ସୁଲୋଚନା ତାଣ୍ଡି । ଅଙ୍ଗନବାଡ଼ି କେନ୍ଦ୍ର ସହାୟିକା । ନୂଆପଡ଼ା ଜିଲ୍ଲା କୋମନା ବ୍ଲକର କରଙ୍ଗାଭାଟ ଗାଁ । ଆଖିର ଲୁହ ଆଖିରେ ମରୁଛି । ରାହା ଟେକୁଛି ମନର କୋହ । ନିଜକୁ ଧିକ୍କାର କରୁଛନ୍ତି...ଅସବର୍ଣ୍ଣ କୁଳରେ କାହିଁକି ଜନ୍ମ ନେଲି? ତାଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରେ ଦେଖିଲେ ପିଲାମାନେ ଦୁର୍ ଦୁର ମାର୍ ମାର । ଅଭିଭାବକଙ୍କ କଥା ନ କହିବା ଭଲ । ସତେ ଯେମିତି ଆକାଶରୁ ବଜ୍ର ଛିଣ୍ଡି ପଡ଼ିଛି । ଗ୍ରାମବାସୀଙ୍କ ଜିଦ୍, ସୁଲୋଚନା ଛୋଟ ଜାତିର । ସେ ରୋଷେଇ କଲେ ଆମ ପିଲା ସେ ଖାଦ୍ୟକୁ ଚାହିଁବେନି । ଖାଇବା ତ ଦୂରର କଥା । ଗୁମୁରି ଗୁମୁରି ମନରେ ଚାପି ରଖିଥିବା କୋହକୁ ବଖାଣିଛନ୍ତି ସୁଲୋଚନା । କି ପାପ ସେ କରିଛନ୍ତି? ମରି ମରି ବଞ୍ଚୁଛନ୍ତି ସେ । ଜହ୍ନ ରାଇଜରେ ମଣିଷ ଘର କରିବାକୁ ଅଣ୍ଟା ଭିଡ଼ିଲାଣି । ହେଲେ ଆମ ସମାଜରେ ଆଜି ବି ଛୁଆଁ ଅଛୁଆଁର କୁତ୍ସିତ ମାନସିକତା ଅଛି ତାହା ଜଳଜଳ ।

ଛୁଆଁ ଅଛୁଆଁର ବୁଢ଼ିଆଣୀ ଜାଲ

କେନ୍ଦ୍ରାପଡ଼ା ପରେ ନୂଆପଡ଼ା । ନୟାଗଡ଼ ଜିଲ୍ଲାର ଗଣିଆ ବେଲପଡ଼ା । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଖବର ଆମକୁ ଚକିତ କଲା ଭଳି । ଜାତିଭେଦର ବୁଢ଼ିଆଣୀ ଜାଲରେ ଆଜି ବି ଆମେ ଛଟପଟ । ଉଚ୍ଚ, ନୀଚ୍ଚ ଜାତିର ପାଚେରୀ ଛିଡ଼ା କରାଇ ଆମେ ମାରପେଞ୍ଚ ଚଳାଇଛେ । କେନ୍ଦ୍ରାପଡ଼ା ରାଜନଗର ବ୍ଲକ ନୂଆଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଶର୍ମିଷ୍ଠା ସେଠୀ ସହାୟିକା ଭାବେ ନିଯୁକ୍ତି ପାଇଲେ । ଯେମିତି ଆକାଶରୁ ବଜ୍ର ଛିଣ୍ଡିଲା । ଅଭିଯୋଗ ଉଠିଲା, ସେ ଅସବର୍ଣ୍ଣ ଜାତିର । ଅଙ୍ଗନବାଡ଼ି ଦୁଆର ମାଡ଼ିଲେନି ପିଲା । ମାସ ମାସ ଧରି ଏମିତି ଲାଗି ରହିଲା । ଏକା ଏକା ନିଜକୁ ପ୍ରଶ୍ନ କଲେ ଶର୍ମିଷ୍ଠା । ମୋର ଭୁଲ୍ କେଉଁଠି? ପ୍ରଶାସନ କୁମ୍ଭକର୍ଣ୍ଣ ନିଦରେ ଶୋଇ ରହିଲେ । ସରକାର ବି ଚୁପ୍ । ଲୋକ ପ୍ରତିନିଧି ଆଖି କାନ ବନ୍ଦ କରି ବସିଲେ । ପ୍ରସଙ୍ଗ ଭାୟା ଗଣମାଧ୍ୟମ ହୋଇ ପାର୍ଲାମେଣ୍ଟରେ ପହଞ୍ଚିଲା । ପହଡ଼ ଭାଙ୍ଗିଲା । ନେତା, ବାବୁ ପହଞ୍ଚିଲେ । ମିଡିଆ, କ୍ୟାମେରାର ଭିଡ଼ ଲାଗିଲା । ‘ଛୁଆଁ’ରେ ଛଟପଟ ଶର୍ମିଷ୍ଠା ଗ୍ରହଣୀୟ ହେଲେ । ଅଙ୍ଗନବାଡ଼ିକୁ ମୁହଁ ମୋଡ଼ୁଥିବା ପିଲାମାନେ ଆସିଲେ । ଶର୍ମିଷ୍ଠାଙ୍କ ହାତ ପରଷା ଖାଇଲେ । ପ୍ରଶ୍ନ ଉଠୁଛି, ଗଣମାଧ୍ୟମ ଆଉ ସଂସଦରେ ଶର୍ମିଷ୍ଠାଙ୍କ କାହାଣୀ ଉଠି ନଥିଲେ କେତେଦିନ ଅନ୍ତର୍ଦାହରେ ସେ ଜଳିଥାନ୍ତେ? ଜାତି ଅଜାତିର ଭେଦଭାବର କୋହକୁ ଧରି ଦିନ କାଟିଥାନ୍ତେ? କିଏ ଦେବ ଏ ପ୍ରଶ୍ନର ଉତ୍ତର?

‘ଜାତି’ ଯନ୍ତ୍ରଣାର କାହାଣୀ

ରାଜନଗର ବିବାଦ ତୁଟିଲା ବେଳକୁ ନୂଆପଡ଼ାରୁ ଆସିଛି ‘ଜାତି’ ଯନ୍ତ୍ରଣାର ଖବର । ସିନାପାଲି ଓ କୋମନା ଅଞ୍ଚଳରେ ‘ଅସବର୍ଣ୍ଣ’ ଜାତି ଛିଡ଼ା କରାଇଛି ପ୍ରତିବନ୍ଧକ । ଅନୁସୂଚିତ ଜାତିର ସହାୟିକା ନିଯୁକ୍ତି ଯୋଗୁଁ ପଲାସାପଡ଼ା ଅଙ୍ଗନବାଡ଼ି କେନ୍ଦ୍ରକୁ ଆସୁନାହାନ୍ତି ପିଲା । ସହାୟିକା ମମତା ବାଗଙ୍କ ହାତରୁ ଖାଦ୍ୟ ନେଉନାହାନ୍ତି ଶିଶୁ ଓ ଗର୍ଭବତୀ । ସିନାପାଲି ବିଡିଓ, ସିଡିପିଓ ଗାଁରେ ଆଲୋଚନା କରିଥିଲେ ବି ଫଳ ମିଳିନି । କୋମନା ବ୍ଲକ କରଙ୍ଗାଭାଟ କେନ୍ଦ୍ରରେ ସୁଲୋଚନା ତାଣ୍ଡି ସହାୟିକା ଭାବେ ନିଯୁକ୍ତି ପାଇ କାନ୍ଦୁଛନ୍ତି । ଜିଉଁଛନ୍ତି ଯନ୍ତ୍ରଣା ଜର୍ଜରିତ ଜୀବନ । ତୁମେ ଅନୁସୂଚିତ ଜାତିର । ତୁମ ହାତରନ୍ଧା ରୋଷେଇ ଆମ ପିଲା ଖାଇବେନି । ଅଭିଭାବକଙ୍କ ଏ ନାଲିଆଖି