ନୂଆଦିଲ୍ଲୀ : AI ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆସିଲେ ଚାକିରି ଚାଲିଯିବ - ଏହି ଭୟ ଏପର୍ଯ୍ୟନ୍ତ କେବଳ ଏକ ବିତର୍କ ମଧ୍ୟରେ ସୀମିତ ଥିଲା, କିନ୍ତୁ ଏବେ ଏହା ଏକ ବଡ଼ ଆଇନଗତ ମୋଡ଼ ନେଇଛି। ଚୀନର ଏକ କୋର୍ଟଙ୍କ ନିଷ୍ପତ୍ତି ସ୍ପଷ୍ଟ କରି ଦେଇଛି ଯେ, କେବଳ AI ଆସିଯିବା କାରଣରୁ କୌଣସି କର୍ମଚାରୀଙ୍କୁ ଚାକିରିରୁ ବାହାର କରାଯାଇ ପାରିବ ନାହିଁ।
ଏହି ନିଷ୍ପତ୍ତି ପରେ ଟେକ୍ କମ୍ପାନୀ ଗୁଡ଼ିକର ରଣନୀତି ଏବଂ କର୍ମଚାରୀଙ୍କ ସୁରକ୍ଷା, ଉଭୟ ଉପରେ ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ପୂରା ଘଟଣାଟି ଚୀନର ହାଙ୍ଗଜୋଉ ସହରର ଏକ କମ୍ପାନୀ ସହ ଜଡ଼ିତ। ସୂଚନାଯୋଗ୍ୟ ଯେ, ହାଙ୍ଗଜୋଉ ହେଉଛି ଚୀନର ସେହି ସହର ଯେଉଁଠୁ ବିଶ୍ୱର ବଡ଼ ବଡ଼ ଟେକ୍ କମ୍ପାନୀ ବାହାରିଛନ୍ତି। ଅଲିବାବା ଏବଂ DeepSeek ଭଳି କମ୍ପାନୀ ମଧ୍ୟ ଏହି ସହରରୁ ଜନ୍ମ ନେଇଛନ୍ତି।
ଏହି ସହରର ଏକ କମ୍ପାନୀରେ ଜଣେ କର୍ମଚାରୀଙ୍କ କାମ ଧୀରେ ଧୀରେ AI ଟୁଲ୍ସ ଏବଂ ଲାର୍ଜ ଲାଙ୍ଗୁଏଜ୍ ମଡେଲ୍ସ (LLMs) ଯୋଗୁଁ କମିଯାଇଥିଲା। କମ୍ପାନୀ ଭାବିଲା ଯେ ଏବେ ମଣିଷ ବଦଳରେ ମେସିନ୍ ସାହାଯ୍ୟରେ କାମ ନିଆଯାଇପାରିବ। ଏହାପରେ ସେହି କର୍ମଚାରୀଙ୍କୁ ଅନ୍ୟ ଏକ ପୋଷ୍ଟ ଅଫର୍ କରାଗଲା, କିନ୍ତୁ ସେହି ନୂଆ ରୋଲ୍ରେ ଦରମା ବହୁତ କମ୍ ଥିଲା ଏବଂ କାମର ସର୍ତ୍ତାବଳୀ ମଧ୍ୟ ଅଲଗା ଥିଲା।
କର୍ମଚାରୀ ଜଣକ ଏହାକୁ ଗ୍ରହଣ କରିବାକୁ ମନା କରିଦେଲେ। ଏହାପରେ କମ୍ପାନୀ ତାଙ୍କୁ ଚାକିରିରୁ ବାହାର କରି ଦେଲା। ମାମଲା କୋର୍ଟରେ ପହଞ୍ଚିଲା ଏବଂ ଏଇଠୁ ହିଁ କାହାଣୀ ବଦଳିଗଲା। ଅଦାଲତ ସ୍ପଷ୍ଟ ଭାବେ କହିଛନ୍ତି ଯେ କମ୍ପାନୀର ଏହି ପଦକ୍ଷେପ ଠିକ୍ ନଥିଲା। କେବଳ ଏହି ଆଧାରରେ ଯେ AI ଏବେ ସେହି କାମ କରିପାରିବ, କାହାକୁ ବାହାର କରି ଦିଆ ଯାଇପାରିବ ନାହିଁ।
AIନାଁରେ ଯେମିତି ଜବ୍ କଟ୍ ନହୁଏ
କୋର୍ଟ ନିଜ ନିଷ୍ପତ୍ତିରେ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ଟେକ୍ନୋଲୋଜି ବଦଳାଇବା କମ୍ପାନୀର ଅଧିକାର, କିନ୍ତୁ ସେଥିପାଇଁ କର୍ମଚାରୀଙ୍କ ଅଧିକାର ଶେଷ ହୋଇ ଯାଏ ନାହିଁ। ଯଦି କମ୍ପାନୀ ଅଟୋମେସନ୍ ବା AI ଆପଣାଉଛି, ତେବେ ତାକୁ ଶ୍ରମ ଆଇନ ମଧ୍ୟ ପାଳନ କରିବାକୁ ହେବ। ଅର୍ଥାତ୍ କମ୍ପାନୀ ସିଧାସଳଖ କହିପାରିବ ନାହିଁ ଯେ ‘ଏବେ AI ଆସି ଯାଇଛି, ତୁମର ଆବଶ୍ୟକତା ନାହିଁ’।
