ଭୁବନେଶ୍ୱର, ୧୧/୦୭: ଓଡ଼ିଶାର ଏକ ନିଆରା ପ୍ରଜାତିର ବତକକୁ ମିଳିଛି ଜାତୀୟ ମାନ୍ୟତା । ଏହାର ନାଁ ‘କୁଡ଼ୁ’ । ଏହି ବତକ ମୟୂରଭଞ୍ଜରେ ଦେଖାଯାଏ । ଇଏ ଏଭଳି ଏକ ଦେଶୀ ବତକ, ଯାହାକୁ ବାର୍ଡ-ଫ୍ଲୁ ହୁଏନି । ବର୍ଷକୁ ୧୫୦ ଅଣ୍ଡା ଦିଏ । ଦେଖିବାକୁ ଟିକେ ଅଲଗା । ଶରୀରର ଅଧା ରଙ୍ଗ ବାଦାମୀ ଓ କ୍ରିମ୍ । ଆଉ ଅଧା ଧଳା ଓ କଳା ରଙ୍ଗ ମିଶା । ବେକରେ ଧଳା ରଙ୍ଗର ଗୋଲାକାର ଚିହ୍ନ ବି ଅଛି । ଚଞ୍ଚୁ ହଳଦିଆ ଓ କମଳା ରଙ୍ଗର ପାଦ । ଜୀବନ କାଳ ମଧ୍ୟରେ ପ୍ରାୟ ଦେଢ଼ କେଜି ପର୍ଯ୍ୟନ୍ତ ବଢ଼ିପାରେ । ଏହା ମାଂସ ଓ ଅଣ୍ଡା ପାଇଁ ଉଦ୍ଦିଷ୍ଟ । ସାଧାରଣ ବତକଠୁ ଏହା ସ୍ୱତନ୍ତ୍ର ହୋଇଥିବାରୁ ଏହାର ଗୁଣଗାନ ଏବେ ସର୍ବଭାରତୀୟ ସ୍ତରରେ ହେବାକୁ ଯାଉଛି । ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ବତକକୁ ଜାତୀୟସ୍ତରରେ ପ୍ରାଣୀ ପ୍ରଜାତି ପଞ୍ଜୀକରଣ ପ୍ରମାଣପତ୍ର(ଏବିଆର୍ସି) ମିଳିଛି । ଜାତୀୟ ମାନ୍ୟତା ପାଇବା ଦ୍ୱାରା ସାରା ଦେଶରେ ଏହି ବତକକୁ ସମସ୍ତେ ଜାଣିବେ । ଏହାର ଉତ୍ପାଦନ ମଧ୍ୟ ଅଧିକ ହୋଇପାରିବ । କେବଳ ମୟୂରଭଞ୍ଜ ନୁହେଁ ସାରା ଓଡ଼ିଶାରେ ଏହାକୁ ପାଳନ କରାଯିବ ।
ଗତ ଦୁଇବର୍ଷରୁ ଅଧିକ ସମୟ ହେବ କୁଡ଼ୁ ବତକ ଉପରେ ଗବେଷଣା ହେଉଥିଲା । ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ରୋଡ୍ରେ ଥିବା ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇସିଏଆର୍)ର କୁକ୍କୁଟ ଅନୁସନ୍ଧାନ ନିର୍ଦ୍ଦେଶାଳୟ ପକ୍ଷରୁ ବତକ ଉପରେ ତଥ୍ୟ ସଂଗ୍ରହ କରାଯାଉଥିଲା । ଏଥିପାଇଁ ଏକ ଟିମ୍ ମୟୂରଭଞ୍ଜ ଯାଇଥିଲା । ଅନୁସନ୍ଧାନରୁ ଜଣାପଡ଼ିଲା, କୁଡ଼ୁ ବତକ କେବଳ ମୟୂରଭଞ୍ଜ ଓ ଏହାର ଆଖପାଖ ଆଦିବାସୀ ବହୁଳ ଜନବସତିରେ ଦେଖାଯାନ୍ତି । ପ୍ରାୟ ୬୪ହଜାର କୁଡ଼ୁ ବତକ ସେଠାରେ ଅଛନ୍ତି । ଗବେଷଣାରୁ ଏହା ମଧ୍ୟ ଜଣାପଡ଼ିଥିଲା ଯେ ସାଧାରଣ ବତକଙ୍କ ଠାରୁ ଏମାନେ ଭିନ୍ନ ଅଟନ୍ତି । ସାଧାରଣ ବତକଟିଏ ବାର୍ଷିକ ୮୦ଟି ଅଣ୍ଡା ଦେଉଥିବା କୁଡ଼ୁ ଦୁଇଗୁଣ ଅଣ୍ଡା ଦେବ । ଏହି ଅଣ୍ଡାର ଓଜନ ୬୪ ଗ୍ରାମ । ଅଣ୍ଡା ସହ ବତକର ମାଂସ ମଧ୍ୟ ସ୍ୱାଦିଷ୍ଟ ଓ ପୁଷ୍ଟିସାରରେ ଭରପୂର । ବଡ଼କଥା, ଏହି ବତକଙ୍କୁ ରୋଗ ଛୁଏଁନି । ବିଶେଷକରି ବାର୍ଡ-ଫ୍ଲୁ ଓ ରାଣୀକ୍ଷେତ ଭଳି ମାରାତ୍ମକ ରୋଗ ତ’ ଆଦୌ ହୁଏନି । ଆଦିବାସୀ ଅଞ୍ଚଳରେ ଜଙ୍ଗଲ ଓ ସନ୍ତସନ୍ତିଆ ସ୍ଥାନରେ ବୁଲିବୁଲି ଏମାନେ ପୋକଜୋକ ସଂଗ୍ରହ କରି ଖାଆନ୍ତି । ସେଥିପାଇଁ ବତକ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ପ୍ରଚୁର ମାତ୍ରାରେ ରହିଛି । ଅଣ୍ଡିରା ବତକ ୧୩ଶହ ଗ୍ରାମ ପର୍ଯ୍ୟନ୍ତ ବଢ଼ୁଥିବା ବେଳେ ମାଈ ୧୨ଶହ ଗ୍ରାମ ଓଜନର ହୋଇପାରେ । ସେଥିପାଇଁ ଏହାର ଚାହିଦା କାହିଁରେ କେତେ । ଆଦିବାସୀମାନଙ୍କ ଏହା ପ୍ରମୁଖ ଖାଦ୍ୟ ହୋଇଥିବା ବେଳେ ସେମାନେ ଏହାକୁ ବିକ୍ରି କରି ପେଟ ପୋଷନ୍ତି ।
ଅଧିକ ପଢ଼ନ୍ତୁ :- Anavasara Ritual: ଉଠିଲେ ଠାକୁରେ, ପହଞ୍ଚିଲା ଦଶମୂଳ, ରାଜବୈଦ୍ୟଙ୍କ ଉପଚାରରେ ସୁସ୍ଥ ହେବେ ମହାପ୍ରଭୁ
ଏସବୁ ଜଣାପଡ଼ିବା ପରେ ରାଜ୍ୟ ସରକାରଙ୍କ ପଶୁ ସମ୍ପଦ ବିଭାଗ ଓ କୁକ୍କୁଟ ଅନୁସନ୍ଧାନ ନିର୍ଦ୍ଦେଶାଳୟ (ଭୁବନେଶ୍ୱର କେନ୍ଦ୍ର) ପକ୍ଷରୁ ବତକକୁ ଜାତୀୟ ମାନ୍ୟତା ପାଇଁ ଆଇସିଏଆରର ବ୍ରିଡ୍ ରେଜିଷ୍ଟ୍ରେସନ୍ କମିଟି ନିକଟରେ ଗତବର୍ଷ ନଭେମ୍ବର ମାସରେ ଆବେଦନ କରାଯାଇଥିଲା । କମିଟି ଏହା ଉପରେ ତର୍ଜମା କରି ଏହି ବତକକୁ ପ୍ରମାଣପତ୍ର ପ୍ରଦାନ କରିଛି ବୋଲି କୁକ୍କୁଟ ଅନୁସନ୍ଧାନ ନିର୍ଦ୍ଦେଶାଳୟ, ଭୁବନେଶ୍ୱର କେନ୍ଦ୍ର ମୁଖ୍ୟ ଡ. ସୁବ୍ରତ କୁମାର ଭଞ୍ଜ ସୂଚନା ଦେଇଛନ୍ତି । କୁଡ଼ୁ ବତକ ପରେ ଏବେ ନଜର ଉପକୂଳରେ ଥିବା କୁଜି ବତକ ଉପରେ । ଏହି ଛୋଟ ପ୍ରଜାତିର ବତକ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଆଦି ଜିଲ୍ଲାରେ ଦେଖିବାକୁ ମିଳେ । ଏହି ବତକ ଉପରେ ଗବେଷଣା କରାଯାଇ ଏହାକୁ ଜାତୀୟ ମାନ୍ୟତା ଦେବାକୁ କାମ ଆରମ୍ଭ ହେବ ବୋଲି ଡ. ଭଞ୍ଜ କହିଛନ୍ତି ।