ଭୁବନେଶ୍ବର, ୦୯/୦୧: ଜୀବନ ବଞ୍ଚାଇବା ଠାରୁ ମୂଲ୍ୟବାନ କାର୍ଯ୍ୟ କିଛି ନାହିଁ । ଉପସ୍ଥିତ ବୁଦ୍ଧି ଲଗାଇ ମଣିଷର ଜୀବନ ବଞ୍ଚାଇବା ସବୁଠାରୁ ବଡ଼ କାମ । ଏଭଳି କିଛି ଚିତ୍ର ଆଜି ଦେଖିବାକୁ ମିଳିଛି ଭୁବନେଶ୍ବର ବିମାନ ବନ୍ଦରରେ । ଦୁଇ ଜଣ ସିଆଇଏସଏଫ ଯବାନ ଏୟାରପୋର୍ଟରେ କାମ କରୁଥିବା ଜଣଙ୍କର ଜୀବନ ବଞ୍ଚାଇଛନ୍ତି । ଯାହାକୁ ନେଇ ସବୁଠି ପ୍ରଶଂସାର ସୁଅ ଛୁଟିଛି ।   

ସୂଚନା ଅନୁଯାୟୀ, ବିମାନ ବନ୍ଦର ସ୍କ୍ରିନିଂ ପଏଣ୍ଟରେ ନିୟୋଜିତ ଜଣେ ILHBS କର୍ମଚାରୀ ହଠାତ୍ ମୁର୍ଚ୍ଛା ହୋଇପଡ଼ିଥିଲେ ।  ଏହି ସମୟରେ ବିମାନ ବନ୍ଦର ଡ୍ୟୁଟିରେ ଥିବା ଦୁଇ ଜଣ ସିଆଇଏସଏଫ ଯବାନ ଡିମ୍ପଲ କୁମାର ଏବଂ ଡି.ପି ଗୁପ୍ତା ଉପସ୍ଥିତ ବୁଦ୍ଧି ଲଗାଇ ଅସୁସ୍ଥଙ୍କୁ CPR ପ୍ରୟୋଗ କରି ହୋସକୁ ଆଣିଥିଲେ । ପରେ ଅସୁସ୍ଥ କର୍ମଚାରୀ ଜଣଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେପଟେ ଯବାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି କ୍ୟାପିଟାଲ୍ ହସ୍ପିଟାଲର ଡାକ୍ତର । ଏନେଇ ସିଆଇଏସଏଫ ପକ୍ଷରୁ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି ।