କୋରାପୁଟ, ୦୫/୦୯; ସାମାନ୍ୟ ବଚସାରୁ ଗଡ଼ିଲା ମୁଣ୍ଡ । ବାପା ଓ ପୁଅଙ୍କୁ ଟାଙ୍ଗିଆରେ ମରଣାନ୍ତର ଆକ୍ରମଣ । ମେଡିକାଲ ଯିବା ରାସ୍ତାରେ ଚାଲିଗଲା ପୁଅର ଜୀବନ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍ ଫାଙ୍ଗିଗୁଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ସୂଚନା ମୁତାବକ, କୋରାପୁଟ ପୌର ପରିଷଦର ୧୦ ନଂ ୱାର୍ଡ କାଉନସିଲର କମଳା ନାୟକଙ୍କ ସ୍ବାମୀ ଧନୁର୍ଜୟ ନାୟକ (୫୫ ବର୍ଷ) ଓ ପୁଅ ଶିବ ନାୟକ(୨୭ ବର୍ଷ) ଏକ ଜମିଜମା ବିବାଦର ସମାଧାନ ପାଇଁ ଗୁରୁବାର ସନ୍ଧ୍ୟାରେ ବୋରିଗୁମ୍ମା ବ୍ଲକ୍ ଗୁଜୁନିଗୁଡା ପଞ୍ଚାୟତର ବିସିଂପୁର ଥାନା ଫାଙ୍ଗିଗୁଡା ଗାଁକୁ ଯାଇଥିଲେ । ସେଠାରେ ସେହି ଗାଁର ଗୋଟିଏ ଗୋଷ୍ଠୀ ସହ ଉଭୟଙ୍କର ଗଣ୍ଡଗୋଳ ହୋଇଥିଲା । ଯାହା ପରେ ଗାଁର କିଛି ଲୋକ ଟାଙ୍ଗିଆରେ ବାପା ପୁଅଙ୍କୁ ଆକ୍ରମଣ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବୋରିଗୁମ୍ମା ଡାକ୍ତରଖାନା ଓ ପରେ କୋରାପୁଟ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ପୁଅ ଶିବର ଅବସ୍ଥା ଗୁରୁତର ଥିବାରୁ ରାତିରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଉ ଥିବାବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଛି। ବୋରିଗୁମ୍ମା ଓ କୋରାପୁଟ ଅଞ୍ଚଳରେ ଏହି ହତ୍ୟା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏସମ୍ପର୍କରେ ଖବର ପାଇ ବିସିଂପୁର ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣା ପଡ଼ିଛି।