ରିୟାଦ,୧୧/୧୧: ଆମେରିକାର ଷ୍ଟାର୍‌ ଖେଳାଳି କୋକୋ ଗୌଫ୍‌ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଡବ୍ଲ୍ୟୁଟିଏ ଫାଇନାଲ୍ସ  ଚାମ୍ପିଅନ୍‌ ହୋଇଛନ୍ତି । ଫାଇନାଲ୍‌ରେ ସେ  ୩-୬, ୬-୪, ୭-୬ (୭-୨) ସେଟ୍‌ରେ  ଅଲିମ୍ପିକ ଚାମ୍ପିଅନ୍‌ ଚୀନର କ୍ୱିନୱେନ  ଝେଙ୍ଗଙ୍କୁ ପରାସ୍ତ କରିଥିଲେ । ଏହି ମ୍ୟାଚ୍‌  ଜିତିବା ପାଇଁ ତାଙ୍କୁ ୩ଘଣ୍ଟାରୁ ଊଦ୍ଧ୍ୱର୍ ସମୟ  ଲାଗିଥିଲା । ଏଥିସହ ସେ କ୍ୟାରିୟରରେ  ନବମ ଡବ୍ଲ୍ୟୁଟିଏ ଟୁର ସିଙ୍ଗଲ୍ସ ଟାଇଟଲ  ହାସଲ କରିଛନ୍ତି । ଗୌଫ ଟ୍ରଫି ସହ  ୪.୮ମିଲିୟନ ଡଲାର ପୁରସ୍କାର ରାଶି  ପାଇଥିଲେ । ଡବ୍ଲ୍ୟୁଟିଏ ଇତିହାସରେ ଏହା  ସିଙ୍ଗଲ୍ସରେ ସର୍ବାଧିକ ପୁରସ୍କାର ରାଶି ଅଟେ । 

୨୦ ବର୍ଷୀୟା ଗୌଫ୍‌ ଦୀର୍ଘ ଦୁଇ  ଦଶନ୍ଧି ପରେ ସର୍ବକନିଷ୍ଠ ଖେଳାଳି ଭାବେ  ଡବ୍ଲ୍ୟୁଟିଏ ଫାଇନାଲ୍ସ ଟାଇଟଲ୍‌ ଜିତିଛନ୍ତି ।  ପୂର୍ବରୁ ୨୦୦୪ରେ ମାରିଆ ସାରାପୋଭା  ୧୭ବର୍ଷ ବୟସରେ ଏହି ଟାଇଟଲ୍‌  ଜିତିଥିଲେ । ଗୌଫ୍‌ ୨୧ ବର୍ଷରେ ପାଦ  ଥାପିବା ପୂର୍ବରୁ ଚତୁର୍ଥ ଆମେରିକୀୟ  ଖେଳାଳି ଭାବେ ଡବ୍ଲ୍ୟୁଟିଏ ଫାଇନାଲ୍ସ  ଚାମ୍ପିଅନ୍‌ ହୋଇଛି । ପୂର୍ବରୁ କ୍ରିସ୍‌ ଏଭର୍ଟ  (୧୯୭୨, ୧୯୭୩, ୧୯୭୫), ଟ୍ରାସି ଅଷ୍ଟିନ  (୧୯୮୦) ଓ ସେରେନା ୱିଲିୟମ୍ସ (୨୦୦୧)  ଏହି ଟ୍ରଫି ଜିତିଥିଲେ । 

ଡବ୍ଲ୍ୟୁଟିଏଫ୍‌ ଫାଇନାଲ୍ସ ଟାଇଟଲ  ପଥରେ ଗୌଫ ବିଶ୍ୱର ଏକ ନମ୍ବର  ଖେଳାଳି ଅର୍ନ୍ୟା ସାବାଲେଙ୍କା (ସେମିରେ)  ଓ ୨ନଂ ଖେଳାଳି ଇଗା ସ୍ୱିଟେକ (ଗ୍ରୁପ୍‌  ମ୍ୟାଚ୍‌)ଙ୍କୁ ପରାଜିତ କରିଥିଲେ । ସେ  ଟାଇଟଲ୍‌ ଲଢ଼େଇରେ ୩ଘଣ୍ଟା ୪ମିନିଟ୍‌  ମଧ୍ୟରେ ବିଜୟ ହାସଲ କରିଥିଲେ । ୨୦୦୮ରେ ଟାଇମିଂ ଲାଗୁ ହେବା ପରେ  ଡବ୍ଲ୍ୟୁଟିଏ ଫାଇନାଲ୍ସ ଇତିହାସରେ  ଏହା ସମୟ ବ୍ୟବଧାନରେ ସବଠୁ ବଡ଼  ଫାଇନାଲ୍‌ ମୁକାବିଲା ରହିଥିଲା । ଗୌଫ୍‌  କ୍ରମାନ୍ୱୟରେ ଦ୍ୱିତୀୟ ଥର ଡବ୍ଲ୍ୟୁଟିଏ  ମାନ୍ୟତା ତାଲିକାରେ ତୃତୀୟ ସ୍ଥାନରେ  ରହି ବର୍ଷ ସିଜନ ଶେଷ କରିଛନ୍ତି ।