ନୂଆଦିଲ୍ଲୀ,୧୧।୫: ‘ମଦର୍ସ ଡେ’ ରେ ଚୀନ୍ ଗାଲୱାନ ଘାଟି ସଂଘର୍ଷକୁ ତାଜା କରିଦେଇଛି। ଏହି ଅବସରରେ ଚୀନ୍‌ରୁ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ରହିଛି ଅଧା ସତ ଓ ଅଧା ମିଛ। ଚୀନ୍ ସରକାରଙ୍କ ଖବର କାଗଜ ଗ୍ଲୋବାଲ ଟାଇମ୍ସ ପକ୍ଷରୁ ଜାରି ଏହି ଭିଡିଓରେ ୧୫ ଜୁନ୍ ୨୦୨୦ ରେ ଗାଲୱାନରେ ମୃତ ତିନି ଚୀନ୍ ସୈନିକଙ୍କ ମା’ ମାନେ ବେଜିଂ ଆର୍ମି ମ୍ୟୁଜିୟମରେ ନିଜ ପୁଅଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ପହଁଞ୍ଚିଛନ୍ତି। ଏହି ଭିଡିଓରେ ତିନି ମହିଳା ଚୀନ୍ ସୈନିକଙ୍କ ପ୍ରତିମୂର୍ତ୍ତିକୁ ଧରି ଖୁବ୍ କାନ୍ଦୁଛନ୍ତି।

ଗ୍ଲୋବାଲ ଟାଇମ୍ସର ରିପୋର୍ଟ ଅନୁସାରେ, ମଦର୍ସ ଡେର ଗୋଟେ ଦିନ ପୂର୍ବରୁ ଜୁନ୍ ୨୦୨୦ ରେ ଗଲୱାନ ଘାଟିରେ ହୋଇଥିବା ସଂଘର୍ଷରେ ସହିଦ ହୋଇଥିବା ଚୀନ୍ ସୈନିକ ଚେନ୍ ଜିୟାଙ୍ଗରୋଙ୍ଗ,ଶିୟାଓ ସିଚୁଆନ୍ ଓ ଓ୍ବାଙ୍ଗ ଝୁଓରାନ୍ ମାଓ ଚୀନ୍ ପିପୁଲ୍ସ ଲିବରେସନ୍ ମିଲିଟାରୀ ମ୍ୟୁଜିୟମ୍ ଗସ୍ତ କରିଥିଲେ। ସେଠାରେ ସେମାନେ ନିଜ ପୁଅର ମୂର୍ତ୍ତିକୁ ଆଲିଙ୍ଗନ କରି ଜୋରରେ କାନ୍ଦିବାରେ ଲାଗିଥିଲେ। ୧୫ ଜୁନ୍ ୨୦୨୦ ରାତିରେ ଲଦାଖର ଗଲଓ୍ବାନ ଘାଟିରେ ଭାରତ ଓ ଚୀନ୍‌ ସେନାଙ୍କ ଭିତରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ଏହି ବିବାଦ ଏଲଏସିରେ ବିବାଦ ବଢିବା ପରେ ହୋଇଥିଲା। ଦେଉ ଦେଶ ଭିତରେ ପୂର୍ବରୁ ସହମତି ଥିଲା ଯେ, କିଛି ଅଞ୍ଚଳରେ ସୈନିକମାନେ ପଛକୁ ହଟି ଯାଇଥିଲେ, କିନ୍ତୁ ଭାରତୀୟ ସେନା ଚୀନ୍ ପକ୍ଷ ଦ୍ବାରା ଏଲଏସିରେ କିଛି ନିର୍ମାଣ ଓ ଚୀନ୍ ସୈନିକଙ୍କ ମୁତୟନରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା।

ଏହାପରେ ଭାରତ ପକ୍ଷରୁ କର୍ଣ୍ଣଲ ବି ସନ୍ତୋଷ ବାବୁଙ୍କ ନେତୃତ୍ବରେ ଭାରତୀୟ ସୈନିକ ଆଲୋଚନା ପାଇଁ ଚୀନ୍‌ ପୋଷ୍ଟ ନିକଟରେ ପହଁଞ୍ଚିଥିଲେ। ଏହି ସମୟରେ ଚୀନ୍ ବିଶ୍ବାସଘାତକତା କରିଥିଲା। ସେତେବେଳେ ଦୁଇ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା। ଚୀନ୍ ସୈନିକ ଯୋଜନା କରି ପଥର, ଲୁହା ରଡ୍ ଓ କଣ୍ଟାଳିଆ ବାଡିରେ ହିଂସାତ୍ମକ ଆକ୍ରମଣ କରିଥିଲେ। ଚୀନର ଏହି ଅଚାନକ ଆକ୍ରମଣର ଭାରତ କଡ଼ା ଜବାବ ଦେଇଥିଲା। ଏହି ସଂଘର୍ଷରେ ୨୦ ଭାରତୀୟ ସୈନିକ ସହିଦ ହୋଇଥିଲେ। ରିପୋର୍ଟ ଅନୁଯାୟୀ ଏହି ସଂଘର୍ଷରେ ୪୦ ରୁ ଅଧିକ ଚୀନ୍ ସୈନିକଙ୍କ ମୃତ୍ୟୁ ହୋଇଥିଲା, କିନ୍ତୁ ଚୀନ୍ କେବେ ଏହାକୁ ସ୍ୱୀକାର କରିନଥିଲା। ଦୀର୍ଘ ସମୟ ପରେ ଚୀନ୍ ଏହାର ୪ ଜଣ ସୈନିକଙ୍କ ମୃତ୍ୟୁ ନିଶ୍ଚିତ କରିଥିଲା। ତଥାପି, ପ୍ରକୃତ ସଂଖ୍ୟା ଦୀର୍ଘ ସମୟ ପର୍ଯ୍ୟନ୍ତ ବିବାଦୀୟ ରହିଥିଲା। ଗାଲୱାନ ବିବାଦର ପାଞ୍ଚ ବର୍ଷ ପରେ, ଚୀନ୍ ଏହି ପ୍ରସଙ୍ଗକୁ ପୁଣି ଥରେ ଉଜ୍ଜୀବିତ କରିଛି। ଗ୍ଲୋବାଲ ଟାଇମ୍ସ ଆକାଉଣ୍ଟରେ ଇଂରାଜୀରେ ଏକ ଶ୍ରଦ୍ଧାଞ୍ଜଳି ଭିଡିଓ ପୋଷ୍ଟ କରାଯାଇଛି। ଏହି ଭିଡିଓରେ, ଚୀନ୍ ଗାଲୱାନ ସଂଘର୍ଷରେ ମୃତ ସୈନିକଙ୍କ ସଂଖ୍ୟା ୩ ବୋଲି ସୂଚିତ କରିଛି। ମାତୃ ଦିବସର ଗୋଟିଏ ଦିନ ପୂର୍ବରୁ ତିନି ଜଣ ମହିଳା ବେଜିଂ ସାମରିକ ସଂଗ୍ରହାଳୟ ପରିଦର୍ଶନ କରିଥିଲେ ଏବଂ ଏହି ତିନି ସୈନିକଙ୍କ ପ୍ରତିମୂର୍ତ୍ତିକୁ ଆଲିଙ୍ଗନ କରି କାନ୍ଦି ପକାଇଥିଲେ।

ଆହୁରି ପଢନ୍ତୁ : ଦୁନିଆର କୌଣସି ଶକ୍ତି ଆମକୁ ନୁଆଁଇ ପାରିବନି, ସୋମନାଥରୁ ପିଏମ୍ ମୋଦିଙ୍କ ବାର୍ତ୍ତା