ଭୁବନେଶ୍ୱର,୨୩/୦୩: ଖୁବ୍‌ଶୀଘ୍ର ତୁଟିବ ମହାନଦୀ ଜଳ ବିବାଦ । କେନ୍ଦ୍ର ସରକାର-ଛତିଶଗଡ଼-ଓଡ଼ିଶା  ସରକାର ମିଳିତ ଭାବେ ଆଲୋଚନା  କରି ଏହାର ଆପୋସ ସମାଧାନ  କରିବେ । ଶନିବାର ଓଡ଼ିଶା ଗସ୍ତରେ  ଆସିଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ  ବିଷ୍ଣୁଦେବ ସାଏଙ୍କ ସହ ଆଲୋଚନା  କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ । ଏହି ଅବସରରେ ସେ କହିଛନ୍ତି  ଯେ ଟ୍ରିପଲ ଇଞ୍ଜିନ୍‌ ସରକାର ଲୋକଙ୍କୁ ଉଚିତ ସେବା ଯୋଗାଇ ଦେବାକୁ ସବୁ  ପ୍ରକାର ଚେଷ୍ଟା କରିବେ । 

ଶ୍ରୀ ସାଏ ଏହି ଅବସରରେ ଶ୍ରୀ  ମାଝୀଙ୍କୁ ଲୋକସେବା ଭବନରେ  ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।  ବିଭିନ୍ନ ପ୍ରସଙ୍ଗ ସହିତ ମହାନଦୀ ଜଳ  ବିବାଦ ସମ୍ପର୍କରେ ଉଭୟଙ୍କ ମଧ୍ୟରେ  ଆଲୋଚନା ହୋଇଥିଲା । ସୌହାର୍ଦ୍ଦ୍ୟପୂର୍ଣ୍ଣ  ବାତାବରଣରେ ଏହି ବିବାଦର ସମାଧାନ  ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପରାମର୍ଶ  ଦେଇଥିଲେ । ଦୁଇ ରାଜ୍ୟ ପରସ୍ପରର  ପଡ଼ୋଶୀ ରାଜ୍ୟ ଏବଂ ଉଭୟ ରାଜ୍ୟ  ମଧ୍ୟରେ ଭାଷା ଓ ଭାବଗତ ସାମଞ୍ଜସ୍ୟ  ମଧ୍ୟ ରହିଛି । ଉଭୟ ରାଜ୍ୟର  ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଏହାର  ତୁରନ୍ତ ସମାଧାନ ହେବା ଆବଶ୍ୟକ  ବୋଲି ଶ୍ରୀ ମାଝୀ କହିଥିଲେ । 

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶ୍ରୀ ସାଏ  ଏହା ଉପରେ ସକାରାତ୍ମକ ମତ ପ୍ରକାଶ  କରି କହିଥିଲେ ଯେ, ସେ ସଦାସର୍ବଦା  ଆପୋସ ସମାଧାନ ସପକ୍ଷରେ ଅଛନ୍ତି ।  ଆଲୋଚନା ଜରିଆରେ ଏହି ସମସ୍ୟାର  ଉପଯୁକ୍ତ ସମାଧାନ ହୋଇପାରିବ ।  ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି  ବିଷୟ ଉପରେ ଗୁରୁତ୍ୱ ଦେଇ ଶାନ୍ତିପୂର୍ଣ୍ଣ  ସମାଧାନ ପାଇଁ ରାସ୍ତା ବାହାର କରିବାକୁ  ଏକମତ ହୋଇଛନ୍ତି ।  

ଏହି ଅବସରରେ ଶ୍ରୀ ମାଝି  କହିଥିଲେ ଯେ ସୀମାବର୍ତ୍ତୀ ରାଜ୍ୟ  ସହିତ ଲାଗି ରହିଥିବା ଜଳ ବିବାଦକୁ  ରାଜ୍ୟ ସରକାର ଗୁରୁତ୍ୱର ସହିତ ନେଇଛନ୍ତି । ଛତିଶଗଡ଼ ସମେତ  ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶକୁ  ଲାଗି ରହିଥିବା ନଦୀର ଯେଉଁ ବିବାଦ  ଅଛି ତାହାକୁ ସମାଧାନ କରାଯିବ ।  ଏନେଇ ଗତକାଲି ବିଧାସଭାରେ  ଆଲୋଚନା ହୋଇଛି । ଏହା ସହ  ଆନ୍ଧ୍ରପ୍ରଦେଶ ସହିତ ଲାଗି ରହିଥିବା  ପୋଲାଭରମ୍‌ ପ୍ରକଳ୍ପ ବିବାଦର ମଧ୍ୟ  ପୂର୍ଣ୍ଣଚ୍ଛେଦ ପଡ଼ିବ । ଏହାର ସମାଧାନ  ପାଇଁ ରାଜ୍ୟ ସରକାର ଖୁବ୍‌ଶୀଘ୍ର ନିଷ୍ପତ୍ତି  ନେବେ ବୋଲି ସେ ସୂଚନା ଦେଇଛନ୍ତି ।