ବିବାହର ମାତ୍ର ୭୦ ମିନିଟ୍ ପରେ ହୋଇଗଲା ଛାଡପତ୍ର, ଜାଣନ୍ତୁ କାହିଁକି…

source:www.youthkiawaaz.com
ଅହମଦାବାଦ ୩୧/୧: ବିବାହକୁ ଏକ ପବିତ୍ର ବନ୍ଧନ ବୋଲି କୁହାଯାଏ । ଅଗ୍ନିକୁ ସାକ୍ଷୀ ରଖି ୭ ଜନ୍ମ ପର୍ଯ୍ୟନ୍ତ ଏକାଠି ରହିବା ଏବଂ ପରସ୍ପରର ସୁଖ ଦୁଃଖର ସାଥି ହେବା ପାଇଁ ପ୍ରତିଜ୍ଞା କରନ୍ତି ପତି-ପତ୍ନୀ । କିଛି ବୈବାହିକ ସମ୍ପର୍କ ବର୍ଷ ବର୍ଷ ଧରି ଅତୁଟ ରହିଥାଏ ଏବଂ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜେ ତ ଆଉ କେଉଁଠି ବିବାହ ବର୍ଷେ ନପୂରୁଣୁ ସମ୍ପର୍କରେ ଚାଲିଆସେ ଖଟାପଣ । ଅଗ୍ନିକୁ ସାକ୍ଷୀ ରଖି ବନ୍ଧନରେ ବାନ୍ଧି ହୋଇଥିବା ପତି ପତ୍ନୀ ହୋଇଯାଆନ୍ତି ଅଲଗା । କେହି କାହା ମୁହଁ ଦେଖିବାକୁ ନାରାଜ । ଏପରିକି କଥା ଛାଡପତ୍ର ପର୍ଯ୍ୟନ୍ତ ଚାଲିଆସେ । ଏପରି ଅନେକ ଘଟଣା ସମାଜରେ ଦେଖିବାକୁ ମିଳେ । କିନ୍ତୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ବିବାହର ମାତ୍ର ୭୦ ମିନିଟ୍ ପରେ ହୋଇଯାଇଛି ଛାଡପତ୍ର ।
ଗୁଜୁରାତର ଅହମଦାବାଦର ଗୋନଡଲରେ ଅନେକ ଧୁମଧାମରେ ବିବାହ ହେଉଥିଲା । ବର- କନ୍ୟା ଉଭୟ ପକ୍ଷ ବହୁତ ଖୁସି ଥିଲେ । ନବ ବର-ବଧୂ ଅଗ୍ନିକୁ ସାକ୍ଷୀ ରଖି ୭ ଜନ୍ମ ଏକାଠି ରହିବାର ପ୍ରତିଜ୍ଞା ମଧ୍ୟ କଲେ । ଏହାପରେ ଉଭୟ ପକ୍ଷ ଏକାଠି ଖାଇବାକୁ ନିଷ୍ପତ୍ତି ନେଲେ ।
ଡିନର ଟେବୁଲରେ ବର-କନ୍ୟାଙ୍କ ସହିତ ତାଙ୍କ ବନ୍ଧୁ-ବାନ୍ଧବ ମଧ୍ୟ ଖାଇବାକୁ ବସିପଡିଲେ କିନ୍ତୁ ଅଚାନକ କୌଣସି କାରଣ ଯୋଗୁଁ ଉଭୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଗଲା ଏବଂ ଦେଖୁଦେଖୁ ତାହା ତୀବ୍ର ରୂପ ନେଲା । ଶେଷରେ ଉଭୟ ପକ୍ଷ ପରସ୍ପର ଉପରକୁ ପ୍ଲେଟ୍ ଓ ଅନ୍ୟ ବାସନ ସବୁ ଫୋପାଡିବାକୁ ଲାଗିଲେ ।
ତେବେ ଏହି ଯୁଦ୍ଧ ଦେଖି ପୋଲିସକୁ ଡକାଗଲା । ଏହାପରେ ଝଗଡା ତ ବନ୍ଦ ହୋଇଗଲା କିନ୍ତୁ ବର-କନ୍ୟାଙ୍କ ସମ୍ପର୍କ ସବୁଦିନ ପାଇଁ ଶେଷ ହୋଇଗଲା । ଉଭୟ ପକ୍ଷ ନିଜର ଓକିଲଙ୍କୁ ଡକାଇଲେ ଏବଂ ସାଙ୍ଗେସାଙ୍ଗେ ଛାଡପତ୍ର ଦିଆହୋଇଗଲା । ବିବାହରେ ମିଳିଥିବା ସବୁ ଉପହାରକୁ ଫେରାଇଦେଇ ଏବଂ କନ୍ୟାକୁ ନଆଣି ଘରକୁ ଫେରିଆସିଲା ବର ।