କଟକ, ୧୭/୦୪ : କଟକ ମହାନଗର  ନିଗମ(ସିଏମ୍‌ସି) ଦ୍ୱାରା ବାରବାଟୀ ଫୁଡ୍‌କୋର୍ଟରେ ଦୋକାନ ଘର ଆବଣ୍ଟନକୁ ନେଇ କର୍ତ୍ତୃପକ୍ଷଙ୍କ ବିଚିତ୍ର ସର୍ତ୍ତ ରଖାଯାଇଛି । ଦୋକାନ ଘର ନେବାକୁ ହେଲେ ବ୍ୟବସାୟ ଉପରେ ଅଭିଜ୍ଞତା ରହିଥିବା ଉଲ୍ଲେଖ ରହିଛି । ଫଳରେ ନୂଆ ଲୋକଙ୍କୁ ବ୍ୟବସାୟର ସୁଯୋଗ  ନ ଥିଲାବେଳେ ସହରରେ ବ୍ୟବସାୟ କରୁଥିବା ଲୋକଙ୍କ ହାତରେ ଏହାକୁ ଟେକିଦେବା ପାଇଁ ଷଡ଼ଯନ୍ତ୍ର  କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ଫୁଡ୍‌ କୋର୍ଟକୁ କିଛି ବଡ଼ ବଡ଼ ବ୍ୟବସାୟୀଙ୍କ ପ୍ରତିଷ୍ଠାନକୁ ଦେବା ପାଇଁ ଏଭଳି ଷଡ଼ଯନ୍ତ୍ର କରାଯାଉଛି ବୋଲି ସାଧାରଣ ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ବାରବାଟୀ ବିଧାୟିକା ସୋଫିଆ ଫୋର୍ଦ୍ଦୋସ୍ ଏନେଇ ବର୍ଷିଛନ୍ତି। ବାରବାଟୀ ନିକଟ ଫୁଡକୋର୍ଟ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ କରି ପ୍ରେସମିଟ୍‌ ରେ ସିଏମସି ଦ୍ଵାରା ପ୍ରସ୍ତୁତ ଏସଓପିକୁ ଚିରି ଦେଇଛନ୍ତି। ସିଧାସଳଖ ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍ କରିଛନ୍ତି। ମେୟର ନିଜ ଲୋକଙ୍କୁ ଦୋକାନ ଘର ଆବଣ୍ଟନ କରିଥିବା ଅଭିଯୋଗ କରିଛନ୍ତି। ସହର ଉନ୍ନତିମୂଳକ କାମରେ  ସୋଫିଆ ବାଧା ସୃଷ୍ଟି କରୁଥିବା ମେୟର କହିଛନ୍ତି।. 
 
