ଭୁବନେଶ୍ୱର ୨୦/୦୬: ସକାଳୁ ଉଠିବା ମାତ୍ରେ କିମ୍ବା ଅଫିସ୍‌ରେ କାମ ମଝିରେ ଗରମାଗରମ କଫି ପିଉଛନ୍ତି କି? ଯଦି ହଁ, ତେବେ ଆପଣମାନଙ୍କ ପାଇଁ ଏକ ଖୁସି ଖବର । ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ କଫି କେବଳ ଶକ୍ତି ଦିଏନା ବରଂ ଦୀର୍ଘ ଜୀବନ ପାଇଁ ଉପାଦାନ ଯୋଗାଇଥାଏ । ନିୟମିତ କଫି ପିଇବା ଦ୍ୱାରା ମୃତ୍ୟୁର ଆଶଙ୍କା କମ୍‌ ହୋଇଥାଏ । 

କଫିରେ ଅନେକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ରହିଥାଏ, ଯାହା ଫ୍ରି-ରେଡିକଲ୍ସ ସହ ଲଢିବାରେ ସାହାଯ୍ୟ କରିଥାଏ । ନିୟମିତ ୧/୨ କପ୍‌ ବ୍ଲାକ୍‌ କଫି ଆପଣଙ୍କୁ ଦୀର୍ଘାୟୁ କରିପାରେ । ଗବେଷଣାରୁ ଜଣାପଡିଛି ଯେ ଦିନକୁ ୨ କପ୍‌ ବ୍ଲାକ୍‌ କଫି ମୃତ୍ୟୁର ଆଶଙ୍କାକୁ ୧୪ ପ୍ରତିଶତ ଯାଏ କମ୍‌ କରିଥାଏ । 

ବ୍ଲାକ୍‌ କଫି କାହିଁକି ଲାଭଦାୟକ

ଗବେଷକଙ୍କ ଅନୁସାରେ କଫିରେ ଥିବା ଜୈବ-ସକ୍ରିୟ-ଯୌଗିକ ସ୍ୱାସ୍ଥ୍ୟ ପାଇଁ ମୁଖ୍ୟତଃ ଲାଭଦାୟକ । ଏହି ଏନ୍‌ଜାଇମ୍‌ ଆମ ଶରୀରକୁ ଅନେକ ଫାଇଦା ଦେଇଥାଏ । କିନ୍ତୁ ସବୁଠାରୁ ଜରୁରି କଥା ହେଲା କଫିର ପୂର୍ଣ୍ଣ ଫାଇଦା ପାଇବା ପାଇଁ ଦୁଗ୍ଧ ଓ ଚିନି ବିନା ବ୍ୟବହାର କରିବା ଭଲ । 

ସର୍ଭେରୁ ଜଣାପଡିଛି ଯଦି କଫିରେ ବହୁ ମାତ୍ରାର ଚିନି ଓ ଦୁଗ୍ଧ ବ୍ୟବହାର କରାଯାଏ, ତେବେ ଏହାର ପ୍ରକୃତ ଲାଭ ମିଳିପାରି ନଥାଏ । ତେଣୁ ଚିନି ଓ ଦୁଗ୍ଧ ବିନା କଫି ପିଇବାକୁ ପ୍ରୟାସ କରିବା ଉଚିତ୍‌ । ଏହି ସର୍ଭେ ‘ଦ ଜର୍ଣ୍ଣଲ୍‌ ଅଫ୍‌ ନ୍ୟୁଟ୍ରିସନ୍‌’ରେ ପ୍ରକାଶିତ ହୋଇଛି । ଏଥିରେ ଆମେରିକାର ନ୍ୟାସନାଲ୍‌ ହେଲ୍‌ଥ୍‌ ଆଣ୍ଡ୍‌ ନ୍ୟୁଟ୍ରିସନ୍‌ ଏଗ୍‌ଜାମିନେସନ୍‌ ସର୍ଭେର ୧୯୯୯ରୁ ୨୦୧୮ ଯାଏ ଥିବା ସଂଖ୍ୟାର ବିଶ୍ଲେଷଣ କରାଯାଇଛି । ଏହି ସର୍ଭେରେ ୨୦ ବର୍ଷ ଏବଂ ଅଧିକ ବୟସ୍କ ୪୬,୦୦୦ରୁ ଅଧିକ ଲୋକଙ୍କ ଖାଦ୍ୟପାନୀୟ ଅଭ୍ୟାସକୁ ଅଧ୍ୟୟନ କରାଯାଇଛି । 

ଗବେଷକମାନେ ପ୍ରତିଯୋଗୀଙ୍କୁ ସେମାନଙ୍କ କଫିରେ କ୍ୟାଫିନ୍‌ର ମାତ୍ରା, ଚିନି ଓ ସାଚ୍ୟୁରେଟେଡ୍‌ ଫ୍ୟାଟ୍‌ ଆଧାରରେ ଅଲଗା ଅଲଗା ଶ୍ରେଣୀରେ ବିଭକ୍ତ କରାଯାଇଥିଲା । ଗବେଷକଙ୍କ ମତରେ କମ୍‌ ଚିନି ଓ ଦୁଗ୍ଦ ମିଶାଇବା ଦ୍ୱାରା ଲାଭ ମିଳିଥାଏ । କିନ୍ତୁ ବିନା ଚିନି ଓ ଦୁଗ୍ଧରେ ଅଧିକ ଲାଭ ମିଳିଥାଏ । 

କେତେ କଫି ପିଇବା ଉଚିତ୍‌

ଗବେଷକଙ୍କ ମତରେ ଦିନକୁ ୨/୩ କପ୍‌ କଫି ପିଇବା ଦ୍ୱାରା ମୃତ୍ୟୁର ଆଶଙ୍କା ୧୭ ପ୍ରତିଶତ ଯାଏ କମ୍‌ ହୋଇପାରେ । ଅବଶ୍ୟ ୩ କପ୍‌ରୁ ଅଧିକ କଫି ପିଇବା ଦ୍ୱାରା ମିଳୁଥିବା ଫାଇଦା ବିଷୟରେ ଏଥିରେ କିଛି କୁହାଯାଇନାହିଁ ।