ନୂଆଦିଲ୍ଲୀ ୨୦/୦୧: ଗତ କିଛି ବର୍ଷ ମଧ୍ୟରେ ସିଧା, ରେଶମୀ କେଶର ଫ୍ୟାଶନ୍ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଲୋକମାନେ କେଶକୁ ସିଧା କରିବା ପାଇଁ ବ୍ୟୁଟି ପାର୍ଲର ଏବଂ ହେୟାର ସେଲୁନକୁ ଯାଉଛନ୍ତି।କିନ୍ତୁ କେଶ ସିଧା କରିବାରେ ବ୍ୟବହୃତ ରାସାୟନିକ ଚିକିତ୍ସା ବିପଜ୍ଜନକ ହୋଇପାରେ। ରାସାୟନିକ କ୍ରିମ୍ ପ୍ରୟୋଗ କରିବା ପରେ, ଅନେକ ଗରମ ଚିକିତ୍ସା ଦ୍ୱାରା କେଶକୁ ସିଧା କରାଯାଏ। ଏହି ରାସାୟନିକ ପଦାର୍ଥ ଏତେ ବିପଜ୍ଜନକ ଯେ ଏହା ଆଖି, ନାକ ଏବଂ ଚର୍ମରେ ଜ୍ୱଳନ ସୃଷ୍ଟି କରିପାରେ। ଖାଲି ଏତିକି ନୁହେଁ ଏହା କିଡ୍‌ନୀ ଫେଲ୍‌ ମଧ୍ୟ କରିପାରେ। ପ୍ରଫେସର ଡକ୍ଟର ବିପିଏସ ତ୍ୟାଗୀ ଏହାର ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଲୋକଙ୍କୁ ସତର୍କ କରାଇ ଏକ ଭିଡିଓ ସେୟାର କରିଛନ୍ତି।

ଡକ୍ଟର ବିପିଏସ ତ୍ୟାଗୀ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ କେଶ ସିଧା କରିବା ଦ୍ୱାରା ଆପଣଙ୍କ ଡାଏଲିସିସ୍ ଆବଶ୍ୟକ ହୋଇପାରେ। ଡକ୍ଟର ତ୍ୟାଗୀ କହିଛନ୍ତି ଯେ କେଶକୁ ସିଧା କରିବା ପାଇଁ ଗ୍ଲାଇଅକ୍ସାଲିକ୍ ଏସିଡ୍ ରାସାୟନିକ ପଦାର୍ଥ ବ୍ୟବହାର କରାଯାଏ, ଯାହା ଆମ କେଶକୁ ସିଧା କରିଥାଏ, କିନ୍ତୁ ତା'ସହିତ ଏହା ଆମର କିଡନୀକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ। ଏହାଦ୍ୱାରା ନେଫ୍ରୋପାଥି ହୋଇଥାଏ। ନେଫ୍ରୋପାଥି ଆରମ୍ଭ ହେବା ପରେ କିଡନୀ ଫେଲ୍ ହୋଇଥାଏ ଏବଂ ଏକ୍ୟୁଟ୍ ରିନଲ ଶଟଡାଉନ୍ ହୋଇଯାଏ। ଆପଣଙ୍କୁ ଡାଏଲିସିସ୍ ଆବଶ୍ୟକ ହୋଇପାରେ।

 

ଏହି ରାସାୟନିକ ପଦାର୍ଥ, ଗ୍ଲାଇଅକ୍ସାଲିକ୍ ଏସିଡ୍, ଅଧିକାଂଶ ଦେଶରେ ନିଷିଦ୍ଧ କରାଯାଇଛି। ସମ୍ପ୍ରତି, ଇସ୍ରାଏଲର ଜଣେ ୧୫ ବର୍ଷୀୟ ଝିଅ ତାଙ୍କ କେଶରେ ରାସାୟନିକ ଗ୍ଲାଇଅକ୍ସାଲିକ୍ ଏସିଡ୍ ବ୍ୟବହାର କରିଥିଲେ ଏବଂ ପରବର୍ତ୍ତୀ ସମୟରେ ପେଟ ଯନ୍ତ୍ରଣା ହୋଇଥିଲା, ପରେ ଜଣାପଡିଥିଲା ତାଙ୍କର ଏକ୍ୟୁଟ୍ କିଡନୀ ଆଘାତ ହୋଇଛି। ଏହି ରାସାୟନିକ ପଦାର୍ଥ ଭାରତରେ ସହଜରେ ଉପଲବ୍ଧ। ତେବେ ଡାକ୍ତର ତ୍ୟାଗୀ ଲୋକଙ୍କୁ କେଶ ସିଧା କରିବା ପୂର୍ବରୁ ଯେକୌଣସି ରାସାୟନିକ ପଦାର୍ଥର ନାମ ଜାଣିବାକୁ ପରାମର୍ଶ ଦେଇଛନ୍ତି। ଏଥିସହିତ କେଶରେ ଗ୍ଲାଇଅକ୍ସାଲିକ୍ ଏସିଡ୍ ବ୍ୟବହାର କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି।