ନୂଆଦିଲ୍ଲୀ/ଭୁବନେଶ୍ବର,୧୧।୮ : କଂଗ୍ରେସ ଦଳ ଏବଂ ଏହାର ସହଯୋଗୀମାନେ କେବଳ ଭୋଟ ବ୍ୟାଙ୍କ ରାଜନୀତିରେ ଲିପ୍ତ। ଅନୁପ୍ରବେଶକାରୀଙ୍କୁ ଭୋଟର କରି ସେମାନେ ନିଜର ରାଜନୈତିକ ରୁଟି ସେକିବାକୁ ଚାହୁଁଛନ୍ତି । ସୋମବାର ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ, କଂଗ୍ରେସ ଏବଂ ଇଣ୍ଡି ଗଠବନ୍ଧନ ଉପରେ ବର୍ଷିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଶ୍ରୀ ପ୍ରଧାନ କହିଛନ୍ତି ,ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ନିର୍ବାଚନ କମିଶନ ଭଳି ଏକ ନିରପେକ୍ଷ ସଂସ୍ଥା ଉପରେ ଭିତ୍ତିହୀନ ଅଭିଯୋଗ ଆଣି ଦେଶରେ ଅରାଜକତା ସୃଷ୍ଟି କରିବାକୁ ଅପଚେଷ୍ଟା କରୁଛନ୍ତି। ସ୍ବତନ୍ତ୍ର ସଂଶୋଧିତ ଭୋଟର ତାଲିକା ଭଳି ନିୟମିତ ପ୍ରକ୍ରିୟାକୁ ରାଜନୈତିକ ଅସ୍ତ୍ର କରି ଏହି ଲୋକମାନେ ଅନୁପ୍ରବେଶକାରୀଙ୍କ ସପକ୍ଷରେ ଭୋଟ ବ୍ୟାଙ୍କ ରାଜନୀତି କରୁଛନ୍ତି। ଇଣ୍ଡି ମେଣ୍ଟର ଲୋକମାନେ ବିଶେଷ ଭାବରେ କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀ ସବୁବେଳେ ସମ୍ବିଧାନର ଦ୍ବାହି ଦେଇ ସମ୍ବଧାନ ବିରୋଧୀ କାମ କରୁଛନ୍ତି। କଂଗ୍ରେସ ପାର୍ଟି ଦିଶାହୀନ ହେବା ରାହୁଲଙ୍କ ପାଇଁ ଦ୍ବନ୍ଦର କାରଣ ହୋଇଛି।
ସେ କହିଛନ୍ତି, ସ୍ବତନ୍ତ୍ର ସଂଶୋଧିତ ଭୋଟର ତାଲିକା ପ୍ରଥମ ଥର ପାଇଁ ନୁହେଁ ବରଂ ସବୁ ରାଜ୍ୟରେ ଜାତୀୟ ସ୍ତରରେ ନିର୍ବାଚନ କମିଶନଙ୍କ ଏକ ନିୟମିତ ପ୍ରକ୍ରିୟା। ସ୍ବାଧୀନତା ପରେ ଭୋଟର ତାଲିକାକୁ ସଂଶୋଧିତ ଏବଂ ବ୍ୟବସ୍ଥିତ କରିବା ପାଇଁ ନିର୍ବାଚନ କମିଶନଙ୍କ ଏକ ସ୍ବତନ୍ତ୍ର ଓ ନିରନ୍ତର ପ୍ରକ୍ରିୟା ରହିଛି।କଂଗ୍ରେସ ପ୍ରଥମେ ଇଭିଏମ ଉପରେ ମିଛ ଅଭିଯୋଗ ଆଣିବା ସହ ବେଳେ ବେଳେ ମହାରାଷ୍ଟ୍ର, ହରିୟାଣାର ପ୍ରସଙ୍ଗ ଉଠାଇ ଦେଶବାସୀଙ୍କ ସାମ୍ନାରେ ମିଛର ପାହାଡ ତିଆର କରେ। କଂଗ୍ରେସ ପାଖରେ ନା କୌଣସି ସ୍ବଷ୍ଟ ପ୍ରସଙ୍ଗ ନାହିଁ , ନା କୌଣସି ନୀତି ଅଛି। କେବଳ ଏକ ପ୍ରତିକ୍ରିୟାଶୀଳ ଶକ୍ତି ଭାବରେ ଇଛାନୁସାରେ ନିଜର ରାଜନୈତିକ କାର୍ଯ୍ୟକ୍ରମ ତିଆରି କରୁଛନ୍ତି। ସେମାନଙ୍କର ସ୍ପଷ୍ଟ ନୀତି ହେଉଛି ଯଦି ସେମାନେ ନିର୍ବାଚନ ଜିତିଯାଆନ୍ତି, ତେବେ ସବୁକିଛି ଠିକ ଅଛି, କିନ୍ତୁ ଯେତେବେଳେ ସେମାନେ ହାରିଯାଆନ୍ତି ସେତେବେଳେ ବ୍ୟବସ୍ଥାର ତ୍ରୁଟି ଉପରେ ଦୋଷ ଲଦନ୍ତି।
ସ୍ବାଧୀନତା ପରଠାରୁ ଭୋଟର ତାଲିକାରୁ ନାମ ଯୋଡିବା କିମ୍ବା ବାଦ ଦେବା ବିଷୟ ଆରମ୍ଭ ହୋଇଛି। ନିର୍ବାଚନ କମିଶନ ଗଠନ ପରେ ଏହି ବ୍ୟବସ୍ଥା ଆହୁରି ବ୍ୟବସ୍ଥିତ ହୋଇଛି। ନିର୍ବାଚନ କମିଶନ ସ୍ବଷ୍ଟ କରିଛନ୍ତି ଯେ ଯେଉଁଠାରେ ଏସଆଇଆର କରାଯାଇଛି, ଯଦି ଜଣେ ପ୍ରକୃତ ବ୍ୟକ୍ତିଙ୍କ ନାମ ବାଦ ଦିଆଯାଇଛି, ତେବେ ତାହାକୁ ପଣି ଯୋଡିବା ପାଇଁ ଏକ ସମ୍ପୂର୍ଣ୍ଣ ପ୍ରକ୍ରିୟା ଅଛି। ବିହାରରେ ଏସଆଇଆର ବର୍ତ୍ତମାନ କରାଯାଉଛି। ଯଦି କଂଗ୍ରେସ ଏବଂ ରାହୁଲ ଗାନ୍ଧୀ ପ୍ରକୃତରେ ରାଜନୈତିକ ଭାବରେ ସକ୍ରିୟ କର୍ମୀ ଏବଂ ବିହାରରେ ସେମାନଙ୍କ ଦଳର ନିଜସ୍ବ ସଂଗଠନ ଏବଂ ବିଏଲଏ ତେବେ ସେମାନେ ନିଜେ ବିହାର ଯିବା ଉଚିତ। କଂଗ୍ରେସ ପାଖରେ କୌଣସି କାମ ନାହିଁ। ସେମାନଙ୍କର ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାରେ ବାଂଲାଦେଶୀ ଅନପ୍ରବେଶକାରୀଙ୍କ ନାମ ଯୋଡିବା ଏବଂ ଏହା ହେଉଛି କଂଗ୍ରେସର ଭୋଟ ବ୍ୟାଙ୍କ ରାଜନୀତିର ପ୍ରକୃତ ଚେହେରା ବୋଲି ଶ୍ରୀ ପ୍ରଧାନ କହିଛନ୍ତି।