ତାଇଓ୍ବାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି ଚୀନ୍; ଭାଇରାଲ ଅଡିଓ କ୍ଳିପରେ ୯୫୩ ଜାହାଜ, ୧ ଲକ୍ଷ ୪୦ ହଜାର ସୈନିକଙ୍କୁ ନେଇ ଆଲୋଚନା

Image Courtesy : News 18
ନୂଆଦିଲ୍ଲୀ,୨୩/୦୫: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆଉ ଏକ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି କି? କାହିଁକି ନା ଚୀନ୍ ର ସାମରିକ ଅଧିକାରୀଙ୍କ ଏକ ଅଡିଓ କ୍ଲିପ୍ ଭାଇରାଲ ହେବା ପରେ ଏବେ ଯୁଦ୍ଧ ପରି ପରିସ୍ଥିତି ସୃଷ୍ଟି ହେବ ବୋଲି କୁହାଯାଉଛି। ବିଶେଷ କରି ଋଷ ଖୁବଶୀଘ୍ର ତାଇୱାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି ବୋଲି ସ୍ପଷ୍ଟ ହୋଇଛି। ଏହି ଅଡିଓ କ୍ଲିପକୁ ଚାଇନାର ମାନବାଧିକାର କର୍ମୀ ଜେନିଫର ହେଙ୍ଗ ଟ୍ୱିଟ କରିଛନ୍ତି। ୫୭ମିନିଟର ଏହି ଅଡିଓ କ୍ଲିପ୍ LUDE ମିଡିଆର ୟୁଟ୍ୟୁବ୍ ଚ୍ୟାନେଲରେ ପୋଷ୍ଟ କରାଯାଇଥିଲା।
କ୍ୱାଡ ସମ୍ମିଳନୀ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଏହି ପ୍ରସଙ୍ଗରେ ଚୀନ୍କୁ ଏକ ଦୃଢ଼ ସନ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଚୀନ୍ ତାଇୱାନ ଉପରେ ଆକ୍ରମଣ କରେ ତେବେ ଆମେରିକା ଏହାର ଜବାବ ଦେବ। ସେ କହିଛନ୍ତି ଯେ, ତାଇୱାନ ଉପରେ ଆକ୍ରମଣ କରିବାକୁ ଚିନ୍ତା କରିବା ମଧ୍ୟ ଚୀନ୍ କୁ ବିପଦ ମୁଖକୁ ଟାଣି ନେବ। ଆକ୍ରମଣର ପରିଣତୀ ଚୀନକୁ ସହିବାକୁ ହେବ ବୋଲି କହିଛି ଆମେରିକା। ସେ କହିଛନ୍ତି, ଆମେ ଚାଇନାର ଏକ ପଲିସି ଉପରେ ସହମତି ପ୍ରକାଶ କରିଥିଲୁ। କିନ୍ତୁ ଯଦି କୌଣସି ଜାଗାରେ ଜବରଦଖଲ କରିବାକୁ ଚୀନ୍ ଚେଷ୍ଟା କରେ , ତେବେ ତାଙ୍କୁ ସାଙ୍ଘାତିକ ଉତ୍ତର ଦେବାକୁ ପଡ଼ିବ।
ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଦାବି କରିଛି ଯେ, ଏହି ଅଡିଓ କ୍ଲିପ୍ ଭାଇରାଲ କରିଥିବା ବରିଷ୍ଠ ଅଧିକାରୀ ତାଇୱାନରେ ସି ଜିନପିଙ୍ଗଙ୍କ ଯୋଜନାକୁ ବିଶ୍ବସାରା ପରିବ୍ୟାପ୍ତ କରିବାକୁ ଚାହୁଁଥିଲେ। ଏହି ଅଡିଓ କ୍ଲିପରେ ତାଇୱାନରେ ଯୁଦ୍ଧର ବାତାବରଣ ସୃଷ୍ଟି କରିବାକୁ ସିପିସି ଏବଂ ପିଏଲକେ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ଏହି ଅଡିଓ କ୍ଲିପ୍ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ଯଦିଓ ସ୍ପଷ୍ଟ ହୋଇନାହିଁ, ତଥାପି ବାର୍ତ୍ତାଳାପରୁ ଏହା ଜଣାପଡୁଛି ଯେ, ଏହା ଚାଇନାରେ ହିଁ ରେକର୍ଡ କରାଯାଇଛି। କାର୍ଯ୍ୟକର୍ତ୍ତାମାନଙ୍କର ଦାବି ଅନୁସାରେ, ଚୀନ୍ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଗୁରୁତ୍ବପୂର୍ଣ୍ଣ ତଥା ଗୁପ୍ତ ଭାବରେ ହୋଇଥିବା ମିଟିଂର ଅଡିଓ ଲିକ୍ ହୋଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଏଇଆ ଯେ, ଏହି ଭୁଲ ପାଇଁ ଜଣେ ଲେଫ୍ଟନାଣ୍ଟ ଜେନେରାଲ ଓ ତିନିଜଣ ମେଜର ଜେନେରାଲଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇସାରିଲାଣି।
ଏହି ଅଡିଓ କ୍ଳିପ ମୁତାବକ, ସେହି ବୈଠକରେ ଚୀନ୍ ସେନାର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅଡିଓ ଅନୁଯାୟୀ, ଗୁଆଙ୍ଗଡୋଙ୍ଗ୍ ପ୍ରଦେଶର ପୂର୍ବାଞ୍ଚଳ ଏବଂ ଦକ୍ଷିଣ ଜୋନକୁ ଯେଉଁ କାମ ଦିଆଯାଇଛି ସେଥିରେ,୨୦ଟି ଗୋଷ୍ଠି ଅନ୍ତର୍ଭୁକ୍ତ ଅଛନ୍ତି। ଏହା ସହିତ ୧ ଲକ୍ଷ ୪୦ ହଜାର ସୈନିକ, ୯୫୩ ଟି ଜାହାଜ, ୧୬୫୩ ୟୁନିଟ୍, ୨୦ଟି ବିମାନବନ୍ଦର ଏବଂ ଡକ୍, 6 ଟି ମରାମତି ଏବଂ ଅସ୍ତ୍ର ନିର୍ମାଣ କୋଠରୀ, ୧୪ଟି ଜରୁରୀକାଳୀନ ସ୍ଥାନାନ୍ତର କେନ୍ଦ୍ର, ଡାକ୍ତରଖାନା, ରକ୍ତ କେନ୍ଦ୍ର, ତୈଳ ଡିପୋ, ଗ୍ୟାସ୍ ଷ୍ଟେସନ୍ ଇତ୍ୟାଦି ବିଷୟରେ ଉଲ୍ଲେଖ କରାଯାଇଛି। ତେବେ ଯଦି ଅଡିଓ କ୍ଲିପ୍ ଟି ସତ ହୁଏ, ତେବେ ଏହା ସ୍ପଷ୍ଟ ହୋଇଯିବ ଯେ, ତାଇଓ୍ବାନ୍ ଉପରେ ଚୀନ୍ ଏକ ବଡ଼ ଧରଣର ଆକ୍ରମଣ କରିବାକୁ ଯାଉଛି।