ଭୁବନେଶ୍ଵର, ୯/୧୨ : ରାଷ୍ଟ୍ରଗାନ ବନ୍ଦେ ମାତରମ୍ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବକ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି ଯେ, ବନ୍ଦେ ମାତରମ୍-ଏକ ଗୀତ ନୁହେଁ, ଏହା ଭାରତର ଆତ୍ମା। କାରଣ ଏଇ ଗୀତ ଆମକୁ ସଂଘର୍ଷ ଭରା ସ୍ଵାଧୀନତା ସଂଗ୍ରାମ ବିଷୟରେ ମନେ ପକାଇ ଦିଏ । ଏହି ରାଷ୍ଟ୍ରଗୀତ ଆମ ଶିରା ପ୍ରଶିରାରେ ପ୍ରବାହିତ ହେଉଥିବା ରକ୍ତର ବେଗ, ଆଉ ଆମ ପ୍ରଶ୍ୱାସର ଗତି ସହିତ ଜଡ଼ିତ । ଜଣେ ସାଧାରଣ ସାହିତ୍ୟିକ ଯେପରି କୌଣସି ସଂକଳନ ରଚନା କରନ୍ତି, ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ସେପରି ନଥିଲେ। ସେ ଶବ୍ଦରେ ଜୀବନ ଭରିଥିଲେ, ପ୍ରତ୍ୟେକ ପଦରେ ଅଗ୍ନି ଭରି ଦେଉଥିଲେ। ୭ ନଭେମ୍ବର ୧୮୭୫ ରେ ଯେତେବେଳେ ତାଙ୍କ ଅମର କୃତି "ଆନନ୍ଦ ମଠ" ମାଧ୍ୟମରେ ‘ବନ୍ଦେ ମାତରମ୍’ ପ୍ରଥମେ ପ୍ରକାଶିତ ହୋଇଥିଲା, ସେତେବେଳେ ଗୋଟେ ନୂଆ ଯୁଗର ଆରମ୍ଭ ହେଲା। ବଙ୍କିମ୍ ଚନ୍ଦ୍ରଙ୍କ ଆନନ୍ଦ ମଠ ଉପନ୍ୟାସ ଦେଶର ସ୍ୱାଧୀନତା ସଂଗ୍ରାମରେ ଗଭୀର ପ୍ରଭାବ ପକାଇଥିଲା। ଆନନ୍ଦ ମଠ ଉପନ୍ୟାସରେ ବନ୍ଦେ ମାତରମ୍ ଗୀତ ପ୍ରକାଶିତ ହୋଇଥିଲା।
ଭାରତ ଭୂ-ଖଣ୍ଡକୁ ଭାରତ ମାତା ରୂପେ ବର୍ଣ୍ଣନା:
୧୮୭୫ ମସିହା ଅକ୍ଷୟ ନବମୀ ନଭେମ୍ବର ୭ ତାରିଖରେ ଏହି ଗୀତ ଲେଖାଯାଇଥିଲା। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦିନ ଏହାର ୧୫୦ତମ ପୂର୍ତ୍ତି ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୧୮୮୨ରେ ଆନନ୍ଦ ମଠ ପ୍ରକାଶିତ ହୋଇଥିଲା ଏବଂ ୧୮୯୬ରେ ରବୀନ୍ଦ୍ରନାଥ ଟାଗୋର ପ୍ରଥମେ ଏହି ଗୀତକୁ ପାଠ କରିଥିଲେ। ଏହି ସଂଗୀତ ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉପରେ ଗଭୀର ରେଖାପାତ କରିଥିଲା। କାରଣ ପ୍ରଥମ ଥର ପାଇଁ ଭାରତ ଭୂ-ଖଣ୍ଡକୁ ଭାରତ ମାତା ରୂପେ ବର୍ଣ୍ଣନା କରି ଏହି ସଂଗୀତ ଲେଖାଯାଇଥିଲା । ମାତୃ ସ୍ୱରୂପା ମାତୃଭୂମି ଚିନ୍ତାଧାରା ସମସ୍ତଙ୍କ ଉପରେ ଗଭୀର ରେଖାପାତ କରିଥିଲା ଏବଂ ଦେଶବାସୀ ପ୍ରବଳ ଉତ୍ସାହ ଓ ଭାବବିହ୍ୱଳ ହୋଇ ଇଂରେଜ ବିରୋଧୀ ସଂଗ୍ରାମରେ ଯୋଗ ଦେଇଥିଲେ। ଲୋକଙ୍କ ଭିତରେ ଏହା ଏକ ବୈପ୍ଳବିକ ମନୋଭାବ ସୃଷ୍ଟି କରିଥିଲା। ଏହି ସଂଗୀତ ଏତେ ଲୋକପ୍ରିୟ ହୋଇଥିଲା, ବ୍ରିଟିଶ ସରକାର ଭୟଭୀତ ହୋଇ ଏହାକୁ ବ୍ୟାନ କରିଥିଲେ। ସ୍ୱାଧୀନତା ପରଠାରୁ ଯଦିଓ ରାଷ୍ଟ୍ରଗୀତ ଭାବେ ଏହାକୁ ମର୍ଯ୍ୟାଦା ଦିଆଯାଇଛି, କିନ୍ତୁ ଏହାର ଗୁରୁତ୍ବକୁ ଅବକ୍ଷୟ କରିବା ପାଇଁ କିଛି ନ୍ୟସ୍ତସ୍ଵାର୍ଥ ଗୋଷ୍ଠୀଙ୍କ ଦ୍ଵାରା ପ୍ରଚେଷ୍ଟା ଚାଲିଛି, ବିଶେଷ ଭାବେ ସ୍ଵାଧୀନତା ପରବର୍ତ୍ତୀ ଭରତରେ ।
ସେଥିପାଇଁ ପ୍ରଧାନମନ୍ତ୍ରୀ ଏହି ସବୁ ଭାବନାଗୁଡିକୁ ପୁଣିଥରେ ଜାଗ୍ରତ କରିବା ପାଇଁ ବନ୍ଦେ ମାତରମ୍ ପରି ରାଷ୍ଟ୍ରଗୀତକୁ ଉତ୍ସବ ଆକାରରେ ପାଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆମେ ଯେ କୌଣସି ଭାଷାର ହେଉ, ବା ଯେ କୌଣସି ଧର୍ମ କିମ୍ବା ଯେ କୌଣସି ଅଞ୍ଚଳର ହେଉ-ସମସ୍ତଙ୍କ ଭିତରେ ଯଦି ଦେଶପ୍ରେମ ଭାବ ନରହିବ, ତେବେ ଦେଶର ସାମଗ୍ରିକ ଉନ୍ନତି ଅସମ୍ଭବ। ଦେଶପ୍ରେମକୁ କୃତ୍ରିମ ଭାବେ କାହା ମନରେ ଜୋର୍ ଜବରଦସ୍ତି ଲଦି ଦିଆଯାଇ ପାରେନା, ଏହା ହେଉଛି ମନଭିତରର କଥା, ହୃଦୟର କଥା। ବନ୍ଦେ ମାତରମ୍ ପରି କାଳଜୟୀ ଗୀତ ଆମ ହୃଦୟରେ ଦେଶ ପ୍ରେମର ଗଭୀର ଅନୁଭବ ସୃଷ୍ଟି କରେ। ବ୍ରିଟିଶ ଶାସନର ଶିକୁଳିରେ ବନ୍ଧା ଜନମାନସର ହୃଦୟରେ ଏହି ଗୀତ ଦେଶପ୍ରେମର ଜ୍ୱାଳା ଭରି ଦେଇଥିଲା। ଜୀର୍ଣ୍ଣ ମନୋବଳରେ ନୂତନ ଶକ୍ତି ଫୁଟି ଆସିଲା ଏବଂ ଆରମ୍ଭ ହେଲା ଭାରତର ସ୍ୱାଧୀନତା ସଂଗ୍ରାମର ନୂଆ ଦିଗ।
ସଂଗ୍ରାମୀଙ୍କ ସଂଘର୍ଷକୁ ସଫଳ କରୁଥିଲା ସଂଗୀତ:
