ନୂଆଦିଲ୍ଲୀ ୧୯/୦୭: ଗଣିତରେ ୫୧ ମାର୍କ ରଖୁଥିବା ବ୍ୟକ୍ତିଙ୍କ କାହାଣୀ ସାଧାରଣତଃ ରକେଟ୍ ବୈଜ୍ଞାନିକଙ୍କର ନୁହେଁ । କିନ୍ତୁ ପୱନ କୁମାର ଚନ୍ଦାନାଙ୍କ କାହାଣୀ ପ୍ରକୃତରେ ଏହିଠାରୁ ଆରମ୍ଭ ହୁଏ । ଆଜି ତାଙ୍କ ରକେଟ୍ ବିକ୍ରମ-୧ ଇତିହାସ ସୃଷ୍ଟି କରିଛି । ଭାରତର ପ୍ରଥମ ଘରୋଇ ରକେଟ୍ ଭାବେ ଏହା ମହାକାଶରେ ପହଞ୍ଚିଛି । ବିକ୍ରମ-୧କୁ ପ୍ରସ୍ତୁତ କରିଛି ସ୍କାଇରୁଟ୍ ଏରୋସ୍ପେସ୍ । ପୱନ କୁମାର କମ୍ପାନିର ସହ-ସଂସ୍ଥାପକ । ଭାରତର ଏହି ସର୍ବବୃହତ ଘରୋଇ ରକେଟ୍ ନିର୍ମାଣକାରୀ କମ୍ପାନିର ସହ-ସଂସ୍ଥାପକ ଓ ସିଇଓ ହେବାର ଅନେକ ବର୍ଷ ପୂର୍ବରୁ ଏବଂ ଦେଶର ପ୍ରଥମ ଘରୋଇ ରକେଟ୍‌ର ସଫଳ ଉତ୍‌କ୍ଷେପଣରେ ଯୋଗଦାନ ପୂର୍ବରୁ ପୱନ ଅଧ୍ୟୟନରେ ନିଜର ସ୍ଥାନ ହାସଲ ଲାଗି ସଂଘର୍ଷ କରୁଥିବା ଜଣେ ସାଧାରଣ ଛାତ୍ର ଥିଲେ । ଗଣିତ ତାଙ୍କର ଭଲ ହେଉନଥିଲା ।

ଅନ୍ୟପକ୍ଷେ, ମେସିନ୍ ଦୁନିଆ ପ୍ରତି ତାଙ୍କର ଗଭୀର ଜିଜ୍ଞାସା, ନିଷ୍ଠା ଓ ଆକର୍ଷଣ ଥିଲା । ଜୁନ୍ ୨୦୧୮ରେ ପୱନ ଓ ତାଙ୍କ ସାଥୀ ଆଇଆଇଟି ବମ୍ବେ ସ୍ନାତକ ଇସ୍ରୋ ଇଞ୍ଜିନିୟର ନାଗା ଭାରତ ଡାକା ହାଇଦ୍ରାବାଦରେ ସ୍କାଇରୁଟ୍ ଏରୋସ୍ପେସ୍ କମ୍ପାନି ପ୍ରତିଷ୍ଠା କଲେ । ହାଇଦ୍ରାବାଦରେ ମଧ୍ୟବିତ୍ତ ପରିବାରରେ ଜନ୍ମିତ ପୱନ ମେସିନ୍ ଓ ଟେକ୍ନୋଲୋଜି ଅନ୍ୱେଷଣ କ୍ଷେତ୍ରରେ କିଛି ବର୍ଷ ବିତାଇଲେ । ସମୟ ବିତିବା ସହିତ ଅଧ୍ୟୟନ ସହ ତାଙ୍କ ସମ୍ପର୍କ ବଦଳିଲା । ଯେଉଁ ବିଷୟ ତାଙ୍କ ପାଇଁ ସମସ୍ୟା ଥିଲା, ଧୀରେ ଧୀରେ ସେଥିରେ ତାଙ୍କର ରୁଚି ବଢ଼ିଲା । ଗଣିତ ଓ ବିଜ୍ଞାନ ପୱନଙ୍କ ଭବିଷ୍ୟତ କ୍ୟାରିଅର୍ର ମୂଳଦୁଆ ପାଲଟିଲା । ଦୁଇ ଦଶନ୍ଧି ପୂର୍ବେ ପୱନ ପ୍ରଥମ ପ୍ରୟାସରେ ଆଇଆଇଟି ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଇଆଇଟି ଖଡ଼ଗପୁରରେ ନାମ ଲେଖାଇଥିଲେ । ପୱନଙ୍କ ଲକ୍ଷ୍ୟ ମହାକାଶ ଓ ରକେଟ୍ ଉପରେ ସ୍ଥିର ଥିଲା । ଆଇଆଇଟି ଖଡ଼ଗପୁର କ୍ୟାମ୍ପସ୍‌ରୁ ସେ ସିଧାସଳଖ ନିଯୁକ୍ତି ପାଇଥିଲେ ।

