- ପାଠ୍ୟପୁସ୍ତକ ପ୍ରସ୍ତୁତିରେ ସାମିଲ ୨୫୦ ଅଧିକାରୀଙ୍କ ତାଲିକା ପ୍ରସ୍ତୁତ
- ଭର୍ଚୁଆଲ ମୋଡ୍ରେ କୋର୍ କମିଟି ସଦସ୍ୟଙ୍କ ସହ ଆଲୋଚନା
- ଓସେପାଠୁ ଖର୍ଚ୍ଚ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜ ନେଲା କ୍ରାଇମ୍ବ୍ରାଞ୍ଚ
- ସଂପୃକ୍ତ ସମସ୍ତ ଅଧିକାରୀଙ୍କୁ ଜାରି ହେବ ସମନ
- ଆଗକୁ ସଂପାଦନା, ସମୀକ୍ଷକଙ୍କ ପାଖେ ପହଞ୍ଚିବ ତଦନ୍ତ
କଟକ,ଭୁବନେଶ୍ୱର, ୧୯/୦୭: ପାଠ୍ୟପୁସ୍ତକ ତ୍ରୁଟିର ମୂଳ କାରଣ କ’ଣ ? ଏହାର ଚେର କେଉଁଠି ଲମ୍ବିଛି ? ଏସବୁକୁ ତନ୍ନତନ୍ନ କରି ଯାଞ୍ଚ କରୁଛି କ୍ରାଇମ୍ବ୍ରାଞ୍ଚ । ତଦନ୍ତ ଦାୟିତ୍ୱ ନେବାଠୁ କ୍ରାଇମ୍ବ୍ରାଞ୍ଚ ଲଗାତର ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସ୍ସିଇଆର୍ଟି)କୁ ଘାଣ୍ଟୁଛି । ଏବେ ପାଠ୍ୟପୁସ୍ତକ ପ୍ରସ୍ତୁତିରେ ଜଡ଼ିତ ଥିବା ସମସ୍ତ ବ୍ୟକ୍ତିଙ୍କୁ ମାରାଥନ ଜେରା କରୁଛି । ଶନିବାର ଏସ୍ସିଇଆର୍ଟିରୁ ସମସ୍ତ ବହିର ମୂଳ ପାଣ୍ଡୁଲିପି ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ଦିନ ତମାମ ଏସ୍ସିଇଆର୍ଟି କାର୍ଯ୍ୟାଳୟରେ ଖୋଳତାଡ଼ କରିଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀର ସମସ୍ତ ନୂଆ ପାଠ୍ୟପୁସ୍ତକ ଜବତ କରାଯାଇଛି । ଷଡ଼ଯନ୍ତ୍ରର ଗୁମର ଖୋଲିବା ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ୨୫୦ଜଣ ଅଧିକାରୀ, ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରିଛି । ସମସ୍ତଙ୍କୁ ଗୋଟି ଗୋଟି କରି ଜେରା କରାଯିବ ।
ଶନିବାର ସକାଳେ କ୍ରାଇମ୍ବ୍ରାଞ୍ଚର ଟିମ୍ ଏସ୍ସିଇଆର୍ଟିରେ ପହଞ୍ଚିଥିଲେ । ପ୍ରଥମେ ପାଠ୍ୟପୁସ୍ତକ ପ୍ରସ୍ତୁତ ପାଇଁ ସମସ୍ତ ବହିର ହାତଲେଖା ପାଣ୍ଡୁଲିପି, ଏହାପରେ ସମୀକ୍ଷକଙ୍କ ଦ୍ୱାରା ସଂଶୋଧିତ ହୋଇଥିବା କପିକୁ ଜବତ କରିଥିଲେ । ସଂଶୋଧନ ପରେ ଡିଟିପି ପାଇଁ ଯାଇଥିବା କପି ସହ ଡିଟିପି ହୋଇଆସିଥିବା ସମସ୍ତ କପିକୁ ଜବତ କରିଥିଲେ । ଏତେ ସବୁ ଡକ୍ୟୁମେଣ୍ଟ, ହାତଲେଖା, ଡିଟିପି ଆଦି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା କ୍ରାଇମ୍ବ୍ରାଞ୍ଚର ଟିମ୍ । ସେମାନେ ପ୍ରଶ୍ନ କରିଥିଲେ, ଏସବୁ କାର୍ଯ୍ୟ କିପରି ଅଳ୍ପ ସୀମିତ ସମୟ ମଧ୍ୟ କରିଛ ? କିପରି ସମ୍ଭବ ହେଲା ଏସବୁ ପ୍ରସ୍ତୁତ କରିବା, ତାହା ବାରମ୍ବାର ପ୍ରଶ୍ନ କରିଥିଲେ । ଏହାପରେ କେଉଁ ବହି କିଏ ସଂପାଦନା କରିଥିଲେ? କିଏ ସମୀକ୍ଷା କରିଥିଲା ? କେତେ ଥର ସମୀକ୍ଷା ହୋଇଥିଲା ? କିଏ ବହିକୁ ବିକଶିତ କରିଛନ୍ତି ? ବିଷୟବସ୍ତୁ କିଏ ପ୍ରସ୍ତୁତ କରିଥିଲେ ? କିଏ ମୁଦ୍ରଣ ପାଇଁ ଅନୁମତି ଦେଇଥିଲା ? ପ୍ରତ୍ୟେକ ସୋପାନରେ କ’ଣ କରାଯାଇଛି ? କେଉଁ ସ୍ତରରେ କାହାର କ’ଣ ଭୂମିକା ଥିଲା ? ତାହାର ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି ।
ଶନିବାର ଏସ୍ସିଇଆର୍ଟି ପରିସରରେ କିଛି ସମୀକ୍ଷକ, କୋର୍ କମିଟିର ସଦସ୍ୟଙ୍କ ସହ ଭର୍ଚୁଆଲ ମାଧ୍ୟମରେ ଆଲୋଚନା କରିଛି । ଆଗକୁ ନିଲମ୍ବିତ ଏବଂ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଥିବା ସହକାରୀ ନିର୍ଦ୍ଦେଶକଙ୍କୁ ସମନ ହୋଇପାରେ ବୋଲି ସୂଚନା ରହିଛି । ଏସ୍ସିଇଆର୍ଟିରୁ ଜବତ ମୂଳ ପାଣ୍ଡୁଲିପିରେ ଯେଉଁ ସିଲାବସ୍ ରହିଛି ତାହା ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଯୁଜ୍ୟ କି ନୁହେଁ ତାହାକୁ ବରିଷ୍ଠ ଶିକ୍ଷକଙ୍କର ଏକ ବିଶେଷଜ୍ଞ ଟିମ୍ ତଦାରଖ କରିବେ । ଏହି ଟିମ୍ରେ କେତେ ଜଣ ବିଷୟ ବିଶେଷଜ୍ଞ ଅବସରପ୍ରାପ୍ତ ଶିକ୍ଷକ ଓ କିଛି ବରିଷ୍ଠ ଶିକ୍ଷକ ସାମିଲ ହେବେ । ସବୁ ବିଭାଗର ଶିକ୍ଷକଙ୍କୁ ଏଥିରେ ରଖାଯିବ । କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ଉପସ୍ଥିତିରେ ଏହାର ଯାଞ୍ଚ ହେବ । ଏଥିସହିତ ମୂଳ ପାଣ୍ଡୁଲିପିରୁ କରାଯାଇଥିବା ଡିଟିପି ସ୍କ୍ରିପ୍ଟ, ପିଡିଏଫ୍ ଓ ଛପା ବହି ସହିତ ମେଳାଇବା କାମ ବିଶେଷଜ୍ଞ ଟିମ୍ କରିବ । ଅନ୍ୟପଟେ ସ୍କୁଲ୍ ବହି ଛପା ତ୍ରୁଟି ଷଡ଼ଯନ୍ତ୍ରର ଗୁମର ଖୋଲିବା ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ଏଯାବତ କରିଥିବା ତଦନ୍ତରେ ପ୍ରାୟ ୨୫୦ ଜଣ ଅଧିକାରୀ, ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କର ଏକ ତାଲିକା ପ୍ରସ୍ତୁତ କରିଛି ।
