ନୂଆଦିଲ୍ଲୀ, ୧୪।୪: ସାରା ବିଶ୍ୱର ନଜର ଏବେ ମଧ୍ୟପ୍ରାଚ୍ୟ ତଥା ଆମେରିକା ଓ ଇରାନ ମଧ୍ୟରେ ଉପୁଜିଥିବା ଯୁଦ୍ଧ ପରିସ୍ଥିତି ଉପରେ ରହିଛି । କିନ୍ତୁ, ଏହି ବିଶ୍ୱ ଅସ୍ଥିରତାର ସୁଯୋଗ ନେଇ ଉତ୍ତର କୋରିଆ ନିଜର ସାମରିକ ଶକ୍ତିକୁ ବଢ଼ାଇବାରେ ଲାଗିଛି । ନିକଟରେ ଉତ୍ତର କୋରିଆ ନିଜର ଅତ୍ୟାଧୁନିକ ଯୁଦ୍ଧ ଜାହାଜ 'ଚୋଏ ହ୍ୟୋନ୍'ରୁ ଏକାଧିକ ରଣନୈତିକ କ୍ରୁଜ୍ ମିସାଇଲ୍ ଏବଂ ଆଣ୍ଟି-ୱାରସିପ୍ ମିସାଇଲ୍ର ସଫଳ ପରୀକ୍ଷଣ କରି ସାରା ବିଶ୍ୱକୁ ଚକିତ କରିଦେଇଛି । ମଙ୍ଗଳବାର ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ 'କୋରିଆନ ସେଣ୍ଟ୍ରାଲ ନ୍ୟୁଜ୍ ଏଜେନ୍ସି' (KCNA) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ରବିବାର ଏହି ବିଧ୍ୱଂସକ ପରୀକ୍ଷଣ କରାଯାଇଥିଲା । ଏହି ସମୟରେ ସର୍ବୋଚ୍ଚ ନେତା କିମ୍ ଜୋଙ୍ଗ୍ ଉନ୍ ନିଜେ ଉପସ୍ଥିତ ରହି ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ଓ ନୌସେନା କମାଣ୍ଡରଙ୍କ ସହ ପରୀକ୍ଷଣର ନିରୀକ୍ଷଣ କରିଥିଲେ ।
ଏହା ବି ପଢ଼ନ୍ତୁ... ହୋର୍ମୁଜରେ ଆମେରିକାର ଚକ୍ରବିହ୍ୟୁ; F-35B ସହ ୧୫ ଯୁଦ୍ଧପୋତରେ ଅବରୋଧ, ମାଇନ୍ସସ୍ୱିପର ଆକ୍ଟିଭ
ମିସାଇଲ୍ ପରୀକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ:
ଏହି ପରୀକ୍ଷଣର କିଛି ପ୍ରମୁଖ ଲକ୍ଷ୍ୟ ରହିଥିଲା ଯୁଦ୍ଧ ଜାହାଜର ଇଣ୍ଟିଗ୍ରେଟେଡ୍ ଅସ୍ତ୍ରଶସ୍ତ୍ର କମାଣ୍ଡ ସିଷ୍ଟମର ଯାଞ୍ଚ, କ୍ରୁଜ୍ ମିସାଇଲ୍ ଲଞ୍ଚ ପ୍ରକ୍ରିୟାରେ ନୌସେନା କର୍ମଚାରୀଙ୍କୁ ତାଲିମ, ଅପଗ୍ରେଡ୍ ହୋଇଥିବା ନେଭିଗେସନ୍ ସିଷ୍ଟମ୍ ଏବଂ ଆଣ୍ଟି-ଜ୍ୟାମିଂ କ୍ଷମତାର ସଠିକତା ପରୀକ୍ଷା । ରିପୋର୍ଟ ଅନୁସାରେ, ଦୁଇଟି ରଣନୈତିକ କ୍ରୁଜ୍ ମିସାଇଲ୍ ଏବଂ ତିନୋଟି ଆଣ୍ଟି-ୱାରସିପ୍ ମିସାଇଲ୍ ନିର୍ଦ୍ଧାରିତ ଲକ୍ଷ୍ୟକୁ ଅତ୍ୟନ୍ତ ସଠିକତା ବା 'ଅଲ୍ଟ୍ରା-ପ୍ରିସିଜନ୍' ସହ ଧ୍ୱଂସ କରିଦେଇଥିଲା ।
ବିଶାଳ ନୌସେନା ବେଡ଼ା ପ୍ରସ୍ତୁତ କରୁଛି ପ୍ୟୋଙ୍ଗୟାଙ୍ଗ:
ପୂର୍ବରୁ କେବଳ ଗୋଟିଏ କିମ୍ବା ଦୁଇଟି ଜାହାଜ ନିର୍ମାଣ ନେଇ ଚର୍ଚ୍ଚା ହେଉଥିବା ବେଳେ, ଏବେ ଉତ୍ତର କୋରିଆ ନିଜର ତୃତୀୟ ଏବଂ ଚତୁର୍ଥ 'ଚୋଏ ହ୍ୟୋନ୍' ଶ୍ରେଣୀର ବିଧ୍ୱଂସକ ଜାହାଜ ନିର୍ମାଣ କରୁଥିବା ସ୍ପଷ୍ଟ ହୋଇଛି । ପ୍ରଫେସର ଲିମ୍ ୟୁଲ୍ ଚୁଲ୍ଙ୍କ ମତରେ, କିମ୍ ଜୋଙ୍ଗ୍ ଏବେ କେବଳ ଗୋଟିଏ ଜାହାଜ ନୁହେଁ, ବରଂ ଏକ ସମ୍ପୂର୍ଣ୍ଣ ସାମରିକ ବେଡ଼ା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ପରୀକ୍ଷଣ ପରେ କିମ୍ ଜୋଙ୍ଗ୍ ଉନ୍ ସେନାକୁ ସମ୍ବୋଧିତ କରି କହିଛନ୍ତି ଯେ, ଦେଶର ପରମାଣୁ ଶକ୍ତି ବୃଦ୍ଧି କରିବା ତାଙ୍କର ସବୁଠାରୁ ବଡ଼ ପ୍ରାଥମିକତା । ଯେପରି କୌଣସି ଶତ୍ରୁ ଦେଶ ଆକ୍ରମଣ କରିବାକୁ ସାହସ କରିବେ ନାହିଁ । ଏଥିସହ ସେନାକୁ ସବୁବେଳେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଏବଂ ଆବଶ୍ୟକସ୍ଥଳେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଯେତେବେଳେ ବିଶ୍ୱର ବଡ଼ ବଡ଼ ଶକ୍ତିଶାଳୀ ଦେଶ ମଧ୍ୟପ୍ରାଚ୍ୟ ବିବାଦରେ ବ୍ୟସ୍ତ ଅଛନ୍ତି, ସେହି ସମୟରେ ଉତ୍ତର କୋରିଆ ଚୁପଚାପ୍ ନିଜକୁ ଏକ ଅପରାଜେୟ ସାମରିକ ଶକ୍ତି ଭାବେ ଗଢ଼ି ତୋଳୁଛି । ଏହି ନୂତନ ମିସାଇଲ୍ ପରୀକ୍ଷଣ ଆଗାମୀ ଦିନରେ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚିନ୍ତା ବଢ଼ାଇବା ନିଶ୍ଚିତ ।