ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏକ ନୂଆ ରାଜନୈତିକ ବିବାଦ ଆରମ୍ଭ ହୋଇଯାଇଛି । ବିରୋଧୀ ଦଳ ନେତା ଆତିଶୀ ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସ୍ୱାମୀ ଦିଲ୍ଲୀ ନଗର ନିଗମ, ଦିଲ୍ଲୀ ଜଳ ବୋର୍ଡ, ପୂର୍ତ୍ତ ବିଭାଗ ଏବଂ ଦିଲ୍ଲୀ ଅର୍ବାନ୍ ସେଲ୍ଟର ଇମ୍ପ୍ରୁଭମେଣ୍ଟ ବୋର୍ଡ ର ବରିଷ୍ଠ ଅଧିକାରୀଙ୍କ ଏକ ସରକାରୀ ବୈଠକରେ ଉପସ୍ଥିତ ଥିଲେ । ଆତିଶୀ ଏକ୍ସରେ ଏକ ଫଟୋ ସେୟାର କରି ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀ ସରକାର ମୁଖ୍ୟମନ୍ତ୍ରୀଙ୍କ ସ୍ୱାମୀଙ୍କ ଦ୍ୱାରା ପରିଚାଳିତ ହେଉଛି। 

ସେ ଏହି ପରିସ୍ଥିତିକୁ ଗାଁରେ ଦେଖିବାକୁ ମିଳୁଥିବା ସ୍ଥିତି ସହିତ ତୁଳନା କରିଛନ୍ତି । ଆତିଶୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ଏହି ଫଟୋକୁ ଧ୍ୟାନର ସହିତ ଦେଖନ୍ତୁ। ଏମସିଡି, ଡିଜେବି, ପିଡବ୍ଲୁଡି ଏବଂ ଡୁସିଆଇବିର ଅଧିକାରୀଙ୍କ ସହ ବୈଠକ କରୁଥିବା ବ୍ୟକ୍ତି ହେଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସ୍ୱାମୀ।  ପୂର୍ବରୁ ଆମେ ଶୁଣିଥିଲୁ ଯେ ଯଦି ଗାଁରେ ଜଣେ ମହିଳା ସରପଞ୍ଚ ଭାବରେ ନିର୍ବାଚିତ ହୁଅନ୍ତି, ତେବେ ସମସ୍ତ ସରକାରୀ କାମ ତାଙ୍କ ସ୍ୱାମୀ ପରିଚାଳନା କରନ୍ତି । କିନ୍ତୁ ଦେଶର ଇତିହାସରେ ଏହା ନିଶ୍ଚିତ ଭାବରେ ପ୍ରଥମ ଥର ହେବ ଯେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଏବଂ ସମସ୍ତ ସରକାରୀ କାମ ତାଙ୍କ ସ୍ୱାମୀ ପରିଚାଳନା କରୁଛନ୍ତି।’




ସେପଟେ ଆତିଶୀ ଅପମାନଜନକ ମନ୍ତବ୍ୟ ଦେଇଥିବା ନେଇ ପାଲଟା ଅଭିଯୋଗ କରିଛନ୍ତି ଦିଲ୍ଲୀ ବିଜେପି ମୁଖ୍ୟ ବିରେନ୍ଦ୍ର ସଚ୍ଚଦେବା । ସଚଦେବା ଇନଷ୍ଟାଗ୍ରାମରେ ରେଖା ଗୁପ୍ତାଙ୍କ ପକ୍ଷରେ କହିଛନ୍ତି ଯେ, ସେ କଠିନ ପରିଶ୍ରମ ଏବଂ ଦୃଢ଼ ନିଷ୍ପତ୍ତି ମାଧ୍ୟମରେ ଏହି ପଦବୀରେ ପହଞ୍ଚିଛନ୍ତି ।  ପରିବାର ସଦସ୍ୟମାନେ ଜନପ୍ରତିନିଧିମାନଙ୍କୁ ସମର୍ଥନ କରିବା ସ୍ୱାଭାବିକ। ଏହା ଆଶ୍ଚର୍ଯ୍ୟଜନକ ଯେ ନିଜେ ଜଣେ ମହିଳା ହୋଇ ମଧ୍ୟ ଆତିଶୀ ଜଣେ ମହିଳା ନେତ୍ରୀଙ୍କୁ ଅପମାନିତ କରୁଛନ୍ତି । ରେଖା ଗୁପ୍ତା, ଜନସେବା ପ୍ରତି ତାଙ୍କର ପ୍ରତିବଦ୍ଧତା ସହିତ, ନିଜ କଠିନ ପରିଶ୍ରମ ମାଧ୍ୟମରେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ସଂଘର ସଚିବ ପଦରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି । ରେଖାଙ୍କ ପ୍ରତି ତାଙ୍କ ସ୍ୱାମୀଙ୍କ ସମର୍ଥନ ବେଆଇନ କିମ୍ବା ଅନୈତିକ ନୁହେଁ ବୋଲି ସଚଦେବା ଇନଷ୍ଟାରେ ଲେଖିଛନ୍ତି ।