେ ପ୍ରକାଶ ଲକ୍ଷ ଲକ୍ଷ ଟଙ୍କା ଲାଭ ଉଠାଉଥିବାବେଳେ ଏହାକୁ ସୁବାସ ସହ୍ୟ କରିପାରି ନ ଥିଲା ବୋଲି ଚର୍ଚ୍ଚା ହେଉଛି । ଅଞ୍ଚଳରୁ ଦାଦାବଟି ଆଦାୟ ହେଉ କି ପତିଆରା ଜମାଇବା । ସବୁ କ୍ଷେତ୍ରରେ ପ୍ରକାଶ ଦବ୍ଦବା ଜାହିର୍ କରୁଥିବାବେଳେ ସୁବାସ କିଛିଦିନ ହେବ ଦୂରେଇ ରହିଥିବା ପୁଲିସ କହିଛି । ତେଣୁ ପତିଆରା ବଢ଼ାଇବା ପାଇଁ ପ୍ରକାଶ ଗ୍ୟାଙ୍ଗ୍କୁ ସୁବାସ୍ ଟାର୍ଗେଟ୍ କରିଥିବା କୁହାଯାଉଛି । ଆହତ ଅଙ୍କିତ ପ୍ରକାଶର ଜେସିବି ଡ୍ରାଇଭର୍ ବୋଲି କହିଛନ୍ତି ଏସ୍ଡିପିଓ ଶ୍ରୀ ମୁଣ୍ଡ୍ । ଉଭୟ ପକ୍ଷ ପୂର୍ବରୁ ଏକାଠି ଥିଲେ ବୋଲି ବି ସେ କହିଛନ୍ତି । ତେଣୁ ପ୍ରକାଶ ଗ୍ୟାଙ୍ଗ୍ର ମୁଣ୍ଡ ଗଡ଼ାଇବାକୁ ଯୋଜନା କରିଥିବା ସୁବାସ ଗ୍ୟାଙ୍ଗ୍କୁ ଖୋଜୁଛି ପୁଲିସ । ହେଲେ ଏନେଇ ଗୁରୁବାର ରାତି ସୁଦ୍ଧା ଏତଲା ହୋଇ ନ ଥିବା କହିଛନ୍ତି ଏସ୍ଡିପିଓ । ଏତଲା ଯେଉଁ ଆଧାରରେ ହେବ ତାହାକୁ ନେଇ ତଦନ୍ତ ଆରମ୍ଭ ହେବ ହେବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଦାଦାବଟି ମାଗି ଗତ ୨୨ ତାରିଖରେ ୱାଟର୍ ପାର୍କକୁ ବୋମାମାଡ଼ କରିଥିଲା ପ୍ରକାଶ ଗ୍ୟାଙ୍ଗ୍ । ଏହି ମାମଲାରେ ଗ୍ୟାଙ୍ଗ୍ର ୩ ଜଣଙ୍କୁ ପୁଲିସ ଗୁରୁବାର ଗିରଫ କରିଛି ।