ଭୁବନେଶ୍ୱର,୨୮/୦୫ : ମୁଖ୍ୟମନ୍ତ୍ରୀ ଅନୁସନ୍ଧାନ ଓ ଅଭିନବୀକରଣ ଛାତ୍ରବୃତ୍ତି ଯୋଜନା (ଏମ୍‌ଆର୍‌ଆଇପି) ଅଧୀନ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍‌ ପ୍ରକ୍ରିୟା ଆରମ୍ଭ । ଆସନ୍ତା ୨୯ ତାରିଖରୁ ଏଥିପାଇଁ ଆବେଦନ ଆରମ୍ଭ ହେବ । ଜୁନ୍‌ ୨୪ ତାରିଖ ଯାଏ ଅନ୍‌ଲାଇନ ଆବେଦନ ହେବ । ଜୁନ୍‌ ୨୫ରେ ଆବେଦନ ପତ୍ର ସଂଶୋଧନର ସୁଯୋଗ ମିଳିବ । ଓଡି଼ଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ (ଓଏସ୍‌ଏଚ୍‌ଇସି)କୁ ସାମ୍‌ସ ପକ୍ଷରୁ ସମସ୍ତ ଆବେଦନକାରୀଙ୍କ ପତ୍ର ପ୍ରଦାନ କରାଯିବ । ଏହାପରେ ଓଏସ୍‌ଏଚ୍‌ଇସି ପକ୍ଷରୁ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରି ମେଧାତାଲିକା ପ୍ରକାଶ ପାଇବ । ଏନେଇ ସମସ୍ତ ସୂଚନା ସାମ୍‌ସ ୱେବ୍‌ସାଇଟ୍‌ www.samsodisha. gov.in ରେ ଉପଲବ୍ଧ ରହିଛି ।  

ଏହି ଛାତ୍ରବୃତ୍ତିର ମୁଖ୍ୟ ଲକ୍ଷ୍ୟ ହେଉଛି, ଶିକ୍ଷାର୍ଥୀଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାମାଜିକ ବିଜ୍ଞାନ ଓ ହ୍ୟୁମାନଟାଇଜ୍‌ କ୍ଷେତ୍ରରେ ଅଧିକ ଗବେଷଣା କରିବାକୁ ସୁଯୋଗ ଦେବା । ପ୍ରତିବର୍ଷ ୩୦୦ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଗବେଷଣା ଫେଲୋସିପ୍‌ ଦିଆଯିବ । ସରକାରୀ ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡି କରୁଥିବା ଶିକ୍ଷାର୍ଥୀମାନଙ୍କୁ ଏହି ଛାତ୍ରବୃତ୍ତି ପ୍ରଦାନ କରାଯିବ । ଉଚ୍ଚଶିକ୍ଷା ବିଭାଗ, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟର ଶିକ୍ଷାର୍ଥୀମାନେ ଆବେଦନ କରିପାରିବେ ।

ଆବେଦନକାରୀ ସ୍ନାତକ, ସ୍ନାତକୋତ୍ତର ପ୍ରଥମ ଶ୍ରେଣୀର ଉତ୍ତୀର୍ଣ୍ଣ ହୋଇଥିବା ବାଧ୍ୟତାମୂଳକ । ଆବେଦନକାରୀଙ୍କୁ ୩୫ ବର୍ଷରୁ ଅଧିକ ବୟସ ହୋଇନଥିବ । ଆବେଦନକାରୀ ପ୍ରି-ପିଏଚ୍‌ଡି କୋର୍ସ ୱାର୍କ ଯେକୌଣସି ବିଶ୍ୱବିଦ୍ୟାଳୟରେ କରିଥିବେ । ସେ ଅନ୍ୟ କୌଣସି ଆର୍ଥିକ ସହାୟତା ପାଉନଥିବେ । ଓଡ଼ିଶାର ବାସିନ୍ଦା ହୋଇଥିବେ । ଏହି ଫେଲୋସିପ୍‌ର ସୀମା ୪ବର୍ଷ ରହିବ । ଯଦି ସ୍କଲାର ଏକବର୍ଷ ପାଇଁ ଆଉ ବୃଦ୍ଧି କରିବାକୁ ଚାହାଁନ୍ତି ତେବେ ଓଏସ୍‌ଏଚ୍‌ଇସିର ଅନୁମୋଦନ ଆଣିପାରିବେ । ସ୍କଲାର ପ୍ରତିବର୍ଷ ନିଜର ରିପୋର୍ଟ ପ୍ରଦାନ କରିବେ । ମାସିକ ୩୦ହଜାର ଟଙ୍କାର ଛାତ୍ରବୃତ୍ତି ମିଳିବ । କଣ୍ଟିଜେନ୍ସି ଅର୍ଥ ଭାବେ ବିଜ୍ଞାନ ବିଭାଗ ଅର୍ଥାତ୍‌ ପ୍ରାକ୍ଟିକାଲ ବିଷୟ ଥିବା ଶିକ୍ଷାର୍ଥୀଙ୍କୁ ୫୦ହଜାର ଓ ନନ୍‌ ପ୍ରାକ୍ଟିକାଲ ବିଷୟର ଶିକ୍ଷାର୍ଥୀଙ୍କୁ ୩୦ହଜାର ଟଙ୍କା ଦିଆଯିବ ।