ସିଏମ୍‌ସି ପକ୍ଷରୁ ୬ କୋଟି ୬୬ ଲକ୍ଷ ଟଙ୍କା  ବିନିଯୋଗରେ ବାରବାଟୀ ଫୁଡ୍‌ କୋର୍ଟ ନିର୍ମାଣ  କରାଯାଇଛି । ଏଠାରେ ବ୍ୟବସାୟ ପାଇଁ ମୋଟ୍‌ ୮୮ଟି  ଦୋକାନ ଘର ରହିଛି । ତେବେ ପ୍ରଥମ ପର୍ଯ୍ୟାୟରେ ଗତ କିଛି ଦିନ ତଳେ ସର୍ଭେ ଅନୁସାରେ ୪୫ଟି  ଦୋକାନ ଘର ଲଟେରି ଯୋଗେ ବଣ୍ଟନ କରାଯାଇଛି । ଦହିବରା ବ୍ୟବସାୟ ସମେତ ଅନ୍ୟମାନେ ପୂର୍ବରୁ ସେଠାରେ ବ୍ୟବସାୟ କରୁଥିବାରୁ ସେମାନେ ଉକ୍ତ ଦୋକାନରେ ଥଇଥାନ ହୋଇଛନ୍ତି । ଏହାପରେ  ବାକି ଥିବା ୩୮ଟି ଦୋକାନକୁ ଦୁଇଟି ବର୍ଗରେ ଆବଣ୍ଟନ ପାଇଁ ସିଏମ୍‌ସି ପକ୍ଷରୁ ଟେଣ୍ଡର୍‌ ହୋଇଛି । ଏଥିରେ କାଟେଗୋରୀ-‘ଏ’ରେ ୨ଟି ଦୋକାନ ଘର  ଥିଲାବେଳେ କାଟେଗୋରୀ-‘ବି’ରେ ୩୬ଟି ଦୋକାନ  ରହିଛି । ଏ ବର୍ଗ ଦୋକାନ ଘର ଭଡ଼ା ସର୍ବନିମ୍ନ ୨୬  ହଜାର ୪ଶହ ଟଙ୍କା ଓ ବି ବର୍ଗ ପାଇଁ ୬ ହଜାର ୬  ଶହ ଟଙ୍କା ଧାର୍ଯ୍ୟ ହୋଇଛି । ଆସନ୍ତା ୨୭ ତାରିଖରେ  ଟେଣ୍ଡର୍‌ ଖୋଲାଯିବା ନେଇ ଧାର୍ଯ୍ୟ କରାଯାଇଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ‘ଏ’ ବର୍ଗରେ  ଆବେଦନକାରୀଙ୍କ ପାଇଁ କ୍ୱିକ୍‌ ସର୍ଭିସ୍‌ରେ ୭ ବର୍ଷର ଅଭିଜ୍ଞତା ସହିତ ଗତ ୩ ବର୍ଷରେ ଆୟକର ଦାଖଲ ଏବଂ ବାର୍ଷିକ ୧୨ ଲକ୍ଷ ଟଙ୍କାର କାରବାରର  ରେକର୍ଡ ଥିବା ସର୍ତ୍ତ ରଖାଯାଇଛି । ଏହାସହ ‘ବି’ ବର୍ଗ ପାଇଁ ଆବେଦନକାରୀଙ୍କ ପୂର୍ବରୁ ବ୍ୟବସାୟୀଙ୍କ ଲାଇସେନ୍ସ ଥିବା ସର୍ତ୍ତ ରହିଛି । 

ତେବେ ଏହି ସର୍ତ୍ତ ଦ୍ୱାରା ପୂର୍ବରୁ ଖାଦ୍ୟ ବ୍ୟବସାୟ କରୁଥିବା ସଂସ୍ଥା ଓ ଏଜେନ୍ସିମାନଙ୍କୁ ସୁହାଇଲା ଭଳି ରଖାଯାଇଥିବା ଅଭିଯୋଗ ହୋଇଛି । ଫଳରେ ସହରରେ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଥିବା ବ୍ୟକ୍ତିବିଶେଷଙ୍କୁ ଏଥିରେ ସୁଯୋଗ ମିଳିବ ନାହିଁ ବୋଲି ସ୍ପଷ୍ଟ ବାରି ହୋଇପଡୁଛି । ସିଏମ୍‌ସିର ଏଭଳି ଟାଳଟୁଳ ନୀତିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ କମିସନର କିରନଦୀପ କୌର ସହୋତାଙ୍କ ସହ ଫୋନ୍‌ରେ ପ୍ରତିକ୍ରିୟା ନେବା ଲାଗି ଚେଷ୍ଟା କରାଯାଇଥିବା ବେଳେ ତାହା ସମ୍ଭବପର ହୋଇପାରି ନାହିଁ।

ଏହି ଖବରଟିକୁ ପଢନ୍ତୁ- Ratna Bhandar Inventory: ଦ୍ୱିତୀୟ ଦିନ ସୁଦ୍ଧା ଭିତର ରତ୍ନ ଭଣ୍ଡାରର ୮୦ ଅଳଙ୍କାର ଗଣତିମଣତି