ବହି ପ୍ରସ୍ତୁତି ପ୍ରକ୍ରିୟା ଅର୍ଥାତ୍ ପାଣ୍ଡୁଲିପିରୁ ଡିଟିପି ହେବା, ତାର ପିଡିଏଫ୍ ପ୍ରସ୍ତୁତ ହେବା, ଉକ୍ତ ପିଡିଏଫ୍କୁ ଯାଞ୍ଚ କରାଯିବା, ଏଗୁଡ଼ିକୁ ଛାପିବା ପାଇଁ ଅନୁମୋଦନ କରିବା, ଅନୁମୋଦିତ ପାଠ୍ୟକ୍ରମକୁ ଛାପିବା, ଛାପିବା ପରେ ତାହାକୁ ବଣ୍ଟନ କରିବା ଭଳି ପ୍ରକ୍ରିୟାରେ ଏହି ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ସାମିଲ ଥିଲେ । ଏପରିକି ଛପା ଫାର୍ମର କିଛି ବରିଷ୍ଠ ଅଧିକାରୀ ମଧ୍ୟ ଏହି ପ୍ରକ୍ରିୟାରେ ଯୋଡ଼ିହୋଇଥିଲେ । ସମଗ୍ର ପ୍ରକ୍ରିୟା ଭିତରେ ତ୍ରୁଟି ଜାଣି ମଧ୍ୟ କେଉଁମାନେ ସଂପୂର୍ଣ୍ଣ ଭାବେ ଆଖି ବୁଜିଦେଇଥିଲେ ବା ଚୁପ୍ ରହିଥିଲେ ତାଲିକାରୁ ସେମାନଙ୍କ ନାମକୁ ଗୋଟି ଗୋଟି କରି ଛାନ୍ଭିନ୍ କରୁଛି ତଦନ୍ତକାରୀ ଟିମ୍ । ଖାଲି ଯେ ବରିଷ୍ଠ ଅଧିକାରୀ ଏହି ତ୍ରୁଟିକୁ ଦେଖି ଅଣଦେଖା କରିଥିଲେ ତାହା ନୁହେଁ, ବହୁ ତଳିଆ କର୍ମଚାରୀ ବି ପ୍ରତ୍ୟକ୍ଷ ଭାବେ ଏହା ଦେଖି ତ୍ରୁଟିକୁ ଅଣଦେଖା କରିଥିବା ତଦନ୍ତକାରୀ ଟିମ୍ ଆଶଙ୍କା କରୁଛି ।
ତେଣୁ କେବଳ ବଡ଼ବଡ଼ିଆ ନୁହେଁ ଉତ୍ତରଦାୟୀ ଥିବା ସମସ୍ତ ଅଧିକାରୀ, କର୍ମଚାରୀଙ୍କୁ ତଦନ୍ତ ପରିସରଭୁକ୍ତ କରି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କ୍ରାଇମବ୍ରାଞ୍ଚର ଜଣେ ଏସ୍ପି ସୂଚନା ଦେଇଛନ୍ତି । ଏପରିକି ଓସେପା ପକ୍ଷରୁ ଖର୍ଚ୍ଚ ସଂପର୍କିତ ତଥ୍ୟ ସହ ଅନ୍ୟ ଆନୁସଙ୍ଗିକ ତଥ୍ୟ ମଧ୍ୟ କ୍ରାଇମ୍ବ୍ରାଞ୍ଚକୁ ପ୍ରଦାନ କରାଯାଇଛି । ପାଠ୍ୟପୁସ୍ତକ ପ୍ରସ୍ତୁତି ପ୍ରକ୍ରିୟା, କେତେ ପିଲାଙ୍କ ପାଇଁ ବହି ଛପା ଯାଇଛି, ଏନେଇ ଦିଆଯାଇଥିବା ଟଙ୍କା, ଟଙ୍କା ପୈଠର ତାରିଖ ଓ ପରିମାଣ, କେଉଁ ବାବଦକୁ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର କାଗଜପତ୍ର ଓସେପା ପକ୍ଷରୁ କ୍ରାଇମବ୍ରାଞ୍ଚକୁ ପ୍ରଦାନ କରାଯାଇଛି । ଏଥିସହିତ ଏସବୁର କିଛି ବ୍ୟାଙ୍କ୍ ଟ୍ରାନ୍ଜାକ୍ସନ୍ ତଥ୍ୟ ଓ ବିଲ୍ ମଧ୍ୟ ଦିଆଯାଇଛି । ଏହି ତଥ୍ୟକୁ ଆଜି ଜଣେ ବରିଷ୍ଠ ଇନ୍ସପେକ୍ଟରଙ୍କ ଟିମ୍ ତଦାରଖ କରିଛନ୍ତି ।
ଅଧିକ ପଢନ୍ତୁ-Weather Forecast: ଉପକୂଳକୁ ଆଶ୍ୱସ୍ତି, ଆଜି ପଶ୍ଚିମ-ଉତ୍ତର ଓଡ଼ିଶାରେ ଛେଚିବ ବର୍ଷା, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