ଏହି ନିଷ୍ପତ୍ତିର ଅର୍ଥ ଏହା ମଧ୍ୟ ଯେ କମ୍ପାନୀଗୁଡ଼ିକୁ କର୍ମଚାରୀଙ୍କ ସହ ସଠିକ୍ ବ୍ୟବହାର କରିବାକୁ ହେବ। ଯଦି ରୋଲ୍ ବଦଳାଇବାକୁ ହୁଏ, ତେବେ ଉପଯୁକ୍ତ ଦରମା ଏବଂ ସର୍ତ୍ତ ଦେବାକୁ ପଡ଼ିବ। ଯଦି ଚାକିରି ଶେଷ କରିବାକୁ ହୁଏ, ତେବେ ସେଥିପାଇଁ ବୈଧ କାରଣ ଏବଂ ପ୍ରକ୍ରିୟା ଜରୁରୀ। କେବଳ 'AI ଶସ୍ତା' - ଏହି କାରଣ ଯଥେଷ୍ଟ ବୋଲି ବିବେଚନା କରାଯିବ ନାହିଁ।
ଆଶ୍ଚର୍ଯ୍ୟଜନକ କଥା ହେଉଛି, କୋର୍ଟ କର୍ମଚାରୀମାନଙ୍କୁ ମଧ୍ୟ ଏକ ବାର୍ତ୍ତା ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ବଦଳୁଥିବା ଟେକ୍ନୋଲୋଜି ସହ ନିଜକୁ ଅପଡେଟ୍ କରିବା ଜରୁରୀ। ଅର୍ଥାତ୍ AI କୁ ସମ୍ପୂର୍ଣ୍ଣ ଭାବେ ରୋକା ଯାଇ ପାରିବ ନାହିଁ, କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ମଣିଷମାନଙ୍କୁ ଅଯଥାରେ ବାହାର କରି ଦିଆ ଯିବ।
ସୂଚନାଯୋଗ୍ୟ ଯେ ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ୨୦୨୪ରେ ଗୁଆଞ୍ଜୁର ଏକ କୋର୍ଟ ଏହିଭଳି ଏକ ମାମଲାରେ କହିଥିଲେ ଯେ ଟେକ୍ନୋଲୋଜି ଅପଗ୍ରେଡ୍ କାହାର ଚାକିରି ଶେଷ କରିବାର କାରଣ ହୋଇ ପାରିବ ନାହିଁ। ଚୀନ୍ ବର୍ତ୍ତମାନ ବିଭିନ୍ନ ସ୍ତରରେ ଯୋଜନା କରୁଛି। ଏଥିପାଇଁ ଅଲଗା ନିୟମ ପ୍ରସ୍ତୁତ କରାଯାଉଛି ଯେପରି AI ବୁମ୍ ସତ୍ତ୍ୱେ ଲୋକଙ୍କ ଚାକିରି ଉପରେ ଅଧିକ ପ୍ରଭାବ ପଡ଼ିବ ନାହିଁ।
ଏହି ନିଷ୍ପତ୍ତିର ଚର୍ଚ୍ଚା ଏବେ କେବଳ ଚୀନ୍ ମଧ୍ୟରେ ସୀମିତ ନାହିଁ। ସାରା ବିଶ୍ୱରେ ମାଇକ୍ରୋସଫ୍ଟ, ଗୁଗଲ୍, ଆମାଜନ ଭଳି କମ୍ପାନୀ AI ଉପରେ ଦ୍ରୁତ ଗତିରେ କାମ କରୁଛନ୍ତି। ଅନେକ ସ୍ଥାନରେ ଖର୍ଚ୍ଚ କମାଇବା ପାଇଁ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରାଯାଉଛି। ଏଭଳି ସ୍ଥିତିରେ ଚୀନ୍ କୋର୍ଟଙ୍କ ଏହି ଆଭିମୁଖ୍ୟ କର୍ମଚାରୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ବୋଲି କୁହାଯାଉଛି।
ଏବେ ବଡ଼ ପ୍ରଶ୍ନ ହେଉଛି, କ’ଣ ଅନ୍ୟ ଦେଶରେ ମଧ୍ୟ ଏଭଳି ଆଭିମୁଖ୍ୟ ଦେଖିବାକୁ ମିଳିବ? କ’ଣ ଭବିଷ୍ୟତରେ AI ଏବଂ ଚାକିରିକୁ ନେଇ ନୂଆ ଆଇନ ପ୍ରସ୍ତୁତ ହେବ? କାରଣ ଆଗାମୀ ସମୟରେ AI ର ପ୍ରଭାବ ମିଡିଆ, ଟେକ୍, କଷ୍ଟମର ସପୋର୍ଟ ଏବଂ କ୍ରିଏଟିଭ୍ ଫିଲ୍ଡ ଭଳି ପ୍ରତିଟି କ୍ଷେତ୍ର ଉପରେ ପଡ଼ିବାକୁ ଯାଉଛି।
AI ବନାମ ଚାକିରିର ଏହି ଲଢ଼େଇ ଏବେ ଶେଷ ହୋଇନାହିଁ। କିନ୍ତୁ ଚୀନର ଏହି ନିଷ୍ପତ୍ତି ଏତିକି ନିଶ୍ଚିତ କରି ଦେଇଛି ଯେ ଟେକ୍ନୋଲୋଜିର ଦୌଡ଼ରେ ମଣିଷର ଅଧିକାରକୁ ଅଣଦେଖା କରିବା ସହଜ ହେବ ନାହିଁ।