ପାଟନା: ବିଜେପି ଏବଂ ଜେଡିୟୁ ପରେ ଏନଡିଏର ସହଯୋଗୀ ଚିରାଗ ପାସୱାନଙ୍କ ଏଲଜେପି (ଆର) ମଧ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ଚିରାଗ ପାସୱାନଙ୍କ ଦଳ ବୁଧବାର (ଅକ୍ଟୋବର ୧୫) ୧୪ ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏହା ଏଲଜେପିର ପ୍ରଥମ ପ୍ରାର୍ଥୀ ତାଲିକା  । ରାଜୁ ତିୱାରୀଙ୍କୁ ଗୋବିନ୍ଦଗଞ୍ଜରୁ ଏବଂ ସଞ୍ଜୟ କୁମାର ସିଂହଙ୍କୁ ସିମରି ବଖତିୟାରପୁରରୁ ପ୍ରାର୍ଥୀ କରିଛି ଦଳ ।  ଦାରୁଲିରୁ ବିଷ୍ଣୁ ଦେବ ପାସୱାନ୍, ଗରଖାରୁ ସୀମାନ୍ତ ମୃଣାଳ, ସାହେବପୁର କମଲରୁ ସୁରେନ୍ଦ୍ର କୁମାର, ବଖରିରୁ ସଞ୍ଜୟ କୁମାର, ପାର୍ବତାରୁ ବାବୁଲାଲ ଶୌର୍ଯ୍ୟ, ନାଥନଗରରୁ ମିଥୁନ କୁମାର, ପାଲିଗଞ୍ଜର ସୁନୀଲ କୁମାର, ବ୍ରହ୍ମପୁରରୁ ହୁଲାସ ପାଣ୍ଡେଙ୍କୁ ଟିକେଟ୍ ଦିଆଯାଇଛି । ବଳରାମପୁରରୁ ସଂଗୀତା ଦେବୀ, ମଖଦୁମପୁରରୁ ରାଣୀ କୁମାରୀ ଏବଂ ଓବ୍ରାରୁ ପ୍ରକାଶ ଚନ୍ଦ୍ରଙ୍କୁ ଟିକେଟ ଦେଇଛି ଦଳ । 

ପାର୍ଟି ଏକ୍ସରେ ପୋଷ୍ଟ କରିଛି ଯେ, ‘ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନଙ୍କ ମାର୍ଗଦର୍ଶନ ଏବଂ ନିର୍ଦ୍ଦେଶ ଅନୁଯାୟୀ ଘୋଷିତ ବିହାର ବିଧାନସଭା ନିର୍ବାଚନ  ପାଇଁ ସମସ୍ତ ପ୍ରାର୍ଥୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଆମର ପୂର୍ଣ୍ଣ ବିଶ୍ୱାସ ଯେ, ଆପଣମାନେ ସମସ୍ତେ ବିହାର ପ୍ରଥମ-ବିହାରୀ ପ୍ରଥମ ସ୍ୱପ୍ନକୁ ସାକାର କରିବାରେ ଏବଂ ବିହାରର ସର୍ବାଙ୍ଗୀନ ବିକାଶରେ ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ ଅଂଶଗ୍ରହଣ ସୁନିଶ୍ଚିତ କରିବେ। ଆପଣଙ୍କ ସମର୍ପଣ ଏବଂ ଲୋକଙ୍କ ସମର୍ଥନ ସହିତ, ବିହାର ବିଧାନସଭା ନିର୍ବାଚନରେ ​​ଡବଲ-ଇଞ୍ଜିନ୍ NDA ସରକାରଙ୍କ ଏକ ଐତିହାସିକ ଏବଂ ବିପୁଳ ବିଜୟ ନିଶ୍ଚିତ।’

ଉଲ୍ଲେଖନୀୟ ଯେ, ବୁଧବାର ଜେଡିୟୁ ମଧ୍ୟ ୫୭ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଏମାନଙ୍କ ମଧ୍ୟରେ ବିଜୟ କୁମାର ଚୌଧୁରୀ, ଶ୍ରବଣ କୁମାର, ମଦନ ସାହାଣୀ, ରତ୍ନେଶ ସଦା ଏବଂ ମହେଶ୍ୱର ହଜାରୀ ଅଛନ୍ତି। ଦଳ ବର୍ତ୍ତମାନର ମନ୍ତ୍ରୀଙ୍କ ଉପରେ ବିଶ୍ୱାସ ବଜାୟ ରଖିଛି। ସେମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଶ୍ୟାମ ରାଜକ ଏବଂ  ଅନନ୍ତ କୁମାର ସିଂହ ପ୍ରମୁଖ ଅଛନ୍ତି। ପ୍ରାୟ ଗୋଟିଏ ବର୍ଷ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଛାଡି ଜେଡିୟୁକୁ ଫେରିଥିବା ଶ୍ୟାମ ରାଜକଙ୍କୁ ଦଳ ଟିକେଟ ଦେଇଛି। ଅନନ୍ତ କୁମାର ସିଂହ ମୋକାମାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ସେପଯେ ବିଜେପି ଆଜି ଦ୍ବିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି । ୧୨ ଜଣିଆ ତାଲିକାରେ ଗତକାଲି ବିଜେପିରେ ସାମିଲ ହୋଇଥିବା ଯୁବ ଗାୟିକା ମୈଥିଳୀ ଠାକୁରଙ୍କ ନାଁ ରହିଛି । ତାଙ୍କୁ ଅଲିନଗରରୁ ଟିକେଟ୍‌ ଦେଇଛି ବିଜେପି ।