ନୂଆଦିଲ୍ଳୀ,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟରେ ସୋମନାଥ ଅମୃତ ମହୋତ୍ସବରେ ଯୋଗ ଦେଇ ଭାରତର ସାଂସ୍କୃତିକ ଐତିହ୍ୟ, ଆତ୍ମବିଶ୍ୱାସ ଏବଂ ଜାତୀୟ ଶକ୍ତି ବିଷୟରେ ଏକ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଥିଲେ, ଇତିହାସରେ ଅନେକ ଆକ୍ରମଣକାରୀ ସୋମନାଥ ମନ୍ଦିର ଉପରେ ଆକ୍ରମଣ କରି ଏହାର ବୈଭବକୁ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେମାନେ କେବେ ସଫଳ ହୋଇ ନଥିଲେ। ଏହା ସହ ପ୍ରଧାନମନ୍ତ୍ରୀ କହିଥିଲେ, ଆଜିର ଦିନ ଆଉ ଏକ କାରଣରୁ ସ୍ବତନ୍ତ୍ର ରହିଛି। ଆଜିର ଦିନରେ ପୋଖରାନରେ ପରମାଣୁ ପରୀକ୍ଷଣ କରାଯାଇଥିଲା। ଆମ ବୈଜ୍ଞାନିକ ଭାରତର ସାମର୍ଥ୍ୟ ଏବଂ କ୍ଷମତାକୁ ଦୁନିଆ ଆଗରେ ରଖିଥିଲେ। ସାରା ଦୁନିଆରେ ଝଡ ସୃଷ୍ଟି ହୋଇଥିଲା। ସମସ୍ତେ କହିଥିଲେ ଭାରତର କ’ଣ ଅଛି ତା’ର ସ୍ଥିତି କ’ଣ ? ଏଭଳି କିଛି ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲେ ସାରା ବିଶ୍ବ। ଅନେକ ପ୍ରକାର କଟକଣା ଲଗାଇଥିଲେ। ସମ୍ଭାବନାର ବହୁ ରାସ୍ତାକୁ ବି ବନ୍ଦ କରିଦେଇଥିଲେ। ହେଲେ ଆମେ ଥିଲୁ କିଛି ଅଲଗା।’

ପରୀକ୍ଷଣ ପରେ ସାରା ଦୁନିଆରୁ ଆସିଥିବା ଚାପକୁ ମନେପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ଉପରେ ବହୁ କଟକଣା ଲଗାଇ ଦିଆଯାଇଥିଲା। ଭାରତକୁ ଚାପ ପକାଇବାକୁ ବହୁତ ଚେଷ୍ଟା କରାଯାଇଥିଲା, କିନ୍ତୁ ଭାରତ ଅଟଳ ରହିଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଇଛାଶକ୍ତିକୁ ମନେପକାଇ ପିଏମ୍ ମୋଦି କହିଛନ୍ତି, ୧୧ ମଇ ପରେ ସାରା ଦୁନିଆ ଆମକୁ ଟାର୍ଗେଟ କରିଥାନ୍ତା। ହେଲେ ୧୧ ମଇରେ ବୈଜ୍ଞାନିକମାନେ ନିଜର କାମ କରିସାରିଥିଲେ। ୧୩ ମଇରେ ଦୁଇଟି ପରମାଣୁ ପରୀକ୍ଷଣ ହୋଇଥିଲା। ଯାହାଦ୍ବାରା ସାରା ଦୁନିଆକୁ ଜଣାପଡିଯାଇଥିଲା ଯେ, ଭାରତର ରାଜନୈତିକ ଇଚ୍ଛାଶକ୍ତି କେତେ ଅଟଳ। ସେ ସମୟରେ ପୁରା ଦୁନିଆର ଚାପ ଭାରତ ଉପରେ ଥିଲା। କିନ୍ତୁ ଅଟଳଜୀଙ୍କ ନେତୃତ୍ବରେ ବିଜେପି ସରକାର ଅସମ୍ଭବକୁ ସମ୍ଭବ କରିପାରିଥିଲା।

ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ୱାଧୀନତା ସମୟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ୫୦୦ ରୁ ଅଧିକ ଗଡ଼ଜାତ ରାଜ୍ୟକୁ ଏକତ୍ର କରି ଦେଶକୁ ଏକତ୍ର କରିଥିଲେ ଏବଂ ସୋମନାଥ ମନ୍ଦିର ପୁନଃନିର୍ମାଣ ପାଇଁ ତାଙ୍କର ସଂକଳ୍ପକୁ ମଧ୍ୟ ପୂରଣ କରିଥିଲେ। ମୋତେ ଅନେକ ଥର ସୋମନାଥ ଦର୍ଶନ କରିବାର ସୁଯୋଗ ମିଳିଛି ଏବଂ କିଛି ସମୟ ପୂର୍ବରୁ ସେଠାକୁ ଗସ୍ତ କରିଥିଲି। ଆକ୍ରମଣକାରୀମାନେ ସୋମନାଥକୁ କେବଳ ଏକ ଭୌତିକ ଢାଞ୍ଚା ବୋଲି ଭାବିଥିଲେ, ଏବଂ ଏହାକୁ ବାରମ୍ବାର ଧ୍ୱଂସ କରିଥିଲେ। କିନ୍ତୁ ପ୍ରତ୍ୟେକ ଥର, ସୋମନାଥ ପୁଣି ଠିଆ ହୋଇଥିଲେ କାରଣ ଏହାକୁ ଧ୍ୱଂସ କରିଥିବା ଲୋକମାନେ ଭାରତର ବୈଚାରିକ ଶକ୍ତିକୁ ବୁଝିପାରି ନଥିଲେ। ଭାରତୀୟ ସଂସ୍କୃତି ଭୌତିକ ଶରୀରକୁ ନଶ୍ୱର ବୋଲି ମାନିଥାଏ, କିନ୍ତୁ ଏହା ମଧ୍ୟରେ ଥିବା ଆତ୍ମାକୁ ଅମର ବୋଲି ମାନିଥାଏ। ଶିବ ହେଉଛନ୍ତି ପରମାତ୍ମା, ଏବଂ ଏହା ଭାରତର ଅନନ୍ତ ଚେତନାର ସର୍ବଶ୍ରେଷ୍ଠ ଶକ୍ତି ବୋଲି କହିଛନ୍ତି ପିଏମ୍ ମୋଦି।

ଆହୁରି ପଢନ୍ତୁ : "ଏହା ଉପଦେଶ ନୁହେଁ, ବିଫଳତାର ପ୍ରମାଣ": ପେଟ୍ରୋଲ-ସୁନା ସଞ୍ଚୟ ଅପିଲକୁ ନେଇ ମୋଦୀଙ୍କୁ ଘେରିଲେ ରାହୁଲ-ଅଖିଳେଶ