ନୂଆଦିଲ୍ଲୀ : ଦିଲ୍ଲୀରେ ଏକ ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି। ବାହାଘର ଶୋଭାଯାତ୍ରାରେ ଟଙ୍କା ଚୋରି କରୁଥିବା ବେଳେ ଜଣେ ପିଲାକୁ ସିଆଇଏସଏଫ୍‌ର ହେଡ୍ କନଷ୍ଟେବଳ ଗୁଳି କରି ହତ୍ୟା କରିଛନ୍ତି। ତାଙ୍କୁ ଉତ୍ତର ପ୍ରଦେଶରେ ତାଙ୍କ ଘରୁ ଗିରଫ କରି ନିଆ ଯାଇଛି। ଅଭିଯୁକ୍ତ ଜଣଙ୍କ ବରର ମାମୁଁଙ୍କ ପୁଅ। ସେ ଛୁଟିନେଇ ବାହାଘରକୁ ଆସି ଥିଲେ।

ଲାଇଭ୍ ହିନ୍ଦୁସ୍ତାନ ଡଟ୍ କମ୍‌ରେ ପ୍ରକାଶିତ ସୂଚନା ଅନୁସାରେ, ଦିଲ୍ଲୀର ଶାହଦରା ଜିଲ୍ଲାର ମାନସରୋବର ପାର୍କ ଅଞ୍ଚଳରେ ଶନିବାର ରାତିରେ ବାହାଘର ଶୋଭାଯାତ୍ରାରେ ୧୪ ବର୍ଷିୟ ନାବାଳକ ଜଣଙ୍କ ଟଙ୍କା ଚୋରି କରୁଥିଲେ, ଏଥିରେ ଅସନ୍ତୁଷ୍ଟ ହୋଇ ଶୋଭାଯାତ୍ରାରେ ସାମିଲ ସିଆଇଏସଏଫ୍‌ର ହେଡ୍ କନଷ୍ଟେବଳ ପାଖରେ ରଖି ଥିବା ବନ୍ଧୁକରେ ନିରୀହ ପିଲାର ମୁଣ୍ଡକୁ ଗୁଳି କରି ଥିଲେ। ଏହାପରେ ଅଭିଯୁକ୍ତ ହେଡ୍ କନଷ୍ଟେବଳ ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଗୁରୁତର ଭାବେ ଆହତ ସ୍ଥିତିରେ ନାବାଳକଙ୍କୁ ଡା.ହେଡଗେୱାର ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା , ଯେଉଁଠି ଡାକ୍ତରମାନେ ତାଙ୍କୁ ମୃତ ଘୋଷିତ କରିଥିଲେ। ମୃତକଙ୍କ ନାଁ ସାହିଲ, ସେ ସ୍ଥାନୀୟ ବସ୍ତି ଅଞ୍ଚଳରେ ରହୁ ଥିବା ଜଣାପଡ଼ିଛି।

ପୁଲିସ ମାମଲାରେ ଅଭିଯୁକ୍ତ ହେଡ୍ କନଷ୍ଟେବଳଙ୍କ ବିରୋଧରେ ମାନସରୋବର ପାର୍କ ଥାନାରେ ହତ୍ୟା ଓ ଆର୍ମସ ଆକ୍ଟ ସମେତ ଅନେକ ଧାରାରେ ମାମଲା ରୁଜୁ କରିଛି। ତାଙ୍କୁ ରବିବାର ସକାଳେ ଉତ୍ତର ପ୍ରଦେଶର ଇଟାୱା ସ୍ଥିତ ଭରତାନା ଗାଁରେ ତାଙ୍କ ଘରୁ ଗିରଫ କରାଯାଇଛି। ଅଭିଯୁକ୍ତର ନାଁ ମଦନ ଗୋପାଳ ତିୱାରୀ। ସେ ଛୁଟି ନେଇ ବାହାଘରରେ ସାମିଲ ହେବାକୁ ଆସିଥିଲେ। ବର୍ତ୍ତମାନ ତାଙ୍କର ମୁତୟନ କାନପୁର , ୟୁପିରେ ହୋଇଛି। ତାଙ୍କ ପାଖରୁ ଘଟଣା ବେଳେ ବ୍ୟବହୃତ ବନ୍ଧୁକଟିକୁ ମଧ୍ୟ ଜବତ କରାଯାଇଛି।