କ୍ରିସ୍ ଗେଲ୍ଙ୍କ ପସନ୍ଦର ନାୟିକା ଦୀପିକା, ଅଭିନେତ୍ରୀଙ୍କୁ ପ୍ରଶଂସା କରି କହିଲେ ଏମିତି କିଛି

spotboye
ନୂଆଦିଲ୍ଲୀ ୨୪/୦୫: ମ୍ୟୁଜିକ୍ ଭିଡିଓ ଜଗତରେ ଏଣ୍ଟ୍ରି କରିଛନ୍ତି କ୍ରିକେଟର କ୍ରିସ୍ ଗେଲ । ‘ଓଃ ଫାତିମା’ ଗୀତ ପାଇଁ ସେ ମ୍ୟୁଜିକ୍ କମ୍ପୋଜର୍ ଆର୍କୋ ପ୍ରାଭୋ ମୁଖାର୍ଜୀଙ୍କ ସହ ଯୋଡ଼ି ହୋଇଛନ୍ତି । ଭାରତୀୟ ଓ ଜାମାଇକା ଶୈଳୀ ସଙ୍ଗୀତର ମିଶ୍ରଣରେ ଗୀତଟି ପ୍ରସ୍ତୁତ ହୋଇଛି । ଆର୍କୋଙ୍କ ସହ ଗେଲ୍ ଏହାକୁ ଗାଇଛନ୍ତି । ଗୀତର ଲଞ୍ଚ୍ ଅବସରରେ ଜଣେ ବଲିଉଡ୍ ଅଭିନେତ୍ରୀଙ୍କ ସହ ଯୋଡ଼ି ହେବାର ଇଚ୍ଛା ଜାହିର କରିଛନ୍ତି ଗେଲ୍ । ଗେଲ୍ କହିଛନ୍ତି, ଭବିଷ୍ୟତରେ ଯଦି ବଲିଉଡ୍ରେ କୌଣସି ମ୍ୟୁଜିକ୍ ଆଲ୍ବମରେ କାମ କରେ, ତେବେ ଦୀପିକା ପାଦୁକୋନଙ୍କ ସହ ନୃତ୍ୟ କରିବାକୁ ପସନ୍ଦ କରିବି । ସେ ଜଣେ ଅତି ସୁନ୍ଦର ମହିଳା ।’

ଦୀପିକା ଖୁବ୍ଶୀଘ୍ର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ ‘ଫାଇଟର୍’ରେ ଋତ୍ୱିକ ରୋଶନଙ୍କ ସହ ନଜର ଆସିବେ । ଫିଲ୍ମ ‘ପଠାନ୍’ ପରେ ପୁଣି ଥରେ ତାଙ୍କ ସହ ଯୋଡ଼ିହେବା ବିଷୟରେ ସିଦ୍ଧାର୍ଥ କହିଛନ୍ତି, ‘ପଠାନ୍’ରେ ଦୀପିକା ଗୁପ୍ତଚର ଥିଲେ । ‘ଫାଇଟର୍’ରେ ସେ ଜଣେ ବାୟୁସେନା ଅଧିକାରୀ ଭୂମିକା ନିର୍ବାହ କରିଛନ୍ତି । ବାସ୍ତବ ଜୀବନ ଉପରେ ଆଧାରିତ ଚରିତ୍ରଗୁଡ଼ିକୁ ଦୀପିକା ବେଶ ସୁନ୍ଦର ଭାବେ ନିର୍ବାହ କରନ୍ତି । ‘ପଠାନ୍’ରେ ତାଙ୍କ ଭୂମିକା କମର୍ସିଆଲ୍ ହୋଇଥିବାବେଳେ ‘ଫାଇଟର୍’ରେ ତାଙ୍କର ନିଚ୍ଛକ ଚରିତ୍ର ସାମ୍ନାକୁ ଆସିବ । ଫିଲ୍ମରେ ତାଙ୍କର ଅନେକ ଆକ୍ସନ୍ ସିନ୍ ରହିଛି । ତାଙ୍କ ଅପ୍କମିଙ୍ଗ ପ୍ରୋଜେକ୍ଟରେ ‘ଦ ଇନ୍ଟର୍ନ’ର ରିମେକ୍ ମଧ୍ୟ ରହିଛି ।