ନୂଆଦିଲ୍ଲୀ: ଦିଲ୍ଲୀ ବିଦାନସଭା ନିର୍ବାଚନ ଲାଗି କଂଗ୍ରେସ ବରିଷ୍ଠ ନେତ୍ରୀ ଅଳକା ଲାମ୍ବାଙ୍କୁ ଟିକେଟ୍‌ ଦେଇଛି । ଦଳ ତାଙ୍କୁ କାଲକାଜୀ ଆସନରୁ ପ୍ରାର୍ଥୀ କରିଛି । ଏହି ଆସନରେ ସେ ଆପ୍‌ ନେତ୍ରୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ  ଆତିଶୀ ମାର୍ଲେନାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି । ଆଗାମୀ ନିର୍ବାଚନରେ କାଲକାଜୀ ଆସନରେ ଆତିଶୀ ବନାମ ଅଳକା ଲଢ଼େଇ ଦେଖିବାକୁ ମିଳିବ । ଏହା ପୂର୍ବରୁ କଂଗ୍ରେସର ଦ୍ବିତୀୟ ପ୍ରାର୍ଥୀ ତାଲିକାରେ ଅଳକା ଲାମ୍ବାଙ୍କୁ ଟିକେଟ ମିଳିବ ବୋଲି ଚର୍ଚ୍ଚା ହୋଇଥିଲା । କିନ୍ତୁ ଦଳ ତାଙ୍କୁ ଦ୍ବିତୀୟ ତାଲିକାରେ ସାମିଲ କରିନଥିଲା ।  ସୂଚନା ମିଳିଥିଲା ଯେ, କାଲକାଜୀରୁ ନିର୍ବାଚନ ଲଢ଼ିବାକୁ ଅଳକା ଲାମ୍ବା ଚାହୁଁନଥିଲେ।   




ଅଳକା ଲାମ୍ବା କଂଗ୍ରେସର ବରିଷ୍ଠ ନେତାମାନଙ୍କ ମଧ୍ୟରେ ଅନ୍ୟତମ ।  ଏନଏସୟୁଆଇର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ ଅଳକା ଲାମ୍ବା । ଛାତ୍ର ରାଜନୀତିରୁ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିବା ଲାମ୍ବା ୨୦୧୪ରେ କଂଗ୍ରେସ ଛାଡ଼ିଥିଲେ । ୨୦୧୫ରେ ଅଳକା ଲାମ୍ବା ଆପ୍‌ ଟିକେଟ୍‌ରୁ ନିର୍ବାଚନ ଲଢ଼ିଥିଲେ ଏବଂ ଚାନ୍ଦନୀ ଚୌକ ଆସନରୁ ଦିଲ୍ଲୀ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହା ପରେ ୨୦୧୯ରେ ସେ ଆପ୍‌ ଛାଡ଼ି ପୁଣି ଥରେ କଂଗ୍ରେସରେ ସାମିଲ ହୋଇଥିଲେ ।   

ସୂଚନାଯୋଗ୍ୟ, ଡିସେମ୍ବର ୨୪ରେ ଦିଲ୍ଲୀ ନିର୍ବାଚନ ଲାଗି ଦ୍ବିତୀୟ ପ୍ରାର୍ଥୀ ତାଲିକା ଜାରି କରିଥିଲା କଂଗ୍ରେସ । ଏହି ତାଲିକାରେ ଆପ୍‌ରୁ ଆସିଥିବା ନେତାଙ୍କ ସମେତ ୨୬ ଜଣଙ୍କ ନାଁ ସାମିଲ ରହିଛି । ଅଳକା ଲାମ୍ବାଙ୍କୁ ମିଶାଇ ଏବେ ସୁଦ୍ଧା କଂଗ୍ରେସ ମୋଟ ୪୮ ପ୍ରାର୍ଥୀ ନାଁ ଘୋଷଣା କରିସାରିଛି ।  ପ୍ରଥମ ତାଲିକାରେ ୨୧ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଥିଲା କଂଗ୍ରେସ ।