ଇସ୍ରୋରେ ପୱନ ଭାରତର ସବୁଠୁ ଭାରୀ ରକେଟ୍ ଜିଏସ୍ଏଲ୍‌ଭି ଏମ୍‌କେ-୩ରେ କାମ କଲେ । ତିରୁଅନନ୍ତପୁରମ୍ ସ୍ଥିତ ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର୍‌ରେ ୬ ବର୍ଷରୁ ଅଧିକ ସମୟ କାମ କରି ସେ ରକେଟ୍ ଡିଜାଇନ୍ ଓ ବିକାଶରେ ଅନୁଭବ ହାସଲ କଲେ । ଭାରତରେ ଷ୍ଟାର୍ଟଅପ୍‌ର ଦ୍ରୁତ ପ୍ରସାର ହେଉଥିବା ବେଳେ ସରକାରୀ ପ୍ରତିଷ୍ଠାନଗୁଡ଼ିକର ପାରମ୍ପରିକ ଢାଞ୍ଚା ବାହାରେ ରକେଟ୍ ନିର୍ମାଣର ଯୋଜନା କଲେ ପୱନ । କିନ୍ତୁ ଭାରତରେ ଏକ ଘରୋଇ ମହାକାଶ କମ୍ପାନି ଆରମ୍ଭ କରିବା ସହଜ ନ ଥିଲା । ଜୁଲାଇ ୨୦୨୦ରେ ସଫଳତାପୂର୍ବକ ରକେଟ୍ ଇଞ୍ଜିନ ପରୀକ୍ଷା କରିଥିବା ପ୍ରଥମ ଘରୋଇ ଭାରତୀୟ କମ୍ପାନି ହେଲା ସ୍କାଇରୁଟ୍ । ଇଞ୍ଜିନର ନାଁ- ରମଣ-୧ । ସ୍କାଇରୁଟ୍ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା ।

ଆହୁରି ପଢ଼ନ୍ତୁ...24 Million Year Old Kewra Fossils: ଆସାମରେ ୨.୪ କୋଟି ବର୍ଷ ତଳର କିଆ ପତ୍ର ଜୀବାଶ୍ମ, ହିମାଳୟଠୁ ବି ପ୍ରାଚୀନ

ନଭେମ୍ବର ୧୮, ୨୦୨୨ରେ ଭାରତର ପ୍ରଥମ ଘରୋଇ ଭାବେ ବିକଶିତ ଉପ-କକ୍ଷୀୟ ରକେଟ୍ ବିକ୍ରମ-ଏସ୍ ଲଞ୍ଚ କଲା ସ୍କାଇରୁଟ୍ । ଏହି ଉତ୍‌କ୍ଷେପଣ କେବଳ କମ୍ପାନି ପାଇଁ ନୁହେଁ, ବରଂ ଭାରତର ଘରୋଇ ମହାକାଶ କ୍ଷେତ୍ର ପାଇଁ ବଡ଼ ଉପଲବ୍ଧି ଥିଲା । ଚଳିତ ବର୍ଷ ମେ’ରେ ସ୍କାଇରୁଟ୍ ଭାରତର ସର୍ବବୃହତ ଘରୋଇ ରକେଟ୍ ନିର୍ମାଣକାରୀ ସ୍ଥଳୀର ଉଦ୍‌ଘାଟନ କଲା । ଦୁଇ ପୂର୍ବ ଇସ୍ରୋ ଇଞ୍ଜିନିୟରଙ୍କ ବିଚାରରୁ ଜନ୍ମିତ ଏକ ସଂଗଠନ ଏବେ ୧୦୦୦ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି । ଯେଉଁ ଛାତ୍ର ଦିନେ ପରୀକ୍ଷାରେ ନମ୍ବର ପାଇଁ ସଂଘର୍ଷ କରୁଥିଲେ, ସେ ଏବେ ନିର୍ମାଣ କରିଛନ୍ତି ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମହାକାଶ ଯାନ ।