ନୂଆଦିଲ୍ଲୀ, ୯/୪ : ଆମେରିକା-ଇରାନ ଯୁଦ୍ଧରେ ସିଆଇଏ ପ୍ରଥମ ଥର ଏଭଳି ଏକ ଗୁପ୍ତ ଟେକ୍ନୋଲୋଜି ପ୍ରୟୋଗ କରିଛି, ଯାହା ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିନି । ଏହି ଉପକରଣର ନାଁ ‘ଘୋଷ୍ଟ ମରମର୍’ । ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁସାରେ, ଇରାନରେ ଫସିଥିବା ୨ୟ ଆମେରିକୀୟ ଏୟାରମ୍ୟାନ୍ ପାଇଲଟ୍ ଙ୍କୁ ଖୋଜିବା ଓ ବଞ୍ଚାଇବାରେ ଏହି ଟେକ୍ନୋଲୋଜି ଫଳପ୍ରଦ ହୋଇଛି । ସଦର୍ନ ଇରାନରେ ତାଙ୍କୁ ଗୁଳି କରି ଖସାଯାଇଥିଲା । ପାଇଲଟ୍ ୪୮ ଘଣ୍ଟା ଯାଏ ପାହାଡ଼ ମଧ୍ୟରେ ଲୁଚି ରହିଥିଲେ । ଇରାନ ସେନା ତାଙ୍କୁ ଖୋଜୁଥିଲା । ତାଙ୍କ ଉପରେ ପୁରସ୍କାର ରାଶି ମଧ୍ୟ ରଖାଯାଇଥିଲା । କିନ୍ତୁ ଘୋଷ୍ଟ ମରମର୍ ପ୍ରାୟ ୬୪ କିମି ଦୂରରୁ ଏୟାରମ୍ୟାନ୍ ଙ୍କ ହୃତସ୍ପନ୍ଦନକୁ ଚିହ୍ନଟ କରି ତାଙ୍କୁ ସୁରକ୍ଷିତ ଉଦ୍ଧାର କଲା ।
ଘୋଷ୍ଟ ମରମର୍ ଏକ ଉନ୍ନତ ଗୁଇନ୍ଦା ଟେକ୍ନୋଲୋଜି, ଯାହା କ୍ୱାଣ୍ଟମ୍ ମ୍ୟାଗ୍ନେଟୋମେଟ୍ରି ଉପରେ କାମ କରେ । ବ୍ୟକ୍ତିଙ୍କ ହୃତ୍ପିଣ୍ଡର ବିଦ୍ୟୁତ୍ ଚୁମ୍ବକୀୟ ତରଙ୍ଗକୁ ଏହା ଖୁବ୍ ଦୂରରୁ ଧରିପାରେ । ତା’ପରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସାହାଯ୍ୟରେ ଏହି ସଙ୍କେତକୁ ଆଖପାଖର ସମସ୍ତ କୋଳାହଳଠୁ ଅଲଗା କରିଦିଆଯାଏ । ଠିକ୍ ଯେମିତି ଷ୍ଟାଡିୟମ୍ ରେ ଭିଡ଼ ଭିତରେ କାହାର ସ୍ୱରକୁ ଶୁଣିବା । କନ୍ତୁ ଏ ସ୍ଥାନ ଭିନ୍ନ। ୧୬୦୯ ବର୍ଗ କିମିର ମରୁଭୂମି କିମ୍ବା ପାହାଡ଼ିଆ ଅଞ୍ଚଳରୁ ଜଣେ ପାଇଲଟଙ୍କୁ ଖୋଜିବା ଖୁବ୍ କଷ୍ଟସାଧ୍ୟ ଥିଲା। ତଥାପି ଘୋଷ୍ଟ ମରମର୍ ଏଥିରେ ସଫଳ ହୋଇଥିଲା।
ଘୋଷ୍ଟ ମରମର୍ ଲକହିଡ ମାର୍ଟିନ୍ର ସ୍କଂକ ୱର୍କସ ଦ୍ୱାରା ବିକଶିତ । ପ୍ରଥମେ ଏହାକୁ ବ୍ଲାକ୍ ହକ୍ ହେଲିକପ୍ଟରରେ ପରୀକ୍ଷା କରାଯାଇଥିଲା । ଏବେ ଏହାକୁ ଏଫ୍-୩୫ ଲଢୁଆ ବିମାନରେ ଲଗାଇବାକୁ ପ୍ରସ୍ତୁତି ଚାଲିଛି । ଏଥିରେ ସିନ୍ଥେଟିକ୍ ଡାଇମଣ୍ଡର ମାଇକ୍ରୋ ଥ୍ରେଡ୍ସ ଉପଯୋଗ ହୋଇଛି, ଯାହା ସାଧାରଣତଃ ହସ୍ପିଟାଲରେ ଛାତିରେ ଲଗାଯାଉଥିବା ସେନ୍ସରଠୁ ବି ଅଧିକ ସମ୍ବେଦନଶୀଳ । ୨ୟ ଆମେରିକୀୟ ଏଫ୍-୧୫ଇ ପାଇଲଟ୍ ଇରାନର ଦକ୍ଷିଣାଞ୍ଚଳରେ ଖସିଥିଲା । ୪୮ ଘଣ୍ଟା ଯାଏ ତାହା ପାହାଡ଼ କନ୍ଦିରେ ଫସିଥିଲା । ଇରାନୀ ସେନା ପାଇଲଟଙ୍କୁ ଚାରିଆଡ଼େ ଖୋଜୁଥିଲେ । ସିଆଇଏ ଜାଣିଥିଲା ଯେ ପାଇଲଟ୍ ପାହାଡ଼ ମଧ୍ୟରେ ଲୁଚିଛନ୍ତି, କିନ୍ତୁ ଠିକ୍ ସ୍ଥାନ ଜଣାନଥିଲା । ଏହି ସ୍ଥିତିରେ ଘୋଷ୍ଟ ମରମର୍ କାମ କଲା । ୪୦ ମାଇଲ ଦୂରରୁ ପାଇଲଟଙ୍କ ହୃତ୍ପିଣ୍ଡକୁ ଚିହ୍ନଟ କଲା । ତୁରନ୍ତ ଶତାଧିକ ଆମେରିକୀୟ ସୈନ୍ୟ ଉଦ୍ଧାର ଲାଗି ଆସିଲେ । ଉଦ୍ଧାର ସମୟରେ ଦୁଇଟି ଆମେରିକୀୟ ବିମାନ ମଧ୍ୟ ଫସିଗଲା, ଯାହାକୁ ଆମେରିକୀୟ ସେନାକୁ ନଷ୍ଟ କରିବାକୁ ପଡ଼ିଲା । କିନ୍ତୁ ସମସ୍ତେ ସୁରକ୍ଷିତ ସେଠାରୁ ବାହାରିଲେ । ଏହା ଘୋଷ୍ଟ ମରମର୍ର ପ୍ରଥମ ପ୍ରୟୋଗ ଥିଲା ।
ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ୍ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଉଦ୍ଧାର କାର୍ଯ୍ୟକୁ ସେ ଘାସ ଗଦା ଭିତରେ ଛୁଞ୍ଚି ଖୋଜିବା ଭଳି ବୋଲି କହିଥିଲେ । ଟ୍ରମ୍ପ୍ ସିଆଇଏର ଏହି ଟେକ୍ନୋଲୋଜିକୁ ଗେମ୍ ଚେଞ୍ଜର୍ କହିଲେ । ଏହା ପୂର୍ବରୁ ଆମେରିକା ଭେନେଜୁଏଲାରେ ‘ଦ ଡିସ୍କମ୍ବୋବୁଲେଟର’ ନାମକ ଆଉ ଏକ ଗୁପ୍ତ ଟେକ୍ନୋଲୋଜି ପ୍ରୟୋଗ କରିଥିଲା । ଏହା ଭେନେଜୁଏଲାର ବାୟୁ ରକ୍ଷା ପ୍ରଣାଳୀକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ କରିଦେଇଥିଲା । ଏବେ ଘୋଷ୍ଟ ମରମର୍ ଆସିବା ପରେ ଆମେରିକାର ଗୁଇନ୍ଦା ଓ କ୍ଷମତାର ବିସ୍ତାର ହୋଇଛି । ଘୋଷ୍ଟ ମରମର୍ କେବଳ ସୈନ୍ୟ ଉଦ୍ଧାର ପାଇଁ ନୁହେଁ । ଏହି ଟେକ୍ନୋଲୋଜି ଏତେ ଶକ୍ତିଶାଳୀ ଯେ ଯେକୌଣସି ବ୍ୟକ୍ତିଙ୍କ ହୃତସ୍ପନ୍ଦନକୁ ଦୂରରୁ ଚିହ୍ନଟ କରିପାରେ । ଏହାର ଅର୍ଥ ଭବିଷ୍ୟତରେ ଏହାକୁ ଗୁଇନ୍ଦାଗିରି, ଆତଙ୍କବାଦ-ବିରୋଧୀ ମିଶନ, ଏପରିକି ସାଧାରଣ ତଦାରଖରେ ମଧ୍ୟ ବ୍ୟବହାର କରାଯାଇପାରେ । ବୈଜ୍ଞାନିକଙ୍କ ଅନୁସାରେ, ଏହି ଟେକ୍ନୋଲୋଜି ହସ୍ପିଟାଲରେ ବ୍ୟବହୃତ ହାର୍ଟ ମନିଟରଠୁ ଅଧିକ ସମ୍ବେଦନଶୀଳ। କିନ୍ତୁ ଗୋପନୀୟତା ଓ ମାନବାଧିକାର ନିମନ୍ତେ ନୂଆ ଆହ୍ୱାନ ମଧ୍ୟ ସୃଷ୍ଟି କରୁଛି । ଏବେ ଏହା କେବଳ ଆମେରିକୀୟ ସେନା ଓ ସିଆଇଏ ପାଖରେ ଅଛି, କିନ୍ତୁ ଭବିଷ୍ୟତରେ ଏଭଳି ଟେକ୍ନୋଲୋଜି ସମଗ୍ର ବିଶ୍ୱରେ ବ୍ୟାପିପାରେ।
ଏହି ଖବରଟିକୁ ପଢନ୍ତୁ- ୫ ବିନ୍ଦୁରେ ବୁଝନ୍ତୁ ଟ୍ରମ୍ପଙ୍କ ଆତ୍ମସମର୍ପଣ ପଛର କାରଣ; ଇରାନ ସହିତ ଯୁଦ୍ଧବିରତି ଆମେରିକାର ପରାଜୟ କି?