ନୂଆଦିଲ୍ଲୀ : ପୁଣି ଆମ୍‌ ଆଦମୀ ପାର୍ଟି ( ଆପ୍‌)ର ମୁଖିଆ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମୁସ୍କିଲ ବଢିଲା। ଦିଲ୍ଲୀର ଏକ କୋର୍ଟ କେଜ୍ରିୱାଲଙ୍କ ବିରୋଧରେ କେସ୍‌ ରୁଜୁ କରିବାର ଆଦେଶ ଦେଇଛନ୍ତି। ସାର୍ବଜନିକ ସଂପତ୍ତିକୁ କ୍ଷତି କରିବାର ଅଭିଯୋଗରେ ଅରବିନ୍ଦ କେଜ୍ରିୱାଲ ଓ ଅନ୍ୟଙ୍କ ବିରୋଧରେ କେସ୍‌ ରୁଜୁ କରିବାକୁ କୁହାଯାଇଛି। 

କୋର୍ଟ ଦିଲ୍ଲୀ ପୁଲିସ୍ ଠାରୁ ୧୮ ମାର୍ଚ୍ଚ ଯାଏ ରିପୋର୍ଟ ମଧ୍ୟ ମାଗିଛନ୍ତି। କେଜ୍ରିୱାଲଙ୍କ ବିରୋଧରେ ଏହି ଆଦେଶ ଏମିତି ସମୟରେ ଆସିଛି , ଯେତେବେଳେ ସେ ପୂର୍ବରୁ ହିଁ ଅନେକ ଆଇନଗତ ମୁସ୍କିଲରେ ଛନ୍ଦି ହୋଇ ପଡ଼ିଛନ୍ତି ଏବଂ ଦିଲ୍ଲୀ ନିର୍ବାଚନରେ ହାରିବା ପରେ ଏହି ସମୟରେ ସେ ନିରବ ରହିଛନ୍ତି। 

ଏହି ମାମଲା ୨୦୧୯ ମସିହାର। ଦ୍ୱାରକାରେ ବଡ଼ ହୋର୍ଡିଂ ଲଗାଯିବାକୁ ନେଇ ଅଭିଯୋଗ କରାଯାଇ ଥିଲା। ଅରବିନ୍ଦ କେଜ୍ରିୱାଲ, ମଟିଆଲର ସେତେବେଳେର ବିଧାୟକ ଗୁଲାବ ସିଂହ ଓ ଦ୍ୱାରକାର କାଉନ୍ସିଲର ନୀତିକା ଶର୍ମାଙ୍କ ବିରୋଧରେ କେସ୍‌ ରୁଜୁ କରିବାର ଦାବି କରାଯାଇ ଥିଲା। ଆଡିସନାଲ ଚିଫ୍‌ ଜ୍ୟୁଡିସିଆଲ ମାଜିଷ୍ଟ୍ରେଟ୍‌ ନେହା ମିତ୍ତଲ କେଜ୍ରିୱାଲ ଓ ଅନ୍ୟମାନଙ୍କ ବିରୋଧରେ ଆବେଦନକୁ ସ୍ୱୀକାର କରି ଏଫଆଇଆର ରୁଜୁ କରିବାକୁ କହିଛନ୍ତି। 

ପ୍ରଥମେ ଯେବେ କୋର୍ଟରେ ଅଭିଯୋଗ ରୁଜୁ କରାଯାଇ ଥିଲା ତ , ମାଜିଷ୍ଟ୍ରେଟ୍‌ ଖାରଜ କରି ଦେଇ ଥିଲେ। ଏହାପରେ ଅଭିଯୋଗକାରୀ ସେସନ୍ସ କୋର୍ଟରେ ରିଭିଜନ ପିଟିସନ ଦାଖଲ କରି ଥିଲେ। ସେସନ୍ସ କୋର୍ଟ ଆଉଥରେ ମାମଲାକୁ ମାଜିଷ୍ଟ୍ରେଟ୍‌ କୋର୍ଟକୁ ପଠାଇ ଏହା ବିଚାରଯୋଗ୍ୟ ଅପରାଧ କି ନାହିଁ ଏହା ଏହା ନିଷ୍ପତ୍ତି ନେବାକୁ କହି ଥିଲେ। ମାଜିଷ୍ଟ୍ରେଟ୍‌ କୋର୍ଟ ଆଉଥରେ ଶୁଣାଣି କରିଥିଲେ ଏବଂ ମଙ୍ଗଳବାର ଆବେଦନ ସ୍ୱୀକାର କରି କେସ୍‌ ରୁଜୁ କରିବାକୁ ଆଦେଶ ଦେଇଛନ୍ତି। 

ଅରବିନ୍ଦ କେଜ୍ରିୱାଲ ଏହା ପୂର୍ବରୁ କଥିତ ମଦ ଦୁର୍ନୀତି ମାମଲାରେ ଅଭିଯୁକ୍ତ ହୋଇ ସାରିଛନ୍ତି ଏବଂ ଏହି ମାମଲାରେ ତାଙ୍କୁ ଅନେକ ମାସ ଯାଏ ଜେଲ୍‌ରେ ରହିବାକୁ ପଡ଼ିଥିଲା। ବର୍ତ୍ତମାନ ସେ ଜାମିନରେ ଅଛନ୍ତି। ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କୋର୍ଟଙ୍କ ତାଜା ଆଦେଶରେ ଆମ୍‌ ଆଦମୀ ପାର୍ଟି ପକ୍ଷରୁ ବର୍ତ୍ତମାନ କୌଣସି ପ୍ରତିକ୍ରିୟା ସାମନାକୁ ଆସି ନାହିଁ।