ସୁଲୋଚନାଙ୍କ ପାଇଁ ଚିନ୍ତା ବଢ଼ାଇଲା । ରୋଷେଇ ପାଇଁ ବାରଣ ପରେ, ସେ ନିଜ ଦରମାର ୭୦ ପ୍ରତିଶତ ଟଙ୍କା ଦେଇ ଅନ୍ୟ ଜଣେ ରୋଷେୟାଙ୍କୁ ନିୟୋଜିତ କରଛନ୍ତି । ଦୀର୍ଘ ୭ ବର୍ଷ ଧରି ଏଭଳି ମାନସିକ ଓ ଆର୍ଥିକ ଦୁଶ୍ଚିନ୍ତା ଭିତରେ ରହୁଥିବା ସୁଲୋଚନା ସାହସ ବାନ୍ଧି ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି । ‘ଜାତିପ୍ରଥା’ର କୁତ୍ସିତ ମାନସିକତା ଯେ କବର ନେଇନି ତାହା ଜଳଜଳ । ଆଉ କେତେ ବର୍ଷ ଗଲେ ଆମେ ଏ ମାନସିକତାରୁ ମୁକୁଳିବା? ଅଙ୍ଗନବାଡ଼ି ସହାୟିକା ନିଯୁକ୍ତିରେ ଏସ୍‌ସି -ଏସ୍‌ସି ବର୍ଗର ମହିଳାଙ୍କୁ ପ୍ରାଥମିକତା ମିଳୁଛି । ନିଯୁକ୍ତି ପରେ ଆରମ୍ଭ ହେଉଛି ଛି ଛି ମାର ମାର । ସହାୟିକାମାନେ ଜାତିଗତ ଭେଦଭାବର ଶିକାର ହେଉଛନ୍ତି । ଲୋକଙ୍କ ମାନସିକତା ବଦଳାଇପାରୁନି ପ୍ରଶାସନ । ଜାତିଗତ ଭେଦଭାବ କେବଳ ସଚେତନତାର ଅଭାବକୁ ସୂଚାଉନି, ଅଭିଭାବକଙ୍କ ଏଭଳି କୁତ୍ସିତ ମାନସିକତା କୋମଳମତି ଶିଶୁଙ୍କ ମନରେ ବି ବିଷ ମଞ୍ଜି ବୁଣୁଛି । ନୟାଗଡ଼ ଗଣିଆ ବେଲପଡ଼ା ପ୍ରାଥମିକ ସ୍କୁଲର ୫ମ ଶ୍ରେଣୀ ଛାତ୍ର ଭୋଳାନାଥଙ୍କ ମୃତ୍ୟୁକୁ ନେଇ ତ ଲଙ୍କାକାଣ୍ଡ ଅବସ୍ଥା । ଅଭିଯୋଗ, ଭୋଳାନାଥ ଜାରିଆଣ ଆକ୍ଷେପର ଶିକାର ହେଉଥିଲେ । ଏପରିକି ଅସବର୍ଣ୍ଣ ହୋଇଥିବାରୁ ସ୍କୁଲ ଶୌଚାଳୟ ବ୍ୟବହାର କରିବାରୁ ବଞ୍ଚିତ ହେଉଥିଲେ । ସେ ଶୌଚ ହେବାକୁ ବାହାରକୁ ଯାଇ ଆଉ ଫେରିନଥିଲେ । ଦିନକ ପରେ ତାଙ୍କ ମୃତ ଶରୀର ଏକ ପରିତ୍ୟକ୍ତ କୂଅରୁ ମିଳିଥିଲା । ଏଭଳି ଘଟଣାରେ ପରିବାର ଲୋକ ସ୍କୁଲ କର୍ତ୍ତୃପକ୍ଷଙ୍କୁ କାଠଗଡ଼ାକୁ ଟାଣିଛନ୍ତି । ଯଦି ଅଭିଯୋଗ ସତ ହୋଇଥିବ ତାହା ହେବ ସବୁଠାରୁ ବଡ଼ ବିଡ଼ମ୍ବନା । ଶିକ୍ଷାନୁଷ୍ଠାନରେ ଯେଉଁଠି ପିଲାମାନଙ୍କୁ ଏକତା ଓ ଭାଇଚାରାର ଶିକ୍ଷା ମିଳେ ସେଠି ଯଦି ‘ଛୁଆଁ ଅଛୁଆଁ’ର କୁତ୍ସିତ ବ୍ୟବସ୍ଥା ରହିବ କାହାକୁ କହିବା । ହିଡ଼ ଯଦି ଫସଲ ଖାଇବ କାହାକୁ ଆମେ ଦାୟୀ କରିବା? ସମୟ ଆସିଛି ଆମକୁ ଆତ୍ମସମୀକ୍ଷା କରିବାକୁ ହେବ ।

