ଭୁବନେଶ୍ୱର,୨୪/୦୩: କାଉଣ୍ଟରରେ ରହିଛି ମାଛ । ଗ୍ରାହକ ବି ଆସୁଛନ୍ତି । ହେଲେ ମାଛ କାଟିବାକୁ କଟାଳି ନାହାନ୍ତି । ଡାକିଲେ ବି କେହି ଶୁଣୁନାହାନ୍ତି । କି ବିଡମ୍ବନା ସତରେ । କୌଣସ ମାଛ ବଜାର ନୁହେଁ, ଖୋଦ୍ ସରକାରୀ ଆଉଟଲେଟ୍ ଚିଲିକା ଫ୍ରେସରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ରବିବାର ଏଭଳି ଅଭିଯୋଗ ଆସିଥିଲା ସହିଦନଗରରେ ଥିବା ଚିଲିକାଫ୍ରେସ୍ କାଉଣ୍ଟରରୁ ।
ରାଜଧାନୀରେ ଥିବା ସହିଦନଗର ଓ ସିଆରପି ଚିଲିକାଫ୍ରେସ୍ କାଉଣ୍ଟରରେ କଟାଳି ନଥିବା ବେଳେ ଶିରିପୁରରେ ଜଣେ କର୍ମଚାରୀ କାଉଣ୍ଟର ଛାଡି ପଳାଇଛନ୍ତି । ପରେ ସେଠାରେ ଆଉ ଜଣଙ୍କୁ ଦାୟିତ୍ୱ ମିଳିଥିବା ବେଳେ ସେ ମଧ୍ୟ ଛାଡିବା ଉପରେ ଅଛନ୍ତି । ଏହା ପଛରେ କାରଣ ହେଉଛି, ଦରମା ଅସଙ୍ଗତି । ବର୍ଷ ବର୍ଷ ଧରି ତଳିଆ କର୍ମଚାରୀମାନେ ଠିକ୍ରେ ଦରମା ପାଉନଥିବାରୁ ଚାକିରି ଛାଡ଼ୁଥିବା ନେଇ କିଛି କର୍ମଚାରୀ ଅଭିଯୋଗ କରିଛନ୍ତି । ହେଲେ ଏ ଦିଗରେ ଚିଲିକାଫ୍ରେସ୍ ଦାୟିତ୍ୱରେ ଥିବା ଫିସଫେଡ୍ କିମ୍ବା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ କୌଣସି ପଦକ୍ଷେପ ମଧ୍ୟ ଗ୍ରହଣ କରୁନି । କେବଳ ସେତିକିନୁହେଁ, ଶିରିପୁର ଚିଲିକାଫ୍ରେସ୍ କାଉଣ୍ଟରଟି ଧୀରେଧୀରେ ଅସ୍ୱାସ୍ଥ୍ୟକର ହୋଇଯାଉଛି । କାଉଣ୍ଟର ସାମ୍ନା ପଟ କାଚ(ଗ୍ଲାସ) ନଷ୍ଟ ହୋଇଗଲାଣି । ନୂଆ କାଚ ଲାଗିବାକୁ କୁହାଯାଇଥିବା ବେଳେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନି । କାଚ ନଥିବାରୁ କାଉଣ୍ଟର ଭିତରେ ପ୍ରବଳ ମାଛି ଉଡୁଛନ୍ତି । ଯଦ୍ୱାରା ସଂକ୍ରମଣ ଆଶଙ୍କା ରହୁଛି ।
ଅଧିକ ପଢ଼ନ୍ତୁ :- ନଗଦ କାରବାର ହୋଇନଥିବାରୁ ଆସିପାରୁନି ପେଟ୍ରୋଲ, ରାଜଧାନୀରେ ଅଧା ଟାଙ୍କି ବନ୍ଦ... ମିଳୁନି ତେଲ
ରାଜଧାନୀବାସୀଙ୍କୁ ସତେଜ ଓ ଦେଶୀ ମାଛ ଯୋଗାଇଦେବା ଲକ୍ଷ୍ୟ ନେଇ ସରକାର ଚିଲିକାଫ୍ରେସ ଭଳି ଏକ ଅଭିନବ ଯୋଜନା ଆରମ୍ଭ କରିଥିଲେ । ୨୦୧୪ରେ ଶିରିପୁର ଛକରେ ପ୍ରଥମ ଚିଲିକାଫ୍ରେସ ଆଉଟଲେଟ୍ ଖୋଲିଥିଲା । ଏହାର ସଫଳତା ପରେ ସିଆରପି ଓ ସହିଦନଗରରେ ଆଉ ଦୁଇଟି ଆଉଟଲେଟ୍ ଖୋଲାଯାଇଥିଲା । ଏହାପରେ ପିପିପି ମୋଡ୍ରେ ୨୬ଟି ଆଉଟଲେଟ ଖୋଲିବା ପାଇଁ ସ୍ଥିର ହୋଇଥିଲା । ଏଥିପାଇଁ ଫିସଫେଡ୍ ଏକ ଘରୋଇ ସଂସ୍ଥା ସହ ରାଜିନାମା ସ୍ୱାକ୍ଷର କରି ଜିଏ ବିଭାଗକୁ ଜମି ମାଗିଥିଲା । ଜିଏ ବିଭାଗ ମଧ୍ୟ ଜମି ଯୋଗାଇଥିଲା । ପ୍ରଥମ ପର୍ଯ୍ୟାୟରେ ୧୦ଟି ଆଉଟଲେଟ୍ ନିର୍ମାଣ କରାଯାଇ ଘରୋଇ ସଂସ୍ଥା ହାତରେ ଟେକିଦିଆଯାଇଥିଲା । ପ୍ରଥମ ବର୍ଷରେ ୬୧.୯୨ ଲକ୍ଷ ଭଡ଼ା ସହ ୧୫ବର୍ଷ ପାଇଁ ଆଉଟଲେଟ୍ ପରିଚାଳନା କରିବ ବୋଲି ଚୁକ୍ତି ହୋଇଥିଲା । ଅବଶିଷ୍ଟ ୧୩ଟି ଜମିରେ ଆଉଟଲେଟ୍ ନିର୍ମାଣ ହୋଇନଥିବା ବେଳେ ତାହା ଘରୋଇ ସଂସ୍ଥା ଦାୟିତ୍ୱରେ ଥିଲା । ଆଉଟଲେଟ୍ ନିର୍ମାଣ ହୋଇନପାରିବାରୁ ଯୋଜନାର ମାତ୍ର ୫ବର୍ଷ ଅର୍ଥାତ ୨୦୧୯ ମସିହାରେ ଉକ୍ତ ସଂସ୍ଥା ଫିସଫେଡ୍କୁ ୧୩ଟି ଜମି ଫେରାଇସାରିଥିଲା । ଏହାପରେ ଧୀରେଧୀରେ ଘରୋଇ ସଂସ୍ଥା ଅଧିନରେ ଥିବା ଚିଲିକାଫ୍ରେସ ଆଉଟଲେଟ୍ରେ ତାଲା ଝୁଲିବାକୁ ଲାଗିଲା । ଏବେ ସମସ୍ତ ୧୦ଟି ଆଉଟଲେଟ୍ ବନ୍ଦ ହୋଇଯାଇଛି ।
ଏବେ କେବଳ ସିଆରପି, ଶିରିପୁର ଓ ସହିଦନଗରରେ ଥିବା ୩ଟି ସରକାରୀ ଚିଲିକାଫ୍ରେସ ଆଉଟଲେଟ୍ ରହିଛି । ହେଲେ ପରିଚାଳନା ଅଭାବରୁ ଏଗୁଡ଼ିକର ସ୍ଥିତି ଧୀରେଧୀରେ ବିଗିଡିବାରେ ଲାଗିଛି । ଆଉଟଲେଟ୍ର ପରିଚାଳନା ପାଇଁ ଖର୍ଚ୍ଚ ସରକାର ଦେଉନଥିବା ଅଭିଯୋଗ ହୋଇଛି । ଆଉଟ୍ଲେଟ୍ର ମରାମତି, ବିଦ୍ୟୁତ ବିଲ୍ ଖର୍ଚ୍ଚ ମାଛ ବିକା ଟଙ୍କାରେ ସୁଝାଯାଉଛି । ଯାହାକୁ ନେଇ କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗତବର୍ଷ ମେ ମାସରେ ଏହି ତିନି ଆଉଟଲେଟ୍କୁ ବେସରକାରୀ ସଂସ୍ଥା ହାତରେ ଟେକିଦେବାକୁ ମସୁଧା ଆରମ୍ଭ ହୋଇଥିଲା । ହେଲେ ଟେଣ୍ଡରରେ ଅନିୟମିତତା ହୋଇଥିବା ଅଭିଯୋଗ ହେବାପରେ ବର୍ତ୍ତମାନ କୌଣସି ସଂସ୍ଥାକୁ ଏହା ଦିଆଯାଇନି । ତେଣୁ ସମସ୍ତ ଚିଲିକାଫ୍ରେସ ଆଉଟଲେଟ୍କୁ ସରକାର ପରିଚାଳନା କରନ୍ତୁ ବୋଲି ଦାବି ହୋଇଛି । ଏବାବଦରେ ଫିସଫେଡ୍ର ଜଣେ ଅଧିକାରୀ କହିଛନ୍ତି, ସରକାର ଏଦିଗରେ ଦୃଷ୍ଟି ଦେବା କଥା । ଫିସଫେଡ୍ ତ ନିଜେ କ୍ଷତିରେ ଚାଲିଛି । ଫିସଫେଡର ପରିଚାଳନା ନିର୍ଦ୍ଦେଶକ ସୁବ୍ରତ କୁମାର ଦାସଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳିନି ।