ନୂଆଦିଲ୍ଲୀ, ୧୪।୪: ଦୁନିଆରେ ଯେତେବେଳେ ଶକ୍ତିଶାଳୀ ଗୁପ୍ତଚର ସଂସ୍ଥା କଥା ଉଠେ, ସେତେବେଳେ ଆମେରିକାର CIA କିମ୍ବା ଇସ୍ରାଏଲର ମୋସାଦ୍ ବିଷୟରେ ଆଲୋଚନା ହୁଏ । କିନ୍ତୁ ଚୀନର ଏମିତି ଏକ ସଂସ୍ଥା ଅଛି, ଯାହା ଅତ୍ୟନ୍ତ ରହସ୍ୟମୟ ଏବଂ ବିପଜ୍ଜନକ । ତାହା ହେଉଛି Ministry of State Security (MSS) । ଚୀନର ଏହି ଏଜେନ୍ସି ବିଷୟରେ ବାହାର ଦୁନିଆ ବହୁତ କମ୍ ଜାଣିଛି । କେବଳ ଦେଶ ଭିତରେ ନୁହେଁ, ବରଂ ବିଦେଶ ମାଟିରେ ବି ଚୀନର ସ୍ୱାର୍ଥ ପାଇଁ ଏହି ସଂସ୍ଥା ଗୋପନୀୟ ଭାବେ କାମ କରିଥାଏ ।
ଏହା ବି ପଢ଼ନ୍ତୁ... ୟୁଏସ୍-ଇରାନ ଯୁଦ୍ଧ ଭିତରେ କିମ୍ ଜୋଙ୍ଗଙ୍କ ମାଷ୍ଟରପ୍ଲାନ୍, ସମୁଦ୍ର ମଝିରେ ଘାତକ ମିସାଇଲ ପରୀକ୍ଷଣ
କ’ଣ ଏହି MSS ?
MSS ହେଉଛି ଚୀନର ପ୍ରମୁଖ ସୁରକ୍ଷା ଏବଂ ଗୁପ୍ତଚର ବିଭାଗ । ଏହା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବୁଝିବା ସହ ବିଦେଶରେ ଜାସୁସି କରେ । ଅନ୍ୟ ଦେଶର ଖବର ରଖିବା ଏବଂ ଚୀନ ବିରୋଧରେ ହେଉଥିବା ଷଡ଼ଯନ୍ତ୍ରକୁ ପଣ୍ଡ କରିବା ଏହାର ମୁଖ୍ୟ କାମ । ଏହି ସଂସ୍ଥାରେ କିଭଳି ହୁଏ ଏଜେଣ୍ଟଙ୍କ ନିଯୁକ୍ତି ଆସନ୍ତୁ ଜାଣିବା । ସାଧାରଣ ସରକାରୀ ଚାକିରି ପରି MSSରେ କୌଣସି ଖୋଲା ବିଜ୍ଞପ୍ତି ବାହାରେ ନାହିଁ । ଏହାର ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଅତ୍ୟନ୍ତ ଗୋପନୀୟ । ପ୍ରତିଭାଶାଳୀ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ପାଠପଢ଼ା ସମୟରୁ ହିଁ ଲକ୍ଷ୍ୟ କରାଯାଇଥାଏ । ଯେଉଁମାନେ ଏକାଧିକ ଭାଷା ଜାଣିଥାନ୍ତି କିମ୍ବା ଟେକ୍ନୋଲୋଜିରେ ମାହିର, ସେମାନଙ୍କୁ ସ୍ୱତନ୍ତ୍ର ଭାବେ ବଛାଯାଏ । ଚୀନ ସେନା କିମ୍ବା ଅନ୍ୟ ସରକାରୀ ବିଭାଗରେ କାମ କରୁଥିବା ଶ୍ରେଷ୍ଠ ଅଧିକାରୀଙ୍କୁ MSS ପାଇଁ ମନୋନୀତ କରାଯାଏ । ଜଣେ ବ୍ୟକ୍ତି କେତେ ଗୁପ୍ତ ରହିପାରିବ ଏବଂ କଠିନ ପରିସ୍ଥିତିରେ କିଭଳି ନିଷ୍ପତ୍ତି ନେବ, ସେଥିପାଇଁ ତାଙ୍କର ଦୀର୍ଘ ଦିନ ଧରି ମାନସିକ ଶକ୍ତି ପରୀକ୍ଷା କରାଯାଏ ।
ଜାସୁସ୍ମାନଙ୍କୁ ଦିଆଯାଏ କଠିନ ତାଲିମ:
ନିଯୁକ୍ତି ପରେ ଏଜେଣ୍ଟମାନଙ୍କୁ ବିଶ୍ୱସ୍ତରୀୟ ଟ୍ରେନିଂ ଦିଆଯାଏ । ଜଣେ ଏଜେଣ୍ଟ ନିଜ ନାମ, ଠିକଣା ଏବଂ ପରିଚୟ ବଦଳାଇ ଦୁନିଆର ଯେକୌଣସି କୋଣରେ ସାଧାରଣ ଲୋକଙ୍କ ଭଳି ରହିବା ଶିଖେ । ଆଜିକାଲି ଡିଜିଟାଲ୍ ଯୁଗରେ ଡାଟା ଚୋରି କରିବା ଏବଂ ସାଇବର ଆକ୍ରମଣ କରିବାରେ ଏହି ସଂସ୍ଥା ପାରଙ୍ଗମ । ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ଗ୍ୟାଜେଟ୍ ଏବଂ ଗୁପ୍ତ ଅସ୍ତ୍ରଶସ୍ତ୍ର ଚଳାଇବାରେ ସେମାନଙ୍କୁ ତାଲିମ ଦିଆଯାଏ ।
ବିଶ୍ୱ ସ୍ତରରେ ‘MSS’ର ଦବଦବା:
ଆଜିର ଦିନରେ MSS ଦୁନିଆର ସବୁଠାରୁ ସକ୍ରିୟ ଏଜେନ୍ସି ମଧ୍ୟରୁ ଅନ୍ୟତମ । ବିଶେଷ କରି ଆମେରିକା ପରି ବଡ଼ ଦେଶଗୁଡ଼ିକର ରଣନୀତି, ବୈଜ୍ଞାନିକ ଗବେଷଣା ଏବଂ ବଡ଼ ବଡ଼ କମ୍ପାନୀଗୁଡ଼ିକର ବ୍ୟବସାୟିକ ଗୁପ୍ତ ତଥ୍ୟ ଚୋରି କରିବା ପାଇଁ MSS ଉପରେ ବହୁବାର ଅଭିଯୋଗ ଆସିଛି । ଏହାର ଏଜେଣ୍ଟମାନେ ସାମ୍ବାଦିକ, ବ୍ୟବସାୟୀ କିମ୍ବା ଛାତ୍ର ସାଜି ବିଦେଶରେ କାମ କରନ୍ତି, ଯେଉଁଥିପାଇଁ ସେମାନଙ୍କୁ ଧରିବା ଅସମ୍ଭବ ହୋଇପଡ଼େ । ଚୀନର ବିଶ୍ୱ ଶକ୍ତି ହେବା ପଛରେ ଏହି ଗୁପ୍ତଚର ସଂସ୍ଥାର ଏକ ବଡ଼ ହାତ ରହିଛି ।