ନୂଆଦିଲ୍ଲୀ : ଗୌହାଟୀ ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ କରିବା ପରେ, କଂଗ୍ରେସ ନେତା ପବନ ଖେରା ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀଙ୍କ ଦ୍ୱାରା ଦାୟର କରାଯାଇ ଥିବା ଏଫଆଇଆରରେ ଆଗୁଆ ଜାମିନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିଛନ୍ତି। ଉଲ୍ଲେଖନୀୟ ଯେ,ପବନ ଖେରା ଅଭିଯୋଗ କରିଥିଲେ ଯେ ହିମନ୍ତଙ୍କ ପତ୍ନୀ ରିଙ୍କି ଭୂୟାଁଙ୍କ ପାଖରେ ତିନୋଟି ଦେଶର ପାସପୋର୍ଟ ଥିବାର ଅଭିଯୋଗ କରିଥିଲେ। ଏହାପରେ ହିମନ୍ତ ବିଶ୍ୱ ଶର୍ମାଙ୍କ ଖୁବ୍ ଆକ୍ରମଣାତ୍ମକ ପ୍ରତିକ୍ରିୟା ଦେଇ ଥିଲେ। ଏହା ପୂର୍ବରୁ, ଗୌହାଟୀ ହାଇକୋର୍ଟ ଶୁକ୍ରବାର ଗୌହାଟି କଂଗ୍ରେସ ନେତା ପବନ ଖେରାଙ୍କ ଆଗୁଆ ଜାମିନକୁ ଖାରଜ କରି ଦେଇ ଥିଲେ।
ଗୌହାଟି ହାଇକୋର୍ଟ ଖେରାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିବା ପରେ କଂଗ୍ରେସ ଦଳର ପ୍ରତିକ୍ରିୟା ଆସିଛି। ଶନିବାର, ଦଳ କହିଛି ଯେ ଏହା ଏହାର ଗଣମାଧ୍ୟମ ବିଭାଗ ମୁଖ୍ୟଙ୍କ ସହିତ ଠିଆ ହୋଇଛି ଏବଂ ଆଶା କରିଛି ଯେ, ନିର୍ଯାତନା ରାଜନୀତି ଉପରେ ନ୍ୟାୟର ବିଜୟୀ ହେବ। ପବନ ଖେରା ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀଙ୍କ ବିରୁଦ୍ଧରେ ଅନେକ ପାସପୋର୍ଟ ଏବଂ ବିଦେଶରେ ଅଘୋଷିତ ସମ୍ପତ୍ତି ରଖିବା ଅଭିଯୋଗ ସହ ଜଡ଼ିତ ମାମଲାରେ ଆଗୁଆ ଜାମିନ ଆବେଦନ ଦାଖଲ କରିଥିଲେ। ଶର୍ମାଙ୍କ ପତ୍ନୀ ରିଙ୍କି ଭୂୟାଁ ଭାରତୀୟ ଦଣ୍ଡ ସଂହିତା (ବିଏନଏସ)ର ବିଭିନ୍ନ ଧାରା ଅନୁଯାୟୀ ଗୌହାଟୀ କ୍ରାଇମ୍ ବ୍ରାଞ୍ଚ ପୁଲିସ ଷ୍ଟେସନରେ ଖେରା ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଏକ ଫୌଜଦାରୀ ମାମଲା ଦାୟର କରି ଥିଲେ।
ଏହା ପୂର୍ବରୁ ତେଲେଙ୍ଗାନା ହାଇକୋର୍ଟ ଖେରାଙ୍କୁ ସାତ ଦିନର ଟ୍ରାଞ୍ଜିଟ୍ ଆଗୁଆ ଜାମିନ ପ୍ରଦାନ କରିଥିଲେ, କିନ୍ତୁ ଆସାମ ପୁଲିସ ଏହା ବିରୁଦ୍ଧରେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ସୁପ୍ରିମକୋର୍ଟ ଅନ୍ତରୀଣ ଆଦେଶ ପାରିତ କରି ଟ୍ରାଞ୍ଜିଟ୍ ଆଗୁଆ ଜାମିନ ଉପରେ ସ୍ଥଗିତାଦେଶ ଲଗେଇ ଥିଲେ ଏବଂ ଖେରାଙ୍କୁ ଗୌହାଟୀ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ନିର୍ଦ୍ଦେଶ ଦେଇଥିଲେ।
ଗୌହାଟୀ ହାଇକୋର୍ଟ କ'ଣ କହିଲେ -
ଗୌହାଟୀ ହାଇକୋର୍ଟଙ୍କ ଆଦେଶରେ କୁହାଯାଇଛି ଯେ, ଯଦି ଖେରା ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଏହି ଅଭିଯୋଗ ଆଣିଥାନ୍ତେ, ତ ଏହି ମାମଲାକୁ ରାଜନୈତିକ ବୟାନବାଜି ଭାବରେ ବିବେଚନା କରାଯାଇ ପାରି ଥାନ୍ତା । କିନ୍ତୁ ରାଜନୈତିକ ଫାଇଦା ପାଇବା ପାଇଁ, ସେ ଜଣେ ନିର୍ଦୋଷ ମହିଳାଙ୍କୁ ବିବାଦ ଭିତରକୁ ଟାଣି ଆଣିଥିଲେ । ବିଚାରପତି କହିଥିଲେ -ଖେରା ଏପର୍ଯ୍ୟନ୍ତ ଏକ ଯୁକ୍ତିଯୁକ୍ତ ସନ୍ଦେହ ବାହାରେ ପ୍ରମାଣ କରି ପାରି ନାହାଁନ୍ତି ଯେ, ରିଙ୍କି ଶର୍ମା ଅନ୍ୟ ତିନୋଟି ଦେଶର ପାସପୋର୍ଟ ରଖିଛନ୍ତି। ସେ ଏହା ମଧ୍ୟ ପ୍ରମାଣ କରିବାରେ ବିଫଳ ହୋଇଛନ୍ତି ଯେ ସେ ଆମେରିକାରେ ଏକ କମ୍ପାନୀ ଖୋଲିଛନ୍ତି ଏବଂ ସେଥିରେ ଗୁରୁତ୍ତ୍ୱପୂର୍ଣ୍ଣ ନିବେଶ କରିଛନ୍ତି। କୋର୍ଟ କହିଛନ୍ତି ଯେ ତାଙ୍କ ମତରେ, ବର୍ତ୍ତମାନର ପରିସ୍ଥିତିରେ, ମାମଲାକୁ ଏକ ସାଧାରଣ ମାନହାନି ମାମଲା ବୋଲି କୁହାଯାଇପାରିବ ନାହିଁ, ଅର୍ଥାତ୍ ଏମିତି ମାମଲା ଯେଉଁଥିରେ ଖରାପ ଦୁର୍ଭାବନା କିମ୍ୱା ଷଡ଼ଯନ୍ତ୍ର ଭଳି ଅତିରିକ୍ତ ଉପାଦାନ ନଥିବ।