ନୂଆଦିଲ୍ଲୀ, ୧୬/୦୪ : ଜିଦରେ ଅଟଳ ଇରାନ-ଆମେରିକା। ଉତ୍ତେଜନାର କେନ୍ଦ୍ରବିନ୍ଦୁ ପାଲଟିଛି ହୋର୍ମୁଜ୍ ପ୍ରଣାଳୀ। ଇରାନ ପ୍ରଥମେ ଏହି ପ୍ରମୁଖ ସମୁଦ୍ର ପଥ ଦେଇ ଜାହାଜ ଚଳାଚଳ ବନ୍ଦ କରିଥିଲା ଏବଂ ଏବେ ଆମେରିକା ମଧ୍ୟ ଅବରୋଧ କରିଛି । ଉଭୟ ଦେଶ ହୋର୍ମୁଜ ପ୍ରଣାଳୀ ଉପରେ ସେମାନଙ୍କ କବଜାକୁ ଆହୁରି ମଜବୁତ କରିଛନ୍ତି। ଏହି ଅବରୋଧ ଯୋଗୁଁ ୟୁଏଇରୁ ଆସୁଥିବା ଚୀନ୍ ଜାହାଜ ପ୍ରଭାବିତ ହୋଇଛି। ଯେଉଁ ବାଟେ ବାଟେ ଆସିଥିଲା ସେହି ବାଟ ଦେଇ ଫେରିବାକୁ ପଡ଼ିଛି। ଏକ ଟ୍ୟାଙ୍କରକୁ ୪୮ ଘଣ୍ଟା ମଧ୍ୟରେ ଦୁଇ ଥର ହୋର୍ମୁଜରୁ ଫେରିବାରୁ ପଡ଼ିଛି। ଜଳ ପ୍ରଣାଳୀରେ ଏବେ କୌଣସି ଦେଶର ଜାହାଜକୁ କୋହଳ କରାଯାଉନଥିବା ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। 

ମିଙ୍ଗକୁନ ଟେକ୍ନୋଲୋଜିର ତଥ୍ୟ ଅନୁସାରେ, ରିଚ ଷ୍ଟାର୍ରି ନାମକ ଏକ ଜାହାଜ ମଙ୍ଗଳବାର ୨ଟାରେ ହୋର୍ମୁଜ୍ ଷ୍ଟ୍ରେଟ୍ ପାର୍ କରି ଓମାନରେ ପହଞ୍ଚିଥିଲା। ହେଲେ ଦ୍ଵିପ୍ରହର ୩ଟାରେ ତାକୁ ୟୁ-ଟର୍ଣ୍ଣ ନେଇ ପୁଣି ସେହି ରାସ୍ତା ଦେଇ ଫେରିବାକୁ ପଡ଼ିଲା। ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଜାହାଜ ଇରାନର ଲାରକ ଦ୍ଵୀପରେ ଲଙ୍ଗର ପକାଇ ଠିଆ ହୋଇଥିଲା। ୨୦୨୩ରେ ଆମେରିକା ରିଚ୍ ଷ୍ଟାର୍ରି ଜାହାଜକୁ ବ୍ଲାକଲିଷ୍ଟ କରିଥିଲା। 

ଇସଲାମାବାଦରେ ଶାନ୍ତି ଆଲୋଚନା ଫେଲ୍ ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ସୋସିଆଲ ମିଡିଆରେ ଜଳମାର୍ଗରେ ଅବରୋଧ କରିବା ନେଇ ଘୋଷଣା କରିଥିଲେ। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ସବୁ ଦେଶ ପାଇଁ ଏହି କଟକଣା ଲାଗୁ ହେବ ବୋଲି କହିଥିଲା। ଏହି ଘୋଷଣା ପରଠୁ ମଙ୍ଗଳବାର ପ୍ରାୟ ୮ଟି ଜାହାଜ ଏହି ଷ୍ଟ୍ରେଟ୍ ଅତିକ୍ରମ କରିବାକୁ ଚେଷ୍ଟା କରିଥିଲେ। ଏଥି ମଧ୍ୟରୁ ଚୀନର ବି ଟ୍ୟାଙ୍କର ଥିଲା। ହେଲେ ଚୀନ ଟ୍ୟାଙ୍କରକୁ ପୁଣି ୟୁ-ଟର୍ଣ୍ଣ ନେଇ ଫେରିବାକୁ ପଡ଼ିଛି। 

ଆହୁରି ପଢନ୍ତୁ- Hormuz reopen; ଖୋଲିବ କି ହୋର୍ମୁଜ ? ବଦଳୁଛି ଇରାନ ମତ, ଜାଣନ୍ତୁ ଆମେରିକାକୁ କେଉଁ ପ୍ରସ୍ତାବ ଦେଲା

ପିଏଲଏର ଅବସରପ୍ରାପ୍ତ କର୍ଣ୍ଣେଲ ଏବଂ ସାମରିକ ବିଶ୍ଳେଷକ ୟୁଏ ଗାଙ୍ଗ ହଂକଂ କହିଛନ୍ତି ଯେ "ରିଚ୍ ଷ୍ଟାର୍ରି" ଅବରୋଧ ଅଧୀନରେ ଆସୁନାହିଁ କାରଣ ଏହା ଇରାନର କୌଣସି ବନ୍ଦରରୁ ନୁହେଁ, ୟୁଏଇରୁ ଯାତ୍ରା କରିଥିଲା। ଏହା ବିରୁଦ୍ଧରେ ଲାଗୁ ହୋଇଥିବା ଆମେରିକାର କଟକଣା ଯୋଗୁଁ, ଜାହାଜଟି ରିସ୍କଦ ନେବା ପରିବର୍ତ୍ତେ ଫେରିବାକୁ ନିଷ୍ପତ୍ତି ନେଇଛି। ଜାହାଜର କର୍ମଚାରୀମାନେ ବଳିର ବକ୍ରା ହେବାକୁ ଚାହୁଁ ନଥିଲେ, ତେଣୁ ଫେରିଯିବା ସବୁଠାରୁ ନିରାପଦ ମନେ କଲେ।