କୌଣସି ସଂଘର୍ଷକୁ ସଫଳ କରିବା ପାଇଁ, ଆନ୍ଦୋଳନକାରୀଙ୍କ ମନରେ ଉତ୍ସାହ ଭରିଦେବା ପାଇଁ ଯୁଗେ ଯୁଗେ ବିଭିନ୍ନ ଗୀତ ସଙ୍ଗୀତ, ଲୋକ ନାଟ୍ୟର ସାହାଯ୍ୟ ନିଆଯାଇଥାଏ। ଆମର ସ୍ଵାଧୀନତା ସଂଗ୍ରାମ ସମୟରେ ବି କିଛି ବ୍ୟତିକ୍ରମ ନ ଥିଲା। ଶହୀଦ ଭଗତ ସିଂ, ଆସ୍ଫାକ୍ଉଲ୍ଲା ଖାନ, ରାଜଗୁରୁ ଓ ସୁଖଦେବ ‘ମେରେ ରଙ୍ଗ ଦେ ବସନ୍ତୀ ଚୋଲା’ ଗାଇ ହସି ହସି ଫାଶୀ ଖୁଣ୍ଟରେ ଝୁଲି ଯାଇଥିଲେ, ମା’ ଭାରତୀ ପାଇଁ। ସେ ସମୟରେ ଭାରତର ଗଳି କନ୍ଦିରେ ଲୋକେ ଗାଉଥିଲେ, ‘ସାରେ ଜାହାଁ ସେ ଆଚ୍ଛା, ହିନ୍ଦୁସିତାଁ ହମାରା’, ଶ୍ୟାମଲାଲ୍ ଗୁପ୍ତାଙ୍କ ରଚିତ ‘ବିଜୟୀ ବିଶ୍ଵ ତିରଙ୍ଗା ପ୍ୟାରା, ଝଣ୍ଡା ଉଞ୍ଚା ରହେ ହମାରା’, ରବୀନ୍ଦ୍ରନାଥ ଟେଗୋରଙ୍କ ଦ୍ଵାରା ରଚିତ ‘ଏକଲା ଚଲୋ ରେ’ ପରି ଦେଶାତ୍ମବୋଧକ ସଙ୍ଗୀତ। ଏତଦ୍ବ୍ୟତୀତ ବିଭିନ୍ନ ଭାରତୀୟ ଭାଷାରେ ବି ଦେଶାତ୍ମବୋଧକ ସଙ୍ଗୀତ ଗାଇ ଇଂରେଜ ସରକାରଙ୍କ ବିରୁଦ୍ଧରେ ସଂଘର୍ଷ କରୁଥିଲେ। କିନ୍ତୁ, ବଙ୍କିମ୍ ଚନ୍ଦ୍ରଙ୍କର ରଚିତ ‘ବନ୍ଦେ ମାତରମ୍’ର ଆକର୍ଷଣ ଥିଲା ଅନନ୍ୟ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକ ଆନ୍ଦୋଳନକାରୀଙ୍କ ଥିଲା ଏହା ଆନ୍ଥେମ। ସଂଗ୍ରାମୀମାନେ ହସି ହସି ‘ବନ୍ଦେ ମାତରମ୍’ ଗାଇ ପୋଲିସ ଗୁଳିରେ ଶହୀଦ ହେଉଥିଲେ, ନ ହେଲେ ହସି ହସି ଫାଶୀ ଖୁଣ୍ଟରେ ଝୁଲି ପଡୁଥିଲେ ।
୨୦୨୬ ନଭେମ୍ବର ୭ ଯାଏଁ ପୂର୍ତ୍ତି ପାଳନ:
ଅନ୍ୟପଟେ ୧୫୦ ବର୍ଷ ପରେ, ଯେତେବେଳେ ଆମେ ସ୍ୱାଧୀନ ଭାରତରେ ଦଣ୍ଡାୟମାନ, ଯେତେବେଳେ ପୃଥିବୀ ଆମକୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଦେଖୁଛି, ଏହି ଗୀତ ଆମକୁ ସେଇ ସ୍ମୃତି ସ୍ମରଣ କରାଇ ଦେଉଛି । ସ୍ୱାଧୀନତା ପାଇବା ଠାରୁ ଆରମ୍ଭ କରି ସ୍ବାଧୀନତାର ପରବର୍ତ୍ତୀ ସମୟ ଆମ ପାଇଁ ଏହା କେତେ ମୂଲ୍ୟବାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନବ ପ୍ରୟାସରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, “ବନ୍ଦେ ମାତରମ୍”ର ୧୫୦ତମ ବର୍ଷ ପୂର୍ତ୍ତି ୨୦୨୬ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଏକ ବର୍ଷ ଧରି ଦେଶବ୍ୟାପୀ ପାଳନ କରାଯିବ।
