ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପାହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନର ସ୍ୱାଧୀନ ଓ ନିରପେକ୍ଷ ତଦନ୍ତ ଦାବିକୁ ଚୀନ ସମର୍ଥନ କରିଛି। ଏପ୍ରିଲ ୨୨ ତାରିଖରେ ପାହାଲଗାମର ବୈସରଣ ଉପତ୍ୟକାରେ ହୋଇଥିବା ଆତଙ୍କୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଥିଲା। ଯେଉଁଥିରେ ଲସ୍କର-ଏ-ତୋଇବାର ସହଯୋଗୀ ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ଏହି ଆକ୍ରମଣର ଦାୟିତ୍ୱ ନେଇଥିଲା।
ଚୀନର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତି ଜାରି କରି କହିଛି ଯେ, "ଆମେ ପହଲଗାମ ଆକ୍ରମଣର କଡା ନିନ୍ଦା କରୁଛୁ ଏବଂ ଏହାର ନିରପେକ୍ଷ ତଦନ୍ତ ପାଇଁ ପାକିସ୍ତାନର ପ୍ରସ୍ତାବକୁ ମଧ୍ୟ ସମର୍ଥନ କରୁଛୁ।" ଚୀନ ଏହା ମଧ୍ୟ କହିଛି ଯେ ଏହି ଘଟଣାରେ ଉଭୟ ପକ୍ଷ ସଂଯମ ଅବଲମ୍ବନ କରି ଆଲୋଚନା ମାଧ୍ୟମରେ ସମାଧାନର ବାଟ ଖୋଜିବା ଉଚିତ।
ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଏହି ଆକ୍ରମଣକୁ "ଭାରତ ଦ୍ୱାରା ଏକ ନାଟକ" ବୋଲି ଅଭିଯୋଗ କରି ରୁଷିଆ ଓ ଚୀନର ସମ୍ପୃକ୍ତି ସହ ଏକ ସ୍ୱାଧୀନ ତଦନ୍ତ ପାଇଁ ଦାବି କରିଛନ୍ତି। ଅନ୍ୟପକ୍ଷରେ, ଭାରତ ଏହି ଆକ୍ରମଣ ପାଇଁ ପାକିସ୍ତାନକୁ ପରୋକ୍ଷ ଭାବେ ଦାୟୀ କରି କୂଟନୈତିକ ସମ୍ପର୍କ କରିଛି। ଯେଉଁଥିପାଇଁ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ଓ ଅଟାରୀ-ୱାଘା ସୀମାନ୍ତ ବନ୍ଦ କରିବା ଭଳି ନିୟମ ସାମିଲ ରହିଛି।
ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଆକ୍ରମଣକୁ "ନୃଶଂସ" ବୋଲି କହି କଡା ନିନ୍ଦା କରିବା ସହ ଆତଙ୍କବାଦୀ ଓ ତାଙ୍କ ପୃଷ୍ଠପୋଷକମାନଙ୍କୁ "କଠୋର ଶାସ୍ତି" ଦିଆଯିବ ବୋଲି କହିଛନ୍ତି। ଜମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ପାକିସ୍ତାନର ତଦନ୍ତ ପ୍ରସ୍ତାବକୁ ଖାରଜ କରି କହିଛନ୍ତି ଯେ ପାକିସ୍ତାନ ପ୍ରଥମେ ଘଟଣାକୁ ଅସ୍ୱୀକାର କରି ଭାରତ ଉପରେ "ନାଟକ" କରୁଥିବାର ଅଭିଯୋଗ କରିଛି। ଏହାପରେ ପାକିସ୍ତାନ ଉପରେ କିପରି ବିଶ୍ୱାସ କରାଯାଇ ପାରିବ।
ଏହି ଘଟଣା ଭାରତ-ପାକିସ୍ତାନ ସମ୍ପର୍କକୁ ଆହୁରି ତିକ୍ତ କରିଛି। ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (ୟୁଏନଏସସି) ଏହି ଆକ୍ରମଣର ନିନ୍ଦା କରିଛି। ତେବେ ଚୀନ, ପାକିସ୍ତାନର ଦାୟିତ୍ତ୍ୱହୀନ ମନ୍ତବ୍ୟକୁ ହାଲକା କରିବାକୁ ଏହି ଘୋଷଣା କରିଥିବା ଅଭିଯୋଗ ହୋଇଛି। ବିଶ୍ୱ ସମୁଦାୟ ଏହି ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି। କାରଣ ଏହା ଦୁଇ ପରମାଣୁ ଶକ୍ତିସମ୍ପନ୍ନ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି କରିପାରେ।