ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଦିନ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ଏହି ସମୟରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ସାକ୍ଷାତ କରିଛନ୍ତି। ଏହାସହ ରାଜ୍ୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଏବଂ କେନ୍ଦ୍ର-ରାଜ୍ୟ ସମନ୍ୱୟ ସମ୍ପର୍କିତ ବିଷୟଗୁଡ଼ିକ ଉପରେ ଶାହଙ୍କ ସହ ସେ ଆଲୋଚନା କରିଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏନେଇ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏନେଇ ସୂଚନା ପ୍ରଦାନ କରିଛନ୍ତି। ସେ ଲେଖିଛନ୍ତି ଯେ, ଆଜି ନୂଆଦିଲ୍ଲୀରେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲି। ଏହି ଅବସରରେ ରାଜ୍ୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଓ କେନ୍ଦ୍ର-ରାଜ୍ୟ ସମନ୍ୱୟ ସମ୍ପର୍କିତ ବିଷୟଗୁଡ଼ିକ ଉପରେ ଆଲୋଚନା ହୋଇଥିଲା।



ସେହିପରି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର ପାଟିଲଙ୍କ ସହ ଆଲୋଚନା ବେଳେ ଓଡିଶାର ମହାନଦୀ ଜଳ ବିବାଦ ଉପରେ ଆଲୋଚନା କରିଛନ୍ତି।  ନିକଟରେ ଓଡିଶା ମୁଖ୍ୟମନ୍ତ୍ରୀ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ମହାନଦୀ ଜଳ ବିବାଦର ଆପୋଷ ସମାଧାନ କଥା କହିଥିଲେ । ଉଭୟ ରାଜ୍ୟକୁ ସୁହାଇଲା ଭଳି ଏକ ସମାଧାନର ରାସ୍ତା ବାହାର କରିବା ପାଇଁ ଆଜି କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି ।ଏହାସହ ଶ୍ରୀ ପାଟିଲଙ୍କୁ 'ଭିଜନ ଓଡ଼ିଶା ୨୦୩୬। ୨୦୪୭' ପ୍ରଦାନ କରିଛନ୍ତି। 



ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତରେ ଥିବା ସମୟରେ ପାର୍ଲାମେଣ୍ଟ ପରିସରରେ ରାଜ୍ୟର ବିଜେପି ସାଂସଦମାନଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହି ସାକ୍ଷାତରେ ଏମପି ଅନନ୍ତ ନାଏକ, ସମ୍ବିତ ପାତ୍ର ଏବଂ ନବଚରଣ ମାଝୀ ଉପସ୍ଥିତ ଥିଲେ ବୋଲି ସୂଚନା ମିଳିଛି। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ସାକ୍ଷାତର ସୂଚନା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ଜଣାଇଛନ୍ତି। ତେବେ ଏହି ଭେଟ ଓଡ଼ିଶାର ରାଜନୈତିକ ମହଲରେ ଆଲୋଚନାର ବିଷୟ ହୋଇଛି।