ଭୁବନେଶ୍ୱର,୨୩/୧୧:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୩ରୁ ୭ ତାରିଖ ଯାଏ ଓଡ଼ିଶା ଗସ୍ତରେ ଆସିବେ । ରାଷ୍ଟ୍ରପତିଙ୍କ ଗସ୍ତର ପ୍ରସ୍ତୁତି ପାଇଁ ଶୁକ୍ରବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବାର ଅଛି । ପୁରୀ ବ୍ଲୁ ଫ୍ଲାଗ ବିଚ୍ରେ ନୌସେନାର ଶକ୍ତି ପ୍ରଦର୍ଶନ ଦେଖିବା ସହ ରାଜଧାନୀରେ ବିଚାରବିଭାଗୀୟ କୋର୍ଟ କମ୍ପେ୍ଲକ୍ସର ଉଦ୍ଘାଟନ କରିବେ ।
୩ ତାରିଖ ଅପରାହ୍ଣରେ ରାଷ୍ଟ୍ରପତି ନୂଆଦିଲ୍ଲୀରୁ ବାୟୁସେନା ବିମାନରେ ବାହାରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ । ସନ୍ଧ୍ୟାରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ନୀଳାଦ୍ରି ବିହାରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନବନିର୍ମିତ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ ।
୪ ତାରିଖରେ ସ୍ୱତନ୍ତ୍ର ହେଲିକପ୍ଟରରେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ । ପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ଯୋଗ ଦେବେ । ପରେ ନୌସେନା ଦିବସ ପାଇଁ ଅପରାହ୍ଣରେ ପୁରୀ ବ୍ଲୁ ଫ୍ଲାଗ୍ ବେଳାଭୂମିରେ ଆୟୋଜିତ ନୌସେନାର ସାମୁଦ୍ରିକ ଶକ୍ତି ପ୍ରଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେବେ ।
୫ ତାରିଖରେ ରାଷ୍ଟ୍ରପତି ରାଜଧାନୀ ଆସି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ୪୦ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ନୂଆ ବିଚାରବିଭାଗୀୟ କୋର୍ଟ କମ୍ପେ୍ଲକ୍ସକୁ ଉଦ୍ଘାଟନ କରିବେ ।
୬ ତାରିଖରେ ଏଜି ଛକରେ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିବେ । ସେଦିନ ବାୟୁସେନା ବିମାନରେ ଭୁବନେଶ୍ୱରରୁ ପଶ୍ଚିମବଙ୍ଗ କଲେଇକୁଣ୍ଡା ବିମାନବନ୍ଦରକୁ ଯିବେ । ସେଠାରୁ ମୟୂରଭଞ୍ଜ ରଙ୍ଗମାଟିଆ ହେଲିପ୍ୟାଡ୍ରେ ଓହ୍ଲାଇ ନିଜ ଗାଁ ଉପରବେଡ଼ାକୁ ଯିବେ । ସେଠାରେ ସ୍କୁଲ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ଭାବ ବିନିମୟ କରିବେ । ପରେ ପାଖରେ ଥିବା କଲେଜକୁ ଯାଇ ଛାତ୍ରଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକାଙ୍କ ସହ କଥାବାର୍ତ୍ତା କରିବେ । ସନ୍ଧ୍ୟାରେ ରାଇରଙ୍ଗପୁରରେ ଥିବା ଶିବ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବେ।
୭ ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯିବ । ବିଭିନ୍ନ ସ୍ଥାନରେ ତାଙ୍କର ସାମୟିକ ରହଣି ବ୍ୟବସ୍ଥା, ସୁରକ୍ଷା, କାରକେଡ୍ , ବିମାନ ଓ ହେଲିକପ୍ଟର ସୁରକ୍ଷା, ଚିକିତ୍ସା ଓ ସ୍ୱାସ୍ଥ୍ୟ ସହାୟତା, ଆବଶ୍ୟକ ରାସ୍ତା ମରାମତି, ପରିମଳ ବ୍ୟବସ୍ଥା, ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ, ଉତ୍ସବ ସ୍ଥଳରେ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ, ମଞ୍ଚ ପ୍ରସ୍ତୁତି, ଇଣ୍ଟରନେଟ୍ ସୁବିଧା, ଗଣମାଧ୍ୟମରେ ପ୍ରଚାର ପ୍ରସାର, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଦର୍ଶକ ଓ ଅତିଥିଙ୍କ ପାଇଁ ସାମିଆନା ସହ ବସିବା ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା । ପୁରୀ, ଖୋର୍ଦ୍ଧା ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ସେମାନଙ୍କ ଜିଲ୍ଲାରେ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମର ସୁବ୍ୟବସ୍ଥା ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟକ୍ରମ ପରିଚାଳନା ପାଇଁ ଗୃହ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଖୋଲାଯିବ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ବିଭାଗ ସଚିବ ସତ୍ୟବ୍ରତ ସାହୁ, ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ଅଗ୍ନିଶମ ବିଭାଗ ଡିଜି ଡା. ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