ଆତ୍ମସମୀକ୍ଷାର ବେଳ

ଅସବର୍ଣ୍ଣ ସୃଷ୍ଟି କରିଛନ୍ତି ଅସବର୍ଣ୍ଣ । ମନୁଷ୍ୟ ମନୁଷ୍ୟକୁ ଅସ୍ପୃଶ୍ୟତାର ପଘାରେ ବାନ୍ଧୁଛି । ଆମେ ‘ଛୁଆଁ-ଅଛୁଆଁ’ ମାନସିକତାକୁ ଧରି ଔଦ୍ଧତ୍ୟର ସୀମା ଟପୁଛୁ । ସୀମା ଲଂଘନର ସୀମା ବି ଆମେ ଡେଇଁ ସାରିଲୁଣି । ଏସବୁ କେବଳ ଗୋଟିଏ ଗାଁର ଘଟଣା ନୁହେଁ, ଆମ ସାମାଜିକ ମନୋଭାବର ଏହା ନଗ୍ନ ଚିତ୍ର । ଆମେ ଶିକ୍ଷା, ସମାନତା ଓ ଅଧିକାର କଥା କହିଲା ବେଳେ ‘ଜାତିଆଣ’ ଭେଦଭାବ ସାମାଜିକ ସଙ୍କଟ ଛିଡ଼ା କରାଇଛି । ଭାରତୀୟ ସମ୍ବିଧାନ ସମସ୍ତଙ୍କୁ ସମାନ ଅଧିକାର ଦେଇଛି । ‘ଅସ୍ପୃଶ୍ୟତା’ ଆଇନ ଅନୁସାରେ ସଂପୂର୍ଣ୍ଣ ଅବୈଧ । ତଥାପି ଜାତିକୁ ନେଇ ଆମ ମନୋଭାବ ପରିବର୍ତ୍ତନ ହୋଇନାହିଁ । ଅଙ୍ଗନବାଡି କେନ୍ଦ୍ରର ମୂଳ ଲକ୍ଷ୍ୟ ହେଉଛି ଶିଶୁମାନଙ୍କର ପୋଷଣ, ଶିକ୍ଷା ଓ ସାମଗ୍ରୀକ ବିକାଶ । ସେଠାରେ କାମ କରୁଥିବା ବ୍ୟକ୍ତିଙ୍କର ଜାତି ନୁହେଁ, ତାଙ୍କର କର୍ତ୍ତବ୍ୟନିଷ୍ଠା ଓ ସେବାଭାବ ହିଁ ମୁଖ୍ୟ । ପିଲାମାନଙ୍କ ମନରେ ଆମେ ଜାତି ବିଭେଦ କାହିଁକି ଭର୍ତ୍ତି କରୁଛୁ । ଏହା ଶିଶୁମାନଙ୍କ ଭବିଷ୍ୟତକୁ ଅନ୍ଧକାର ଆଡ଼କୁ ଠେଲି ଦେଉନି କି? ସମାନତା ଓ ମାନବତା ହେଉଛି ଆଧୁନିକ ଭାରତର ଭିତ୍ତି । ବୁଦ୍ଧିଜୀବୀ, ଶିକ୍ଷକ, ପ୍ରଶାସନ ଓ ସାମାଜିକ ସଂଗଠନମାନେ ଏଥିପାଇଁ ଅଣ୍ଟା ଭିଡ଼ିବାର ସମୟ ଆସିଛି । ସ୍ୱାଧୀନତାର ଅମୃତ କାଳରେ ସମାନତାର ଭାରତ ଗଢ଼ିବା ବଦଳରେ ଆମେ ‘ଛୁଆଁ- ଅଛୁଆଁ’ର ଭାରତ କାହିଁକି ତିଆରି କରୁଛୁ?

