କାଠମାଣ୍ଡୁ, ୦୩/୦୪ : ନେପାଳରେ ଏଭରେଷ୍ଟ ଶୃଙ୍ଗ ସହ ସଂଶ୍ଳିଷ୍ଟ ଏକ ବଡ଼ ଦୁର୍ନୀତି ସାମ୍ନାକୁ ଆସିଛି । କାଠମାଣ୍ଡୁ ପୋଷ୍ଟର ରିପୋର୍ଟ ଅନୁସାରେ, କିଛି ଶେର୍‌ପା ଓ ଟ୍ରେକିଂ ସହ ଜଡ଼ିତ ଲୋକ ମିଶି ଖାଦ୍ୟରେ ବେକିଂ ସୋଡ଼ା ବା ଏକ ସ୍ୱତନ୍ତ୍ର ଔଷଧ ମିଶାଇ ପର୍ଯ୍ୟଟକଙ୍କୁ ଅସୁସ୍ଥ କରି ମହଙ୍ଗା ହେଲିକପ୍ଟର ଉଦ୍ଧାର ଜରିଆରେ କୋଟି କୋଟି ଟଙ୍କାର ବୀମା ଦୁର୍ନୀତି କରୁଥିଲେ।

ରିପୋର୍ଟ ଅନୁସାରେ, ନେପାଳ ପୁଲିସ ଏ ମାମଲାରେ ୩୨ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏଥିରେ ଟ୍ରେକିଂ କମ୍ପାନିର ମାଲିକ, ହେଲିକପ୍ଟର ଅପରେଟର୍‌ ଓ ହସ୍ପିଟାଲ ସହ ସଂଶ୍ଳିଷ୍ଟ ଲୋକ ସାମିଲ । ଏମାନଙ୍କ ବିରୋଧରେ ସଂଗଠିତ ଅପରାଧ ଓ ଦୁର୍ନୀତି ଅଭିଯୋଗ ହୋଇଛି । ନେପାଳର ଉଚ୍ଚ ପାହାଡ଼ିଆ ଅଞ୍ଚଳରେ ହେଲିକପ୍ଟର ଦ୍ୱାରା ଲୋକଙ୍କୁ ଉଦ୍ଧାର କରିବା ଲୋକଙ୍କ ଜୀବନ ବଞ୍ଚାଇବାର ଏକ ଅତ୍ୟାବଶ୍ୟକ ଉପାୟ । ସେଠାରେ ଅମ୍ଳଜାନ କମ୍‌ ଥାଏ ଏବଂ ପାଣିପାଗ ହଠାତ୍‌ ବିଗିଡ଼ିପାରେ । ସେଥିପାଇଁ ଅସୁସ୍ଥ ଓ ଫସିଥିବା ଟ୍ରେକର୍‌ଙ୍କୁ ତୁରନ୍ତ କାଠମାଣ୍ଡୁ ପହଞ୍ଚିବା ଆବଶ୍ୟକ ଥାଏ ।

ଯାଞ୍ଚରୁ ଜଣାପଡ଼ିଛି, କିଛି ଶେର୍‌ପା, ଟ୍ରେକିଂ ଏଜେନ୍ସିଙ୍କ ସହ ମିଶି ପର୍ଯ୍ୟଟକଙ୍କ ଖାଦ୍ୟରେ ବେକିଂ ସୋଡ଼ା ମିଶାଉଛନ୍ତି । ଏହା ଦ୍ୱାରା ପର୍ଯ୍ୟଟକ ଭୀଷଣ ପେଟ ଯନ୍ତ୍ରଣା, ବାନ୍ତି ଓ ଅନ୍ୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଏହାକୁ ଉଚ୍ଚତାରେ ହେଉଥିବା ଅସୁସ୍ଥତା ବୋଲି ଧରି ନିଆଯାଏ । କିଛି ମାମଲାରେ ଲୋକଙ୍କୁ ଡାୟମକ୍ସ (ଉଚ୍ଚତା ସମ୍ବନ୍ଧୀୟ ଅସୁସ୍ଥତା ପାଇଁ ଦିଆଯାଉଥିବା ଔଷଧ) ସହିତ ଅଧିକ ପାଣି ପିଇବାକୁ ଦେଇ ଏଭଳି ଲକ୍ଷଣ ଉତ୍ପନ୍ନ କରାଯାଇଥିଲା, ଯାହା ଦ୍ୱାରା ଲାଗିବ ଯେ ଟ୍ରେକର୍‌ର ସ୍ଥିତି ଗମ୍ଭୀର ହୋଇଛି । ପର୍ଯ୍ୟଟକ ଯେତେବେଳେ ଅସୁସ୍ଥ ହୋଇପଡ଼ନ୍ତି, ସେମାନଙ୍କୁ ମହଙ୍ଗା ହେଲିକପ୍ଟରରେ ଉଦ୍ଧାର ଲାଗି ଚାପ ପକାଯାଏ । ତା’ପରେ ନକଲି ମେଡିକାଲ ରିପୋର୍ଟ ଓ ଉଡ଼ାଣ ଦସ୍ତାବିଜ କରି ଅନ୍ତର୍ଜାତୀୟ ବୀମା କମ୍ପାନିଙ୍କଠୁ ଟଙ୍କା ଅସୁଲ କରାଯାଏ । ନେପାଳ ଚାର୍ଟର ସର୍ଭିସ୍‌, ଏଭରେଷ୍ଟ ଏକ୍ସପିରିଏନ୍ସ ଆଣ୍ଡ ଆସିଷ୍ଟାନ୍ସ ଓ ମାଉଣ୍ଟେନ୍‌ ରେସ୍କ୍ୟୁ ଭଳି କମ୍ପାନି ଏହି ଦୁର୍ନୀତିରେ ମୁଖ୍ୟ ରୂପେ ସାମିଲ ବୋଲି ରିପୋର୍ଟ ହୋଇଛି ।

ଏହି ଖବରଟିକୁ ପଢନ୍ତୁ- ହର୍ମୁଜ ପାଇଁ ଏକାଠି ବସିଲେ ୬୦ ଦେଶ, ଶକ୍ତି ସଙ୍କଟର ସମାଧାନ ପାଇଁ ଖୋଜିଲେ ବାଟ, ଯୁଦ୍ଧକୁ ନେଇ ଭାରତ କହିଲା…