ପ୍ରଧାନମନ୍ତ୍ରୀ ତାଙ୍କର ୧୨୭ତମ “ମନ୍ କି ବାତ୍” କାର୍ଯ୍ୟକ୍ରମରେ ମଧ୍ୟ ଏହା ଉଲ୍ଲେଖ କରିଥିଲେ। ସାରା ଦେଶରେ ରାଷ୍ଟ୍ରଭକ୍ତି ଭାବନା ଓ ଦେଶର ଏକତା ଏବଂ ଅଖଣ୍ଡତାକୁ ମଜବୁତ୍ କରିବା ପାଇଁ ଏହାକୁ ଉତ୍ସାହର ସହ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
ଭାରତ ଏବଂ ଭାରତୀୟତା ହେଉଛି ଆମ ଅସ୍ତିତ୍ୱର ମୂଳପିଣ୍ଡ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ହେଉଛୁ ଭାରତୀୟ । ମହାଭାରତୀୟତାର ମନ୍ତ୍ର ୧୪୦ କୋଟି ଦେଶବାସୀଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଛି। ଆମ ଦେଶ କେବଳ ଭୌଗଳିକ ସୀମା ଦ୍ୱାରା ଆବଦ୍ଧ ହୋଇ ନାହିଁ, ଏହାର ମହାନ ସଂସ୍କୃତି ଏହାକୁ ଏକତା ସୂତ୍ରରେ ବାନ୍ଧି ରଖିଛି।
ମୁଖ୍ୟମନ୍ତ୍ରୀ ଅହୁରି ମଧ୍ୟ କହିଛନ୍ତି, ଯେତେବେଳେ ବନ୍ଦେ ମାତରମ୍ ଏହାର ୧୦୦ତମ ବାର୍ଷିକୀ ପାଳନ କଲା, ସେତେବେଳେ ଭାରତର ସମ୍ବିଧାନକୁ ଗଳାକାଟି ହତ୍ୟା କରାଯାଇଥିଲା। ବନ୍ଦେ ମାତରମ୍ ଏହାର ୧୦୦ତମ ବାର୍ଷିକୀରେ ଦେଶପ୍ରେମ ପାଇଁ ବଞ୍ଚିଥିବା ଏବଂ ବଳିଦାନ ଦେଇଥିବା ଲୋକମାନଙ୍କୁ ଜରୁରୀ କାଳୀନ ପରିସ୍ଥିତିର କଳା ଆଇନ ବଳରେ କାରାଗାରରେ ବନ୍ଦୀ କରାଯାଇଥିଲା। ଏକଥା ପ୍ରଧାନମନ୍ତ୍ରୀ ଅତ୍ୟନ୍ତ ଦୁଃଖ ଓ କ୍ଷୋଭର ସହିତ ସଂସଦରେ ପ୍ରକାଶ କରି ନିଜ ମନର ବେଦନା ଜଣାଇଥିଲେ । ଏ ବେଦନା ଆମକୁ ସତର୍କ କରିଦିଏ, ଯେପରି ଏଭଳି ପରିସ୍ଥିତି ସ୍ୱାଧୀନ ଭାରତରେ ଆଉ କେବେ ବି ନ ଆସୁ ।
ଏ ବିଶ୍ବରେ ଏମିତି କୌଣସି ଧର୍ମ ନାହିଁ ଯେଉଁ ଧର୍ମ ମା’ଙ୍କୁ ଅସମ୍ମାନ କରିବା ପାଇଁ ଶିକ୍ଷା ଦେଇଥାଏ। ତେଣୁ, ସମସ୍ତେ ଖୋଲା ହୃଦୟରେ ଜାତୀୟ ଗାନକୁ ଗାନ କରନ୍ତୁ। ଯେଉଁ ଗୀତକୁ ଗାଇ ସ୍ଵାଧୀନତା ସଂଗ୍ରାମୀମାନେ ନିଜକୁ ବଳିଦାନ ଦେଇଥିଲେ ଆଜି ସମୟ ଆସିଛି ପୁନର୍ବାର ଏହି ଗୀତକୁ ମୁକ୍ତ କଣ୍ଠରେ ଜୟଗାନ କରି ନୂଆ ଭାରତ ନିର୍ମାଣ କରିବା। ବନ୍ଦେ ମାତରମ ଦେଶକୁ ଏକତାର ସୂତ୍ରରେ ବାନ୍ଧି ରଖିବାର ମନ୍ତ୍ର ହେଉ, ବିଭାଜନର ନୁହେଁ।