କେନ୍ଦ୍ରାପଡ଼ାରୁ ପାର୍ଲାମେଣ୍ଟ । ଓଡ଼ିଶାରେ ଛୁଆଁ ଅଛୁଆଁ ଭେଦଭାବ କଥା ସଂସଦରେ ଉଠିଲା । ରାଜ୍ୟ ଲଜ୍ଜିତ ହେଲା । ଜାତିଭେଦକୁ ନେଇ ଜାତୀୟସ୍ତରରେ ବଦନାମ ମୁଣ୍ଡାଇଲା ଓଡ଼ିଶା । ଆମେ ଢେର କ୍ଷତି ତ ସହିଲେ । ଅବଶ୍ୟ ତା ପରେ ସାଂସଦ ଓ ବିଧାୟକ ମୁଣ୍ଡକୁ ନେଲେ ଦାୟିତ୍ୱ । ସ୍ୱାଭାବିକ ଅବସ୍ଥାକୁ ଫେରିଲା ଅଙ୍ଗନବାଡ଼ି କେନ୍ଦ୍ର । ହେଲେ କ’ଣ ପାଇଁ ଏ ଜାତି ବିଭକ୍ତିକରଣ? ଆଜି ବି ଏ ଭୟଙ୍କର ଭୂତାଣୁ ‘କରୋନା’ ଭଳି ଏହା ଆମକୁ ଗୋଡ଼ାଊଛି । ଦୁର୍ବଳ ଶ୍ରେଣୀକୁ ଆମେ ‘ଅଛୁଆଁ’ର ନାଗଫାଶରେ ବାନ୍ଧି କେତେଦିନ ଆଉ ମଉଜ କରିବା? ଏହା କ’ଣ ଆମର ଅହଂକାର ନୁହେଁ? ମଣିଷ ମଣିଷକୁ ‘ଅସ୍ପୃଶ୍ୟ’ର ମାପକାଠିରେ ଧ୍ୱଂସ କରିବାର ଷଡ଼ଯନ୍ତ୍ରରୁ କେବେ ନିବୃତ୍ତ ହେବ । ସରକାର, ସମାଜବିଜ୍ଞାନୀ, ସାମାଜିକ ସଂଗଠନ, ଗଣମାଧ୍ୟମ, ବ୍ୟକ୍ତିବିଶେଷ, ଲୋକ ପ୍ରତିନିଧି ହାତବାନ୍ଧି ବସିବା କେତେ ଯୁକ୍ତିଯୁକ୍ତ?

ହଁ...., କରୋନା ମହାମାରୀ ଆମକୁ ମହାଶିକ୍ଷା ଦେବା ପରେ ବି ଆମେ ଚେତୁନୁ । ଯେଉଁମାନେ ତୁମର ଯତ୍ନ ନେଉଛନ୍ତି, ସେମାନଙ୍କୁ ଭଲ ପାଅ । ସମ୍ମାନ କର । ଛୋଟଛୋଟ ସହଯୋଗ, ମିଠାକଥା, ଆପଣାପଣକୁ ଜୀବନସାରା ମନେ ରଖ । ନିଷ୍ଠା, ଆନ୍ତରିକତା ଓ ମଣିଷପଣିଆକୁ ଉଜାଗର କର । ସଂପଦ ନୁହଁ, ସଂପର୍କ³ ପ୍ରତିପତ୍ତି ନୁହଁ, ଆତ୍ମୀୟତା ଜୀବନର ମନ୍ତ୍ର ପାଲଟୁ । ଆଡ଼ମ୍ବର ଅପେକ୍ଷା ଜୀବନ ନମ୍ରତାମୁହାଁ ହେଉ । ଆମ ସ୍ୱାସ୍ଥ୍ୟ ପାଇଁ ଡାକ୍ତରଙ୍କର ଯେତିକି ଆବଶ୍ୟକତା, ସଫେଇ କର୍ମଚାରୀଙ୍କର ବି ସେତିକି ଆବଶ୍ୟକତା ଅଛି । ଆସନ୍ତୁ ଆମେ ‘ଜାତି-ଅଜାତି’ ଭେଦଭାବରୁ ମୁକୁଳିବା । ଉଡ଼ାଇବା ଏକତା ଓ ସମାନତାର ବିଜୟ ବାନା ।