ଦେଶରେ ବିଗୁଡୁଛି ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା, ୩.୫% ଶିଶୁ ମେଦବହୁଳତାର ଶିକାର

ଭୁବନେଶ୍ୱର,୨୩/୦୫: ଦେଶରେ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି । ଅନେକ ପିଲା ମେଦବହୁଳତାର ଶିକାର ହେଉଛନ୍ତି । ବିଶେଷକରି ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ପିଲାମାନେ ଅଧିକ ମେଦବହୁଳତାର ଶିକାର ହେଉଛନ୍ତି । ପିଲାମାନେ ଫାଷ୍ଟଫୁଡ୍ ଓ ମସଲାଯୁକ୍ତ ଖାଦ୍ୟକୁ ଅଭ୍ୟାସରେ ପରିଣତ କରିଛନ୍ତି । କେଳକୁଦରେ ସମୟ ଦେଉନାହାନ୍ତି । ଘରେ ରହି ଡିଜିଟାଲ ଖେଳରେ ମାତୁଛନ୍ତି । ଫଳରେ ସେମାନେ ମେଦବହୁଳତା ସାଙ୍ଗକୁ ମଧୁମେହ ଭଳି ରୋଗରେ ପୀଡ଼ିତ ହେଉଛନ୍ତି । ତେବେ ଜନ୍ମରୁ ୫ବର୍ଷ ବୟସ ମଧ୍ୟରେ କମ୍ ଓଜନ ଶିଶୁଙ୍କ ସଂଖ୍ୟା ହ୍ରାସ ପାଇଛି । ପଞ୍ଚମ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟରୁ ଏହି ଉଦ୍ବେଗଜନକ ତଥ୍ୟ ସାମନାକୁ ଆସିଛି।
ରିପୋର୍ଟ ଅନୁଯାୟୀ, ୨୦୧୫-୧୬ରେ ୫ବର୍ଷ ବୟସରୁ କମ୍ ବୟସର ୨.୬% ପିଲାଙ୍କଠାରେ ମେଦବହୁଳତା ଦେଖାଦେଇଥିଲା । ହେଲେ ବର୍ତ୍ତମାନ ଏହା ୩.୫%କୁ ବୃଦ୍ଧି ଘଟିଛି । ୫ବର୍ଷରୁ କମ୍ ବୟସର ୩.୫% ପିଲାଙ୍କଠାରେ ମେଦବହୁଳତା ରହିଛି । ସେମାନଙ୍କ ଭିତରୁ ୫.୫% ସହରାଞ୍ଚଳ ପିଲା ହୋଇଥିବାବେଳେ ୩.୨% ଗ୍ରାମାଞ୍ଚଳ ପିଲା । ସେହିପରି ୫ବର୍ଷ ବୟସ ମଧ୍ୟରେ କମ ଓଜନର ଶିଶୁଙ୍କ ସଂଖ୍ୟା ୩୪.୪%ରୁ ୨୯.୭%କୁ ହ୍ରାସ ପାଇଛି । ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଅଧିକ ସଂଖ୍ୟାରେ କମ୍ ଓଜନର ଶିଶୁ ଅଛନ୍ତି । ସହରାଞ୍ଚଳରେ ୨୧.୫ % ଥିବାବେଳେ ଗ୍ରାମାଞ୍ଚଳରେ ଏମାନଙ୍କ ସଂଖ୍ୟା ୩୧.୦% ରହିଛି ।
ସେହିଭଳି ଶିଶୁଙ୍କ ସ୍ତନ୍ୟପାନ କ୍ଷେତ୍ରରେ ରାଜ୍ୟରେ ସେଭଳି କୌଣସି ଅଭିବୃଦ୍ଧି ପରିଲକ୍ଷିତ ହୋଇନାହିଁ । ସମସ୍ତ ପ୍ରକାର ସଚେତନତା ସତ୍ତେ୍ୱ ୨୦୧୫-୧୬ ବର୍ଷରେ ତିନି ବର୍ଷରୁ କମ୍ ବୟସର ମାତ୍ର ୬୮.୫ ପ୍ରତିଶତ ଶିଶୁ ମା’କ୍ଷୀର ଖାଉଥିବା ଜଣାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଏଥିରେ କୌଣସି ସୁଧାର ଆସିନାହିଁ । ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଅଧିକ ସଂଖ୍ୟାରେ ଶିଶୁ ସ୍ତନ୍ୟପାନ କରୁଛନ୍ତି । ତେବେ ୬ ମାସରୁ କମ୍ ବୟସର ଶିଶୁଙ୍କ ମା’କ୍ଷୀର ସେବନ ହାର ବୃଦ୍ଧି ପାଇଛି । ୨୦୧୫-୧୬ରେ ୬୫.୬ ପ୍ରତିଶତ ୬ ମାସରୁ କମ୍ ବୟସର ଶିଶୁ ମା’କ୍ଷୀର ଖାଉଥିବାବେଳେ ଏବେ ତାହା ୭୨.୯ ପ୍ରତିଶତକୁ ବୃଦ୍ଧି ପାଇଛି । ଏ କ୍ଷେତ୍ରରେ ବି ସହରାଞ୍ଚଳ ଶିଶୁଙ୍କ ତୁଳନାରେ ଗ୍ରାମାଞ୍ଚଳ ଶିଶୁ ଆଗରେ ଅଛନ୍ତି ।