ଭୁବନେଶ୍ବର,୪/୧୨ : ଆସନ୍ତା ୯ତାରିଖରେ ବାରବାଟୀ ଷ୍ଟାଡିୟମ କଟକଠାରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଖେଳାଳି, ଭିଆଇପି ଓ ଦର୍ଶକଙ୍କ ସୁରକ୍ଷା ତଥା ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ପୁଲିସ ପକ୍ଷରୁ ସ୍ଵତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି । ବାରବାଟୀ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାରେ ୯ଜଣ ଅତିରିକ୍ତ ଏସପି, ୪୦ଡିଏସପି, ୬୫ଇନ୍ସପେକ୍ଟର, ୩୨୫ ଏସଆଇ, ୩୮ହାବିଲଦାର/କନଷ୍ଟେବଳ, ୨୦୮ ଏପିଆର କନଷ୍ଟେବଳ, ୭୩ମହିଳା କନଷ୍ଟେବଳ, ୧ ୟୁନିଟ ଓଡ୍ରାଫ, ୨ ୟୁନିଟ ଏସଟିୟୁ ଏବଂ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ବାରବାଟୀ ଷ୍ଟାଡିୟମ ଓ ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନାରେ ଏହି ସୁରକ୍ଷାକର୍ମୀ ମୁତୟନ ହେବେ ।

ଆସନ୍ତା ୭ତାରିଖ ଦିନ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ଭୁବନେଶ୍ଵରଠାରେ ପହଁଚିବେ । ୮ ତାରିଖରେ କଟକ ବାରବାଟୀ ଷ୍ଟାଡିୟମଠାରେ ଉଭୟ ଟିମ୍ ଅଭ୍ୟାସ କରିବେ ଏବଂ ୯ ତାରିଖରେ ମ୍ୟାଚ ଅନୁଷ୍ଠିତ ହେବ । ବିମାନବନ୍ଦର, ମ୍ୟାଚ ପାଇଁ ହୋଟେଲଠାରୁ ଆରମ୍ଭ କରି ବାରବାଟୀ ଷ୍ଟାଡିୟମ ଏବଂ ଖେଳାଳିଙ୍କ ଯାତାୟାତ ରାସ୍ତାରେ ଆଦି ସମସ୍ତସ୍ଥାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଷ୍ଟାଡିୟମ୍ ଭିତରେ ଓ ବାହାରେ ଶୃଙ୍ଖଳିତ ଆୟୋଜନ ଓ ଭୁବନେଶ୍ଵରରୁ କଟକ ପର୍ଯ୍ୟନ୍ତ ଖେଳାଳିଙ୍କୁ ନେବା ଆଣିବା ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥାରେ ଯେପରି କୌଣସି ତ୍ରୁଟି ବିଚ୍ୟୁତି ନ ହେବ ସେଥି ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ୫ ତାରିଖ ଦିନ ୧୦ଟାରୁ ଟିକେଟ ବିକ୍ରି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଭାରତୀୟ ଖେଳାଳିଙ୍କୁ ନିକଟରୁ ଦେଖିବା ନିମନ୍ତେ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଥିବାରୁ ଟିକଟ ବିକ୍ରୟ କେନ୍ଦ୍ର ନିକଟରେ ଅସମ୍ଭବ ଭିଡ଼ ପରିଲକ୍ଷିତ ହେବାର ସମ୍ଭାବନା ରହିଛି । ଏହି ସ୍ଥାନରେ ଭିଡ଼ ନିୟନ୍ତ୍ରଣ ତଥା ସଠିକ ଓ ଶୃଙ୍ଖଳିତ ଭାବେ ଟିକେଟ ବିକ୍ରୟର ସୁପରିଚାଳନା ନିମନ୍ତେ ବ୍ୟାପକ ପୁଲିସ ମୁତୟନ କରାଯିବାର ବ୍ୟବସ୍ଥା କରାଯାଇଛି ।

- ୯ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦କ୍ରିକେଟ ମ୍ୟାଚ

- କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

- ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ ପରିଚାଳନା କରିବାକୁ ସ୍ଵତନ୍ତ୍ର ପଦକ୍ଷେପ

- ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାରେ ୯ଜଣ ଅତିରିକ୍ତ ଏସପି, ୪୦ଡିଏସପି

- ୬୫ଇନ୍ସପେକ୍ଟର, ୩୨୫ ଏସଆଇ, ୩୮ହାବିଲଦାର/କନଷ୍ଟେବଳ

- ୨୦୮ ଏପିଆର କନଷ୍ଟେବଳ, ୭୩ମହିଳା କନଷ୍ଟେବଳ, ୧ ୟୁନିଟ ଓଡ୍ରାଫ

- ୨ ୟୁନିଟ ଏସଟିୟୁ ଏବଂ ୭୦ ପ୍ଲାଟୁନ

- ୫ ତାରିଖ ଦିନ ୧୦ଟାରୁ ଟିକେଟ ବିକ୍ରି ପ୍ରକ୍ରିୟା ଆରମ୍ଭ

- ଶୃଙ୍ଖଳିତ ହୋଇ ମ୍ୟାଚ ଉପଭୋଗ କରିବାକୁ ନିବେଦନ

ଏହି ପରିପ୍ରେକ୍ଷୀରେ ଆଜି ବାରବାଟୀ ଷ୍ଟାଡିୟମ ପରିସରରେ କଟକ ଡିସିପି ଖୀଲାରୀ ଋଷିକେଶ ଦ୍ୟାନଦେଓଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ଖୀଲାରୀ କ୍ରିକେଟ ମ୍ୟାଚକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବା ନିମନ୍ତେ ସମସ୍ତ ପୁଲିସ ଅଧିକାରୀ/ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୁଲିସକୁ ସବୁ କ୍ଷେତ୍ରରେ ସହଯୋଗ କରିବା ସହ ଷ୍ଟାଡିୟମ ପରିସରରେ ଶୃଙ୍ଖଳିତ ହୋଇ କ୍ରିକେଟ ମ୍ୟାଚ ଉପଭୋଗ କରିବାକୁ ଓଡ଼ିଶା ପୁଲିସ ପକ୍ଷରୁ ନିବେଦନ କରାଯାଇଛି । ହଜାର ହଜାର କ୍ରୀଡ଼ା ପ୍ରେମୀ ଏକାଠି ହେବାକୁ ଥିବାବେଳେ କୌଣସି ପ୍ରକାର ଅଘଟଣ ଏଡ଼ାଇବାକୁ ପୁଲିସ ସଜାଗ ରହିଛି ।